ଭୁବନେଶ୍ବର: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ସରକାରରେ ବିରୋଧୀ ଦଳ ‘ବିଜୁ ଜନତା ଦଳ’ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି। ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବ ବୋଲି ଅଣ୍ଟା ଭିଡ଼ିଛି। ଆଜି ସକାଳ ୬ଟାରୁ ଦିବା ୨ ଘଣ୍ଟିକା ପର୍ଯ୍ୟନ୍ତ ୮ ଘଣ୍ଟା ବନ୍ଦ ଡାକରା ଦେଇଛି ବିଜେଡ଼ି। 

Advertisment

518339085_1261467212006471_2643389524715129029_n

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜୁ ଜନତା ଦଳ ମଙ୍ଗଳବାର ରାଜ୍ୟବ୍ୟାପି ଆନ୍ଦୋଳନ କରିଥିଲା। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ପ୍ରଶାସନିକ ଅବହେଳା ପାଇଁ  ନିରୀହ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ଶେଷରେ ମୃତ୍ୟ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ବୋଲି କହିଥିଲା। 

ସୂଚନାଯୋଗ୍ୟ, କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। 

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ପଳାସିଆ ମଶାଣିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୀଡିତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପୂର୍ବରୁ ପରିବାରରେ କାନ୍ଦବୋବାଳି ଦେଖାଯାଇଥିଲା। ପୀଡିତାଙ୍କ ଗାଁ ସ୍ତବ୍ଧ ହୋଇପଡ଼ିଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅଶ୍ରୁଳ ଲୁହରେ ସୌମ୍ୟାଶ୍ରୀଙ୍କୁ ବିଦାୟ ଦିଆଯାଇଥିଲା। ଏହି ଘଟଣା ନେଇ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। 

Balasore | BJD