ଭୁବନେଶ୍ବର: ବିଜେଡିରୁ ପୁଣି ଜଣେ ଚର୍ଚ୍ଚିତ ନେତା ବିଦାୟ ନେଇଛନ୍ତି। ବିଜୁ ଜନତା ଦଳ (ବିଜେଡି)ର ସଭ୍ୟ ସଂଗ୍ରହ ଅଭିଯାନ ଜାରି ଥିବା ବେଳେ ଦଳରୁ ନେତା ମୁହଁ ଫେରାଉଛନ୍ତି। କଟକ ଜିଲ୍ଲାରୁ ଦଳର ଜଣେ ଜଣାଶୁଣା ନେତା ଶଙ୍ଖ ଛାଡ଼ି ଦେଇଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ କଟକ-ବାରବାଟୀ ଆସନରୁ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ଗୁରୁବାର ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ତେବେ ପ୍ରକାଶ ବେହରାଙ୍କ ଆଗାମୀ କାର୍ଯ୍ୟକ୍ରମ କ’ଣ ରହିବ ଏନେଇ ଜଣାପଡ଼ି ନାହିଁ। ସମ୍ଭବତଃ ଏବାବଦରେ ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିପାରନ୍ତି।
ଏହି ଖବର ପଢ଼ନ୍ତୁ: ବିଜେଡିରେ ଯୋଗଦେଇ କ’ଣ କହିଥିଲେ ପ୍ରକାଶ
ପ୍ରକାଶ ବେହେରା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇସ୍ତଫା ପତ୍ରରେ କହିଛନ୍ତି, ବହୁ ଚିନ୍ତନ ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଅଛି। ଆପଣ ମୋତେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଉଛି ଓ ଆପଣଙ୍କ ନେତୃତବକୁ ସମ୍ମାନ ଜଣାଉଛି। ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଯୋଡ଼ିହୋଇ ରହୁଥିବା ବ୍ୟକ୍ତିତ୍ବ। ତେଣୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେ କଲି। ବାରବାଟୀ-କଟକ ଜନତା ଅତି ସ୍ବଳ୍ପ ସମୟ ମଧ୍ୟରେ ଯେଉଁଭଳି ଭାବେ ମୋତେ ସମର୍ଥନ ଦେଇଛନ୍ତି, ସେଥିପାଇଁ କୃତଜ୍ଞ। କଟକର ଜନସାଧାରଣ ଓ କର୍ମକର୍ତ୍ତାମାନେ କଟକର ସମସ୍ୟା ବାବଦରେ ମୋର ଆବଶ୍ୟକତା ଯେତେବେଳେ ଅନୁଭବ କରିବେ, ମୁଁ ମୋର କର୍ତ୍ତବ୍ୟ ପ୍ରତିପାଦନ କରିବାରେ ଅବହେଳା କରିବି ନାହିଁ। ଟାଙ୍ଗୀ, ସାଲେପୁରର ଗୁରୁଜନ, ଭାଇ-ଭଉଣୀ ମୋର ସଂଘର୍ଷ ସହ ଦୀର୍ଘ ୨୫ ବର୍ଷ ହେବ ଯୋଡ଼ି ହୋଇ ରହିଛନ୍ତି ଓ ମୁଁ ସର୍ବଦା ସେମାନଙ୍କର ଆଶୀର୍ବାଦ ଓ ସହଯୋଗ ପାଇ ଆସିଛି। ସେମାନଙ୍କ ସହ ସର୍ବଦା ମୁଁ ଯୋଡ଼ି ହୋଇ ରହିଛି ଓ ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟରେ କେବେବି ଅବହେଳା କରିନାହିଁ। ସାରାଜୀବନ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି।
ସାଧାରଣ ନିର୍ବାଚନ-୨୦୨୪ ସମୟରେ ବିଜେପିର ରାଷ୍ଟ୍ରୀୟ ସ୍ତରୀୟ ନେତା କହୁଥିଲେ, ବିଜେଡିରେ ବିସ୍ଫୋରଣ ହେବ। ୬ ମାସ ମଧ୍ୟରେ ବିଜେଡି ଭାଙ୍ଗିଯିବ। ତେବେ ୬ ମାସ ଭିତରେ ବିଜେଡି ଭାଙ୍ଗିବ କି ନାହିଁ ତାହା ଭିନ୍ନ କଥା। କିନ୍ତୁ ଦଳ ଠିକ୍ଠାକ ଚାଲୁ ନଥିବା ଚର୍ଚ୍ଚା ହେଉଛି। କାରଣ ସାଧାରଣ ନିର୍ବାଚନ ପରେ ବିଜେଡିର ୨ ଜଣ ରାଜ୍ୟସଭା ସାଂସଦ ଶଙ୍ଖ ଫୁଙ୍କିବା ଛାଡ଼ିଛନ୍ତି।
ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ପୂର୍ବରୁ ବିଜେପି ଛାଡ଼ି ପ୍ରକାଶ ବେହେରା ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ବାରବାଟୀ-କଟକ ଆସନରୁ ପ୍ରାର୍ଥୀ କରାଇଥିଲା। ଏଠାରେ ପ୍ରାର୍ଥୀ ହେଲା ପରେ ସେ ଖୁସି ବ୍ୟକ୍ତ କରିଥିଲେ। ଏକଦା ସେ କହିଥିଲେ, ମୋ ପାଇଁ କଟକ ବାରବାଟୀ ନୂଆ ନୁହେଁ । ଗତ ୨୦ ବର୍ଷ ହେବ ମୁଁ ଏଠାରେ ରାଜନୀତି କରୁଛି। ବିଭିନ୍ନ ରାଜନୈତିକ ଦାୟିତ୍ୱ ଓ ପଦପଦବିରେ ଏଠାରେ ଥିଲି। କିନ୍ତୁ ସିଧାସଳଖ ଭାବେ କଟକ ବାରବାଟୀରୁ ନିର୍ବାଚନ ଲଢ଼ି ନାହିଁ। କଟକରେ ସଂଗଠନ ରହିଛି। ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏକ ସମ୍ମାନସ୍ପଦ ସ୍ଥାନରେ ପ୍ରାର୍ଥୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ଓ ଆକାଂକ୍ଷା ରଖିଛନ୍ତି, ତାକୁ ପୂରଣ କରିବାକୁ ଚେଷ୍ଟା କରିବି।
ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ସାଧାରଣ ନିର୍ବାଚନ ପୂର୍ବରୁ କଟକ ଜିଲ୍ଲା ବିଜେପି ସଭାପତି ଥିଲେ। ସେ ଗତ ମାର୍ଚ୍ଚ ମାସରେ ତାଙ୍କ ସମର୍ଥକମାନଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ କେନ୍ଦ୍ରାପଡ଼ା ବିଜେଡିର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ବିଜେପିରେ ମିଶିବା ପୂର୍ବରୁ ସେ ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ। ସେ ଭାଜପାର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦେଶ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ।