ବାରଙ୍ଗ: ରାଜଧାନୀ ଭୁବନେଶ୍ବରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏହି ପ୍ରାଣୀ ଉଦ୍ୟନରେ ୪ଟି ବାଘ ଶାବକ ଜନ୍ମ ନେଇଛନ୍ତି। ଏମାନଙ୍କୁ ବାଘୁଣୀ ‘ରୁପା’ ଜନ୍ମ ଦେଇଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ଆଗାମୀ ଦିନରେ ନୂଆ ଅତିଥିମାନଙ୍କର ନାମକରଣ ହେବ। ୬ବର୍ଷ ବୟସର ରୁପା ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ମହାବଳ ବାଘ ‘ରୋଶନ’ ଓ ବାଘୁଣୀ ‘ବିଜୟା’ଙ୍କ ମିଳନରୁ ଜନ୍ମ ନେଇଥିଲା। 

Advertisment

ବାଘୁଣୀ ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି। ସେ ପ୍ରଥମ ଥର ପାଇଁ ୨୦୨୨ ମାର୍ଚ୍ଚ ୧୧ ତାରିଖରେ ମା’ ହୋଇଥିଲା। ମହାବଳ ବାଘ ‘ରାଜେଶ’ ସହିତ ମିଳନରୁ ୩ ଶାବକ ଜନ୍ମ ଦେଇଥିଲା। ଏଥିରୁ ୨ଟି ଶାବକ ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା। କିନ୍ତୁ ତୃତୀୟ ଶାବକ ହିମାଂଶୀକୁ ପ୍ରାଣୀ ଅଦଳବଦଳ କ୍ରମେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଚକଲାସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନକୁ ଚଳିତ ବର୍ଷ ଜୁଲାଇ ୯ ତାରିଖରେ ପଠାଯାଇଥିଲା। 

ରୁପା ଦ୍ବିତୀୟ ଥର ପାଇଁ ରାଜେଶ ସହିତ ମିଳନରୁ ଗତ ବର୍ଷ ଜାନୁଆରି ୬ ତାରିଖରେ ମା’ ହୋଇଥିଲା। ଗତ ବର୍ଷ ସେ ଦୁଇଟି ଶାବକ (ଅମ୍ରିତା ଓ ଶିବା)ଙ୍କୁ ଜନ୍ମ ଦେଇଥିଲା। ବର୍ତ୍ତମାନ ଏହି ଦୁଇ ଶାବକ ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି। 

publive-image

ରୁପା ଆଜି ସକାଳ ୫ଟା ୪୩ରେ ପ୍ରଥମ ଶାବକକୁ ଜନ୍ମ ଦେଇଥିଲା। ଏହା ପରେ ପୂର୍ବାହ୍ଣ ୬ଟା ୨୨, ୭ଟା ୪୯ ଓ ୯ଟା ୩୧ରେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଶାବକଙ୍କୁ ଜନ୍ମ ଦେଇଥିଲା। ରୁପାର ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି।

-ନନ୍ଦନକାନନ କର୍ତ୍ତୃପକ୍ଷ 

 

ସୂଚନାଯୋଗ୍ୟ, ନନ୍ଦନକାନନର ଅନ୍ୟତମ ଆକର୍ଷଣ ବାଘମାନଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବାରେ ଲାଗିଛି। ଆଜି ୪ଟି ଶାବକ ଜନ୍ମ ନେଲା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ତେବେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବୃଦ୍ଧି ଘଟିଥିବାରୁ ପଶୁପ୍ରେମୀ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।