ଯାଜପୁର: ଏକଦା ବିଜେଡିର ଗଡ଼ ଥିବା ଯାଜପୁରରେ ଏବେ ଗୋଟିଏ ‌ପରେ ଗୋଟିଏ ସ୍ଥାନରେ ଦଳ ଭୁଶୁଡ଼ିବା ଆରମ୍ଭ କରିଛି। ୨୦୨୪ ସାଧାରଣ ନିର୍ବାଚନରେ ଜିଲ୍ଲାର ଲୋକସଭା ଆସନ ସହିତ ଅଧାରୁ ଅଧିକ ବିଧାନସଭା ଆସନ ହରାଇଥିଲା ବିଜେଡି। ଧର୍ମଶାଳାରେ ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ଓ ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫାର ସପ୍ତାହେ ନପୂରୁଣୁ ଆଜି ବଡ଼ଚଣା ବ୍ଲକ୍‌ର ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ସହସ୍ରାଧିକ କର୍ମୀ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। 

Advertisment

ଆଜି ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣପର୍ବରେ ବଡ଼ଚଣା ବ୍ଲକ୍‌ ଅଧ୍ୟକ୍ଷା ମିନତି ସେନାପତି, ଉପାଧ୍ୟକ୍ଷ ବିଭାସଚନ୍ଦ୍ର ନନ୍ଦ, ବଡ଼ଚଣା ବ୍ଲକ୍‌ ବିଜେଡି ପୂର୍ବତନ ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।ବଡ଼ଚଣା ବ୍ଲକ୍‌ର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର କୁମାର ନାୟକ, ଦର୍ପଣ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ରଞ୍ଜନ କୁମାର ଦାସ, ବଡ଼ଚଣା ସମିତିସଭ୍ୟ ତଥା ସଂଘ ସଭାପତି ମଧୁସୂଦନ ବଳ, ଭୁଷଣ୍ଡପୁର ସରପଞ୍ଚ ଯଯାତିକେଶରୀ ରାଉତ, ସିହା ସରପଞ୍ଚ ସୁଶ୍ରୀ ମିଶ୍ର, ଧାନମଣ୍ଡଳ ସରପଞ୍ଚ ନବଦୀପ ନାୟକ, ବଡ଼ଘୁମୁରି ସରପଞ୍ଚ ଅକ୍ଷୟ କୁମାର ରାଉତରାୟ, ଅଣକା ସରପଞ୍ଚ ଦେବଯାନୀ ମହାପାତ୍ର, ସମିତିସଭ୍ୟା ରଶ୍ମିତା ସ୍ୱାଇଁ, ମାଣ୍ଡୁକା ସମିତିସଭ୍ୟା ମିନତି ଦଳେଇ, ଚାରିନଙ୍ଗଳ ସମିତିସଭ୍ୟା ଚନ୍ଦ୍ରକଳା ଜେନା, ନଳୀପୁର ସରପଞ୍ଚ ସେକ୍ ଗନି, ପତରାଜପୁର ସରପଞ୍ଚ ତନୁଶ୍ରୀ ଦାସ, ଭରତପୁର ସରପଞ୍ଚ ବିଭୂତିଭୂଷଣ ସାମଲ, ସମିତିସଭ୍ୟା ଦୁର୍ଗାବତୀ ସାମଲ, ବାଲିପଡ଼ିଆ ସମିତିସଭ୍ୟା ମନୋରମା ଭଞ୍ଜ, ବଡ଼ବାଲିକୁଦା ସମିତିସଭ୍ୟା କାମିନୀ ନାୟକ, ବରପଦା ପଞ୍ଚାୟତ ସମିତିସଭ୍ୟା ସ୍ମରଣିକା ବଳ, ମାଣ୍ଡୁକା ସରପଞ୍ଚ ପ୍ରଭାସିନୀ ମଲିକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। 

