ନବରଙ୍ଗପୁର: ଜିଲ୍ଲାରେ ରକ୍ତହୀନତା, ସିକିଲସେଲ ଓ ଥାଲାସେମିଆ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଅଧିକାଂଶ ପ୍ରସୂତିଙ୍କର ହିମୋଗ୍ଲୋବିନ୍ ପରିମାଣ କମ୍। ସେହିପରି ଦୁର୍ଘଟଣା ହାର ବି ଅଧିକ। ଏହି ଦୃଷ୍ଟିକୋଣରୁ ରକ୍ତ ଅଭାବକୁ ପୂରଣ କରିବା ସହିତ ସଚେତନତା ସୃଷ୍ଟି ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓଉମରକୋଟ ଉପଖଣ୍ଡରେ ରହିଛି ରକ୍ତଭଣ୍ଡାର। ଦୁଇଟି ରକ୍ତଭଣ୍ଡାର ମଧ୍ୟରୁ ନବରଙ୍ଗପୁରରେ ଅଧିକ ରକ୍ତ ୟୁନିଟ୍ର ଆବଶ୍ୟକତା ରହୁଛି। ତେବେ ଯେଉଁ ଅନୁପାତରେ ଆବଶ୍ୟକ ସେଥିକି ରକ୍ତଭଣ୍ଡାରରେ ରହୁନି। ନିୟମିତ ତଥା କ୍ୟାଲଣ୍ଡର କରି ଆଉ ଆଗ ପରି କ୍ୟାମ୍ପ ଆୟୋଜନ ହେଉନି। କ୍ୟାମ୍ପ କରୁଥିବା ବହୁ ଅନୁଷ୍ଠାନ କ୍ୟାମ୍ପ କରିବାକୁ ଆଉ ଚାହୁଁ ନାହାନ୍ତି। ଅଦଳବଦଳ ପ୍ରକ୍ରିୟାରେ ହିଁ ଚାଳିଛି ରକ୍ତଭଣ୍ଡାର। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଗତ ପାଞ୍ଚ ବର୍ଷ ହେବ ରକ୍ତରକ୍ତଭଣ୍ଡାରର ଲାଇସେନସର ନବୀକରଣ ହୋଇନି। ଏସବୁ ଅଭାବ ଓ ଅସୁବିଧାକୁ ଦୂର କରି ସୁପରିଚାଳନା ପାଇଁ ପରିଚାଳନା ସମିତି ଗଠନ ହୋଇଛି। କିନ୍ତୁ ଗତ ଦୁଇ ବର୍ଷ ହେଲା ପରିଚାଳନା ସମିତିର ବୈଠକ ବସି ନଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ରକ୍ତଭଣ୍ଡାରକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।
ପ୍ରତି ୬ ମାସ ବ୍ୟବଧାନରେ ପରିଚାଳନା ସମିତିର ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିବାର ନିୟମ ରହିଛି। ଗତ ଦୁଇ ବର୍ଷ ଧରି ରକ୍ତଭଣ୍ଡାର ପରିଚାଳନା ସମିତି ବୈଠକ ନ ବସିବା ପଛରେ କ'ଣ ରହସ୍ୟ ରହିଛି ବୋଲି ବିଭିନ୍ନ ସ୍ବେଚ୍ଛାସେବୀ ଓ ସଂଗଠନ ଗୁଡିକ ପକ୍ଷରୁ ପ୍ରଶ୍ନ କରୁଛନ୍ତି। ଡିଏଚଏଚରେ ଅହେତୁକ ଭାବେ ରକ୍ତର ଚାହିଦା ବଢ଼ିଛି। ପ୍ରତ୍ୟେକ ଦିନ ୨୦ରୁ ୩୦ୟୁନିଟର ଆବଶ୍ୟକତା ରହିଛି। ସେହି ଅନୁଯାୟୀ ମାସିକ ୮୦୦ରୁ ୯୦୦ୟୁନିଟର ଆବଶ୍ୟକତା ରହିଛି।
ପ୍ରତ୍ୟେକ ଦିନ ନିରାପଦ ମାତୃତ୍ବ ଯୋଜନାରୁ ୫ରୁ ୮ଜଣଙ୍କୁ ରକ୍ତ ଦିଆାଉଛି। ତା ବାଦେ ପୁଣି ରକ୍ତହୀନତା ଓ ଦୁର୍ଘଟଣା ଶୀକାର, ସିକିଲସେଲ୍ ଓ ଥାଲେସେମିଆ ରୋଗୀଙ୍କୁ ଦିଆଯାