ସମ୍ବଲପୁର: ପବିତ୍ର ‘ନୂଆଁଖାଇ’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ସିଏମ୍‌ କିଷାନ ଯୋଜନା ଓ କୃଷିଭିତ୍ତିକ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶ୍ରୁତି ପୂରଣରେ ନିଜ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଥିବା ବେଳେ ଗତ ବିଜେଡି ସରକାରଙ୍କୁ ଟାର୍ଗେଟ କରି ସେମାନେ ଚାଷୀମାନଙ୍କୁ ହତାଶ କରିଥିବା ‌ବେଳେ ଆମେ ସେମାନଙ୍କୁ ବିକାଶ ପଥରେ ଆଗେଇ ନେବୁ ବୋଲି କହିଥିଲେ। 

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ସିଏମ୍‌ କିଷାନ ଯୋଜନାରେ ଓଡ଼ିଶାର ପ୍ରାୟ ୪୬ ଲକ୍ଷ ଚାଷୀ ଉପକୃତ ହେବେ। ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତିରେ ‘ନୂଆଁଖାଇ’ ଓ ଅକ୍ଷୟ ତୃତୀୟାରେ ଚାଷୀମାନଙ୍କୁ ସହାୟତା ଦିଆଯିବ। ଏହା ବ୍ୟତୀତ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀମାନଙ୍କ ସନ୍ତାନମାନଙ୍କୁ ଉଚ୍ଚଶିକ୍ଷା ତଥା ବୈଷୟିକ ଶିକ୍ଷା ନିମନ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ଯୋଜନା ଉଭୟ ଯୋଜନାର ସୁଫଳ ସ୍ବରୂପ ଚାଷୀମାନେ ବାର୍ଷିକ ୧୦ ହଜାର ଟଙ୍କା ପାଇବେ। ତେବେ, ଏଥିରେ ରହିଥିବା କେତୋଟି ବୈଷୟିକ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ଚାଲିଛି। ଏଥିପାଇଁ ୨ ମାସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବା ପରେ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରାଯିବ। ରାଜ୍ୟ ସରକାରଙ୍କ କୃଷକ ଓଡ଼ିଶା ୟୁନିଫାଏଡ଼୍‌ ପୋର୍ଟାଲ ଦ୍ବାରା ମଧ୍ୟ ଚାଷୀମାନେ ବେଶ୍‌ ଉପକୃତ ହୋଇପାରିବେ। କୃଷକ ସମୃଦ୍ଧି ଯୋଜନାରେ ଖରିଫ ଧାନ ସଂଗ୍ରହ ସମୟରେ ଚାଷୀମାନଙ୍କୁ ପ୍ରତିଶ୍ରୁତି ମୁତାବକ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦିଆଯିବ।

ସୋହେଲାରେ ଘୋଷଣା କରିଥିବା ଶହେ ଟଙ୍କା ବିଜେଡି ସରକାର ଦେଇପାରି ନଥିବା ବେଳେ ଆମେ ଏହାର ୮ବର୍ଷ ପରେ କେନ୍ଦ୍ର ସରକାର ଦେଉଥିବା ଦର ଉପରେ କୁଇଣ୍ଟାଲ ପ୍ରତି ୮ଶହ ଟଙ୍କା ଅଧିକ ଦେବୁ। ଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ସରକାର ୩୫ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବାର ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିଲେ। ସେମାନଙ୍କ ଆଳୁ ମିସନ, ପିଆଜ ମିସନ ଆଦି ଅନେକ ସବୁ ମିସନ ଫେଲ୍‌ ମାରିଛି। ରାଜ୍ୟରେ ମାତ୍ର ୪ଟି ସରକାରୀ ଶୀତଳଭଣ୍ଡାର ରହିଛି। ଆମ ସରକାର ସାରା ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଉଛନ୍ତି। ହୀରାକୁଦ ସେଚାଞ୍ଚଳରେ ଥିବା କେନାଲଗୁଡ଼ିକର ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚାଇବା ପାଇଁ କେନାଲ୍ କ୍ରଂକ୍ରିଟକରଣ ନିମନ୍ତେ ୮୫୫ କୋଟି ଟଙ୍କା କ୍ୟାବିନେଟରେ ଅନୁମୋଦନ ଦିଆଯାଇଛି।

