ଭୁବନେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମକୁ ନେଇ ମମତା ବାନାର୍ଜୀଙ୍କ ବେପରୁଆ ବୟାନ ପ୍ରସଙ୍ଗରେ ମମତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ଵାଳ।

Advertisment

ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କହିଛନ୍ତି, ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯଦି ଝିଅମାନେ ରାତିରେ ବାହାରିବା ଠିକ୍ ନୁହେଁ ବୋଲି କହିବେ, ତାହେଲେ ଏହାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଆଉ କିଛି ନୁହେଁ। ପଶ୍ଚିମବଙ୍ଗରେ ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି। ମହିଳାମାନଙ୍କ ପ୍ରତି ମମତାଙ୍କର କୌଣସି ସହାନୁଭୂତି ନାହିଁ। ଏଠି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପଦାରେ ପଡ଼ିଛି । ଆଇନଶୃଙ୍ଖଳା ବଜାୟ ରଖିବାରେ ବିଫଳ ହୋଇଛନ୍ତି ମମତା । ଟିଏମସି କର୍ମୀ ପଶ୍ଚିମବଙ୍ଗରେ ଗୁଣ୍ଡା ସାଜିଛନ୍ତି। ଆଉ ସେମାନଙ୍କୁ ମମତା ବାନାର୍ଜୀଙ୍କ ସରକାର ସୁରକ୍ଷା ଦେଉଛି। କେବଳ ନିର୍ବାଚନ ବେଳେ ପ୍ରବାସୀ ଓଡ଼ିଆଙ୍କ ଭୋଟ ମମତାଙ୍କୁ ଦରକାର। କିନ୍ତୁ ଭୋଟ ସରିଲେ ପ୍ରବାସୀଙ୍କୁ ପର କରି ଦେଉଛନ୍ତି ମମତା ବାନାର୍ଜୀ । ପ୍ରବାସୀ ଓଡ଼ିଆଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମମତା ଚୁପ୍ ରହୁଛନ୍ତି। ଅନ୍ୟପଟେ ଓଡ଼ିଶା ବିଷୟରେ ଭୁଲ ତଥ୍ୟ ଦେଇ ବୟାନବାଜି କରୁଛନ୍ତି ମମତା। 

ବିଜେଡିର ନୀରବତାକୁ ନେଇ ବର୍ଷିଲେ ଐଶ୍ୱର୍ଯ୍ୟା...
ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଦାୟିତ୍ୱରେ ଅଛନ୍ତି । କିନ୍ତୁ ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଝିଅ ସହ ଦୁଷ୍କର୍ମ ଘଟଣାକୁ ନେଇ ନିନ୍ଦା କଲେ ନାହିଁ । କାରଣ ନବୀନ ପଟ୍ଟନାୟକ ମମତା ବାନାର୍ଜୀଙ୍କ ବିରୋଧରେ କହିବାକୁ ଚାହୁଁନାହାଁନ୍ତି । ନବୀନ ପଟ୍ଟନାୟକ ଓ ମମତାଙ୍କ ଘନିଷ୍ଠତା ବିଷୟରେ ସମସ୍ତେ ଜାଣିଛନ୍ତି । ବିଭିନ୍ନ ଘଟଣାରେ ଉଭୟ ପରସ୍ପରକୁ ସମର୍ଥନ ଦିଅନ୍ତି। ପଶ୍ଚିମବଙ୍ଗ ଘଟଣାରେ ନବୀନଙ୍କ ନିରବତା ଏହାକୁ ପ୍ରମାଣ କରୁଛି ।