ଭୁବନେଶ୍ବର/ଖୋର୍ଦ୍ଧା: ମରାଳ ମାଳିନୀ ‘ଚିଲିକା’ର ଜଳରାଶି ପୂର୍ବ ଭଳି ପକ୍ଷୀମାନଙ୍କୁ ଆକର୍ଷିତ କରିପାରୁ ନାହିଁ କି? ଏଥର ହୀରାକୁଦ ଜଳଭଣ୍ଡାର ଓ ଭିତରକନିକାରେ ବିହଙ୍ଗମାନଙ୍କର ଅଧିକ ଗହଳି ପରିଲକ୍ଷିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷୀଗଣନାରୁ ଏହା ସ୍ପଷ୍ଟ ହୋଇଛି। କ୍ୟାଲେଣ୍ଡର ବର୍ଷ-୨୦୨୫ର ଶୀତକାଳୀନ ଗଣନାରେ ୨୦୦ରୁ ଅଧିକ ପ୍ରଜାତିର ୧୫ ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀ ବିଭିନ୍ନ ଜଳାଶୟକୁ ଆସିଥିବା ସୂଚନା ମିଳିଛି। ଏଥିରୁ ଚିଲିକାରେ ସର୍ବାଧିକ ପକ୍ଷୀଙ୍କର ମେଳି ରହିଛି। ଏଠାରେ ମୋଟ୍ ପକ୍ଷୀ ସଂଖ୍ୟା ୧୧ଲକ୍ଷ ୨୭ହଜାର ୨୨୮ ବୋଲି ଆକଳନ କରାଯାଇଛି। ଏଥିରୁ ବିଦେଶାଗତ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ପକ୍ଷୀ ରହିଛି। ୮୭ ପ୍ରଜାତିରେ ୪୦ ହଜାର ଦେଶୀୟ ପକ୍ଷୀ ମଧ୍ୟ ଚିଲିକାରେ ଚିହ୍ନଟ।
ହୀରାକୁଦରେ ୧୨୨ ପ୍ରଜାତିର ୩ ଲକ୍ଷ ୭୭ ହଜାର ଓ ଭିତରକନିକାରେ ୧୧୮ ପ୍ରଜାତିର ୧ ଲକ୍ଷ ୫୧ ହଜାର ପକ୍ଷୀ ଚିହ୍ନଟ କରାଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ହୀରାକୁଦ ଓ ଭିତରକନିକାରେ ପକ୍ଷୀଙ୍କ ସଂଖ୍ୟା ବଢ଼ି ଥିବା ଜଣାପଡ଼ିଛି।
ଗଲାବର୍ଷ ଚିଲିକାକୁ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଆସିଥିଲେ। ଏହି ଆଧାରରେ ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ୧୦ହଜାର କମିଛି। କିନ୍ତୁ, ଶୁଭଙ୍କର କଥା ହେଲା, ଗଲାବର୍ଷ ଅପେକ୍ଷା ଚିଲିକାରୁ ଚଳିତବର୍ଷ ୯ଗୋଟି ପ୍ରଜାତି ବଢ଼ିଛନ୍ତି। ଗଲାବର୍ଷ ଚିଲିକାରେ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ୧୮୭ ଥିଲା, ଚଳିତବର୍ଷ ତାହା ୧୯୬କୁ ବୃଦ୍ଧି ପାଇଛି।
ଚିଲିକାରେ ପକ୍ଷୀ ସଂଖ୍ୟା କମ୍ ହୋଇଛି ତାହା ନୁହେଁ, ପକ୍ଷୀ ଅଭୟାରଣ୍ୟ ନଳବଣରେ ବି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି। ଗଲାବର୍ଷ ପକ୍ଷୀ ଅଭୟାରଣ୍ୟ ନଳବଣରେ ମୋଟ୍ ୩ଲକ୍ଷ ୪୭ହଜାର ୨୮୦ଟି ପକ୍ଷୀଙ୍କ ସମାଗମ ଆକଳନ ହୋଇଥିଲା। ଚଳିତବର୍ଷ ତାହା ୩ଲକ୍ଷ ୪୩ହଜାର ୨୩୬କୁ ଖସିଛି। ଅର୍ଥାତ୍, କେବଳ ନଳବଣରେ ୪ହଜାରରୁ ଅଧିକ ପକ୍ଷୀଙ୍କ ସଂଖ୍ୟାରେ ହ୍ରାସ ପାଇଛି। ନଳବଣରେ ପକ୍ଷୀ ପ୍ରଜାତି ସଂଖ୍ୟା ୯୨ ରହିଛି।
