ଭୁବନେଶ୍ବର: ରାଜ୍ୟର ନୂଆ ସରକାରରେ ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ନାହାଁନ୍ତି। ଆଜି ଯାହା ବାଲେଶ୍ଵରରେ ହୋଇଛି ତାହା ଛାତ୍ର ସମାଜ ଓ ନାରୀ ସମାଜକୁ ଦୋହଲାଇ ଦେଇଛି। ବାଲେଶ୍ବରରେ ଜଣେ ଛାତ୍ରୀ ୧୨ ଦିନ ପର୍ଯ୍ୟନ୍ତ ସଂଘର୍ଷ କରି ଆଜି ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି। ଗଣମାଧ୍ୟମକୁ ବିଜେଡି ଏହା କହିଛି।
ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ବି.ଇଡି ବିଭାଗର ବିଭାଗୀୟ ମୁଖ୍ୟ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କ ନାମରେ ଉକ୍ତ ଛାତ୍ରୀ ଜଣକ ଜୁଲାଇ ୧ ତାରିଖରେ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଅଭିଯୋଗ କରିଥିଲେ, ଯେଉଁଥିରେ ଅଧ୍ୟାପକ ଜଣକ ଶାରୀରିକ ସଂପର୍କ ପାଇଁ ତାଙ୍କୁ ବାଧ୍ୟ କରୁଥିଲେ ବୋଲି ଲିଖିତ ଅଭିଯୋଗ ହୋଇଛି। ଏହାକୁ ନେଇ ଅନ୍ତରୀଣ ଅଭିଯୋଗ କମିଟି ଗଠନ ହୋଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ। ଏପରିକି ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ବେଳେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପାଖରେ ମଧ୍ୟ ୭ ଦିନ ପୂର୍ବରୁ ଅଭିଯୋଗ ହୋଇଥିଲା।
ବିଜେଡି ନେତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ଘଟଣାକୁ ୧୨ ଦିନ ବିତିଥିଲେ ମଧ୍ୟ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି, ଯେଉଁଥିପାଇଁ ବାଧ୍ୟ ହୋଇ ଛାତ୍ରୀ ଜଣକ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ଵର ଓ ପରେ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନାଯୋଗ୍ୟ, ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଜି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।
ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ।
Crime | Balasore