ସେହିପରି ବଡ଼ଚଣା ଆତ୍ମା କମିଟି ଅଧ୍ୟକ୍ଷ ବିପିନ ବିହାରୀ ଜେନା, ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ସେନାପତି, ଜିଲ୍ଲାପରିଷଦ ସଭ୍ୟା ବିନୋଦିନୀ ସାହୁ, ପୂର୍ବତନ ସରପଞ୍ଚ ମାନସୀ ଜେନା, ମୋନାଲିସା ତରାଇ, ପୂର୍ବତନ ସରପଞ୍ଚ ମାନସରଞ୍ଜନ ପଣ୍ଡା, ସମିତିସଭ୍ୟ ସେକ୍ ମୋଇନି ଅହମ୍ମଦ, ପୂର୍ବତନ ସରପଞ୍ଚ ଯୁଗଳକିଶୋର ଖିଲାର, ପୂର୍ବତନ ପଞ୍ଚାୟତ ସଭାପତି ଶିବଶଙ୍କର ପରିଡ଼ା, ପୂର୍ବତନ ସମିତିସଭ୍ୟ ବାନାମ୍ବର ଲେଖା, ଯୁବ ସଭାପତି ନିରଞ୍ଜନ ସ୍ୱାଇଁ, ପୂର୍ବତନ ସରପଞ୍ଚ ଅମୂଲ୍ୟ ଦାସ, ପୂର୍ବତନ ସମିତିସଭ୍ୟ ଅମିୟ ବିଶ୍ୱାଳ, ଭରତପୁର ପଞ୍ଚାୟତ ସଭାପତି ମଧୁସୂଦନ ସାମଲ, ବୈରୀର ସୁଜିତ୍ କୁମାର ସାହୁ, ବନ୍ଦାଳର ସଭାପତି ଅଜୟ କୁମାର ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ଆନନ୍ଦଚନ୍ଦ୍ର ଜେନା, ପୂର୍ବତନ ସଭାପତି ପଦ୍ମଲାଭ ସାମଲ, ନଳୀପୁରର ସଂଖାଲଘୁ ନେତା ନିୟାଜଉଦ୍ଦିନ ଖାଁ, ସମବାୟ ନେତା ସେକ୍ ନୁରଉଦ୍ଦିନ୍‌, ପୂର୍ବତନ ସଭାପତି ଗୋବିନ୍ଦଚନ୍ଦ୍ର ସାହାଣୀ, ବିଜୟ କୁମାର ପଣ୍ଡା, ଅଖିଳ ବଳ, ଛାତ୍ର ସଭାପତି ବଟକୃଷ୍ଣ ବଳ, ଭୁଷଣ୍ଡପୁରର ଅଜିତ କୁମାର ରାଉତ, ଖଇରାର ପୂର୍ବତନ ସମିତିସଭ୍ୟ କିଶୋର ସାମଲ, ରାଧାଦେଇପୁର ପଞ୍ଚାୟତ ନାଏବ ସରପଞ୍ଚ ପ୍ରତାପ ସାହୁ, ଗୋପାଳପୁରର ପୂର୍ବତନ ସମିତିସଭ୍ୟ ସୁଧୀର ମଲ୍ଲିକ, ବରପଦାର ଗୌରାଙ୍ଗ ଚରଣ ଦାସ, କାଇମାଟିଆ ପଞ୍ଚାୟତ ସଭାପତି ଘନଶ୍ୟାମ ସାମଲ, ପୂର୍ବତନ ସମିତିସଭ୍ୟ ଅନିରୁଦ୍ଧ ରାଉତ, ବଡ଼ବାଲିକୁଦା ପଞ୍ଚାୟତର ପତିତପାବନ ନାୟକଙ୍କ ସମେତ ୨ହଜାରରୁ ଊର୍ଦ୍ଧ୍ୱ ସମର୍ଥକ ବିଜେପିରେ ଯୋଗଦେଇଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଦଳକୁ ସ୍ୱାଗତ କରିଥିଲେ। ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ରାଜ୍ୟ ଉପସଭାପତି ବିରଞ୍ଚିନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର ଓ ଯାଜପୁର ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଅମରଙ୍କ ବିସ୍ଫୋରକ ବୟାନ: ସବୁଠି ଭୁଶୁଡ଼ିଲାଣି ବିଜେଡି

ରବିବାର ବଡ଼ଚଣାର ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ୨ ହଜାରରୁ ଅଧିକ ସମର୍ଥକ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଅମର ଶତପଥୀ ବିସ୍ଫୋରକ ବୟାନ ଦେଇଛନ୍ତି। ଶ୍ରୀ ଶତପଥୀ କହିଛନ୍ତି, କର୍ମୀ ସେତେବେଳେ ଦଳ ଛାଡ଼ନ୍ତି ଯେତେବେଳେ ନେତୃତ୍ୱ ଉପରେ ଅନାସ୍ଥା ଆସେ ବା ଭରସା ପାଏ ନାହିଁ। କର୍ମୀ ଦଳ ଛାଡ଼ିବା ଏକ ଦୁର୍ଭାଗ୍ୟଜନକ କଥା। ଏଥିପାଇଁ ବିଜେଡି ହିଁ ଦାୟୀ ବୋଲି ଅମର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କେବଳ ବଡ଼ଚଣା ନୁହେଁ; ରାଜ୍ୟର ସବୁ ସ୍ଥାନରେ ବିଜେଡି ଭୁଶୁଡ଼ି ପଡ଼ିଲାଣି। ବଡ଼ଚଣା ବିଜେଡିର ଦୁର୍ଗ ଥିଲା। ଅତୀତରେ କୋରେଇ ହେଉକି ଧର୍ମଶାଳା ସେଠାରେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପ୍ରାର୍ଥୀ ଶତପ୍ରତିଶତ ଜିତିପାରିନଥିବା ବେଳେ ବଡ଼ଚଣାରେ ଜିତିଥିଲେ। ଦୁଭାର୍ଗ୍ୟ ହେଉଛି ଆମେ ଦଳକୁ ସଙ୍ଗଠିତ କରି ରଖିଥିଲୁ। କିନ୍ତୁ ସଂଗଠନକୁ ଭାଙ୍ଗିବା ପ୍ରକ୍ରିୟା ପ୍ରଥମେ ଭୁବନେଶ୍ୱରରୁ ହିଁ ଆରମ୍ଭ ହୋଇଥିଲା। ଯେଉଁମାନେ ଭାବୁଛନ୍ତି ଆମର ସବୁକିଛି ଠିକ୍‌ ଅଛି ସେମାନେ ସ୍ବପ୍ନରାଜ୍ୟରେ ଅଛନ୍ତି, ବାସ୍ତବ ରାଜ୍ୟରେ ନାହାନ୍ତି ବୋଲି ସେ ଜୋର୍‌ ଦେଇ କହିଛନ୍ତି।

BJD