ଚଳିତବର୍ଷର ଚିଲିକାକୁ ମୋଟ୍ ୧୧ଲକ୍ଷ ୨୭ହଜାର ପକ୍ଷୀଙ୍କ ମଧ୍ୟରୁ ବିଦେଶୀ ପକ୍ଷୀ ଆସିଛନ୍ତି ୧୦୯ ପ୍ରଜାତିର। ସେମାନଙ୍କ ସଂଖ୍ୟା ୧୦ଲକ୍ଷ ୮୭ହଜାର ୨୨୬। ସେହିପରି ଦେଶୀୟ ପକ୍ଷୀ ୮୭ ପ୍ରଜାତିର ଗଣନା କରାଯାଇଥିବା ବେଳେ ସଂଖ୍ୟା ୪୦ହଜାର ୨୯ଟି ବୋଲି ଗଣନା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗଙ୍କ ସଂଖ୍ୟା ୨୬୩୮ ଥିବା ରିପୋର୍ଟରୁ ଜଣାପଡିଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ଗଡ଼ୱାଲ ୨ଲକ୍ଷ ୧,୯୨୬, ନର୍ଦନ ପ୍ରିଣ୍ଟଲ ୧ଲକ୍ଷ ୯୩ହଜାର ୩୮୪ ଥିବା ବେଳେ ୟୁରାସିୟମ ୟୁଜିଅନ ୧ଲକ୍ଷ ୫୪ହଜାର ୯୩୭ ଥିବା ଜଣାପଡ଼ିଛି। ସର୍ବାଧିକ ପକ୍ଷୀ ବାଲୁଗାଁ ରେଞ୍ଜ ଅନ୍ତର୍ଗତ ନଳବଣରେ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ଟାଙ୍ଗୀ ରେଞ୍ଜର ମଙ୍ଗଳାଯୋଡ଼ି ,ଭୂଷଣ୍ଡପୁର ଏବଂ ସର୍ବନିମ୍ନ ରମ୍ଭା ରେଞ୍ଜରେ ପକ୍ଷୀମାନଙ୍କୁ ଠାବ କରାଯାଇଛି।
ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଓ ଚିଲିକା ଉନ୍ନୟନ କର୍ତୃପକ୍ଷର ମିଳିତ ସହଯୋଗରେ ଅନୁଷ୍ଠିତ ପକ୍ଷୀ ଗଣନା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ୫ଟି ରେଞ୍ଜ ଚିଲିକା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ରମ୍ଭା ରେଞ୍ଜ୍ କୁ ୨୧ଟି ଜୋନରେ ବିଭକ୍ତ କରାଯାଇଥିଲା। ମୋଟ୍ ୧୩୦ଜଣ ଗଣନାକାରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ସଡ଼କ ପଥରେ ୨ଟି ଜୋନ ଓ ଜଳପଥରେ ୧୯ଟି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଜି ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିଲା। ବରିଷ୍ଠ ଅଧିକାରୀ ବିକାଶ ରଞ୍ଜନ ଦାସ, ଗବେଷକ ଆର. ସାମଲ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ,ଏସିଏଫ ପ୍ରମୋଦ କୁମାର ସେଠୀ, ରେଞ୍ଜର ରଶ୍ମିତା ଜେନା ପ୍ରମୁଖଙ୍କ ସମେତ ସିଡ଼ିଏର କର୍ତ୍ତୃପକ୍ଷ, ଓୟୁଏଟି, ୱାଇଲଡ଼ ଓଡ଼ିଶା, ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।