ଜଳଭଣ୍ଡାରଗୁଡ଼ିକର ଗେଟ୍‌ଗୁଡ଼ିକ ସ୍ବୟଂଚାଳିତ କରାଯିବା ପାଇଁ ବି ପଦକ୍ଷେପ ନିଆଯିବ। ପ୍ରଥମ ପର୍ଯ୍ୟାୟରେ ଉପଖଣ୍ଡ ସ୍ତରରେ ୫୮ଟି ଶୀତଳଭଣ୍ଡାର ନିର୍ମାଣ ପରେ ପ୍ରତ୍ୟେକ ବ୍ଲକ୍ ସ୍ତରରେ ଶୀତଳଭଣ୍ଡାର ନିର୍ମାଣ କରାଯିବ। କୃଷି ଓ କୃଷକଙ୍କ ବିକାଶକୁ ସର୍ବଦା ପ୍ରାଥମିକତା ଦିଆଯିବ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଶ୍ଚିମ ଓଡ଼ିଶାକୁ ଆମ ସରକାର ବହୁ ଗୁରୁତ୍ବ ଦେଉଛନ୍ତି ବୋଲି କହି ଗୁଜୁରାତର ସାବରମତୀ ରିଭରଫ୍ରଣ୍ଟ ପରି ମହାନଦୀ ରିଭରଫ୍ରଣ୍ଟକୁ ମଧ୍ୟ ବିକଶିତ କରାଯିବ। ଏଥି ସହିତ ସମ୍ବଲପୁରବାସୀଙ୍କ ବହୁଦିନର ଦାବି ଥିବା ଦ୍ବିତୀୟ ଏମ୍‌ସ ସ୍ଥାପନକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାରଙ୍କ ପାଖରେ ଆମେ ଦାବି ରଖିଛୁ ବୋଲି ସେ କହିଥିଲେ। 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ପ୍ରଧାନମନ୍ତ୍ରୀଙ୍କ ‘ହନୁମାନ’ ବୋଲି ଦର୍ଶାଇ କହିଲେ, ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ଯାହା କହିଥିଲେ, ସରକାର ହେବା ପରେ ସବୁ ପୂରଣ କରାଯାଉଛି। ଆମ ସରକାରର ପ୍ରାଥମିକତାରେ ରାଜ୍ୟର ଗରିବ, ଚାଷୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ବଞ୍ଚିତ ଓ ରାଜ୍ୟର ମହିଳାମାନେ ଅଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି। ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟିରୁ ଅଧିକ ମା’ ଭଉଣୀ ଉପକୃତ ହେବେ। ଅର୍ଥନୀତିଜ୍ଞମାନଙ୍କ ମତରେ, ସରକାର ଯଦି ମୁଣ୍ଡପିଛା ଟଙ୍କାଟିଏ ଖର୍ଚ୍ଚ କରନ୍ତି, ଅର୍ଥନୀତି ୪.୮ ଗୁଣା (ପାଖାପାଖି ୫ ଗୁଣା) ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଗ୍ରାମାଞ୍ଚଳ ଅର୍ଥନୀତି ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ସୁଭଦ୍ରା ଯୋଜନା ବଡ଼ ପଦକ୍ଷେପ। ସେ କହିଲେ, ଓଡ଼ିଶାରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବିଜୟ ହୋଇଛି।

ବିଜେପି ସରକାରରେ ସମ୍ବଲପୁର, ବଲାଙ୍ଗୀର ସମେତ ସବୁଠୁ ଶାସନ ଚାଲିବ। ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓଡ଼ିଶାର ବିକାଶ ପାଇଁ ମୋହନ ମାଝୀଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀ ଓ ଅଧିକାରୀମାନେ ଯୋଡ଼ି ହୋଇଥିଲେ। ସଭାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଆର୍‌ଡିସି ସଚିନ ରାମଚନ୍ଦ୍ର ଯାଦବ ଓ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ‌ବୋନ୍ଦର ମଂଚାସୀନ ଥିଲେ।