ରାଉରକେଲା: ରାଉରକେଲା କେବଳ ଇସ୍ପାତନଗରୀ ନୁହେଁ, ବରଂ ଶିକ୍ଷାନଗରୀଭାବେ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏବେ କିନ୍ତୁ ତା’ର ଓଲଟା ଦେଖିବାକୁ ମିଳୁଛି। ସମ୍ଭବତଃ, ସହରରେ ନୂଆ ଉଚ୍ଚ ଶିକ୍ଷାର ଅଭାବ ଯୋଗୁଁ ଶିକ୍ଷାନଗରୀ ମାନ୍ୟତା ହରାଇବାରେ ଲାଗିଛି। କେବଳ ରାଉରକେଲା ନୁହେଁ, ବରଂ ସମଗ୍ର ଜିଲ୍ଲାରେ ଉଚ୍ଚଶିକ୍ଷା ସଂପୂର୍ଣ୍ଣ ଭୁଶୁଡ଼ିପଡ଼ିଛି କହିଲେ ଅତ୍ୟୁକ୍ତି ହେବନାହିଁ। ୨୫ ବର୍ଷର ବିଜେଡି ସରକାର ଅମଳରେ କେବଳ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ମୁଖ୍ୟାଳୟକୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଗୋଟିଏ ବି ଉଚ୍ଚଶିକ୍ଷାନୁଷ୍ଠାନ ନିର୍ମାଣ ହୋଇପାରିଲାନି। ନୂତନ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ପ୍ରତିଶ୍ରୁତି, ଘୋଷଣା କରାଯାଇଥିଲେ ମଧ୍ୟ ତାହା ବାସ୍ତବ ରୂପ ନେଇପାରିନି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାବେଳେ ପୂର୍ବବତ୍ ଏଭଳି ଅବହେଳା ଅବ୍ୟାହତ ରହିବ ନା ଏନେଇ ପଦକ୍ଷେପ ନେବେ, ତାହା ସମୟ କହିବ।
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଉଚ୍ଚଶିକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ହେଲାଣି। ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାପନ ପାଇଁ ଜିଲ୍ଲାବାସୀ ଦାବି କରୁଛନ୍ତି, କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ପଡ଼ୁନି। ବିଶେଷକରି ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଦୁଇ ଦଶନ୍ଧିରୁ ଅଧିକ ସମୟହେଲା ଦାବି ହେଉଛି। ୧୯୬୧ ମସିହା ଅଗଷ୍ଟ ୧୬ ତାରିଖରେ ସ୍ଥାପିତ ଏହି ମହାବିଦ୍ୟାଳୟରେ ବର୍ତ୍ତମାନ ପାଖାପାଖି ୬ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଠାରେ ୩୧ଟି ଡିଗ୍ରୀ କୋର୍ସ ଓ ୨୭ଟି ପୋଷ୍ଟ୍ଗ୍ରାଜୁଏଟ୍ କୋର୍ସ୍ ରହିଛି। ରାଉରକେଲାରୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ଦୂରତା ପାଖାପାଖି ୧୮୦ କିଲୋମିଟର ଥିବାବେଳେ ବିଶ୍ବବିଦ୍ୟାଳୟ ଅଧିନରେ ମାତ୍ରାଧିକ କଲେଜ ରହିଛି, ଯଦ୍ବାରା ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଅବିଳମ୍ବେ ସେବା ମିଳିପାରୁନି। ବିଶ୍ବବିଦ୍ୟାଳୟହେଲେ ଭିତ୍ତିଭୂମି ବିକାଶରେ ଜମିଅଭାବ ବି ରହିବନାହିଁ। ବିଗତ ଦିନରେ ରାଜ୍ୟର ଏକାଧିକ ପୁରୁଣା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଇଥିଲେ ମଧ୍ୟ ରାଉରକେଲା ସରକାରୀ ସ୍ବୟଶାଂସିତ ମହାବିଦ୍ୟାଳୟକୁ ବିଚାରକୁ ନିଆନଯିବା, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ଏତଦ୍ବ୍ୟତୀତ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଯୋଗାଇବା ତଥା ଦକ୍ଷତା ବିକାଶ ପାଇଁ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ବହୁବର୍ଷ ହେଲା ଦାବି ହେଉଛି। ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନହେଲେ ସ୍ଥାନୀୟ ଛାତ୍ରଛାତ୍ରୀ ଆଦିବାସୀ କଳା, ଦର୍ଶନ ଏବଂ ମ୍ୟୁଜିଓଲୋଜି, ବାଣିଜ୍ୟ, ପ୍ରତ୍ନତତ୍ତ୍ୱ, ବିଜିନେସ୍ ମ୍ୟାନେଜମେଣ୍ଟ୍ ଭଳି ଶିକ୍ଷା ଗ୍ରହଣ କରିପାରିବେ। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟକୁ ଆଦିବାସୀ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି ହେଉଛି। ଖୋଦ୍ ସୁନ୍ଦରଗଡ଼ ସାଂସଦ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବାସତ୍ତ୍ବେ ଦାବିପୂରଣ ହୋଇପାରୁନି।
ପୂର୍ବରୁ ଏକାଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାପନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି। ଗତ ୨୦୧୫ ମାର୍ଚ୍ଚ ୪ ତାରିଖରେ ରାଜ୍ୟ ସରକାର ରାଉରକେଲାରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍(ଏକ୍ସଆଇଏମ୍)ର ଦ୍ବିତୀୟ ଶାଖା ସ୍ଥାପନ କରିବାକୁ ଘୋଷଣା କରିଥିଲେ। ପ୍ରକୃତରେ ଉକ୍ତ ଘୋଷଣା କେବଳ ରାଉରକେଲାବାସୀଙ୍କ ଅସନ୍ତୋଷକୁ ଶାନ୍ତ କରିବାର ଏକ ସୁଚିନ୍ତିତ ଷଡ୍ଯନ୍ତ୍ର ଥିଲା। ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ସମ୍ମତି ଦେବାପରେ ରାଉରକେଲାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ଓଡ଼ିଶାରେ ଦ୍ବିତୀୟ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍) ସ୍ଥାପନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏଣୁ ଆଇଆଇଏମ୍ ପାଇଁ ଉଭୟ ରାଉରକେଲା ଓ ସମ୍ବଲପୁରରେ ପ୍ରବଳ ଦାବି ହୋଇଥିଲା। ଉଭୟ ସହରରେ ଜନସାଧାରଣ ଆନ୍ଦୋଳନ, ବିକ୍ଷୋଭ, ରାସ୍ତାରୋକ କରିଥିଲେ। ଫଳରେ କେନ୍ଦ୍ର ସରକାର ସ୍ଥାନ ନିରୂପଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ତତ୍କାଳୀନ ରାଜ୍ୟସରକାର ରାଜନୈତିକ ଗୋଟିଚାଳନା କରି ସମ୍ବଲପୁର ନାଁରେ ଆନୁଷ୍ଠାନିକ ମୋହର ମାରିବାରୁ ଆଇଆଇଏମ୍ ପାଇବାରୁ ବଞ୍ଚିତ ହୋଇଥିଲେ ସହରବାସୀ। ଏବେ ରାଜ୍ୟରେ ନୂଆ ସରକାର ଶାସନକୁ ଆସିଥିବା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବାରୁ ଏହି ଚିରାଚରିତ ଅବହେଳାର ଅନ୍ତ ହେବା ଆଶାକରାଯାଉଛି।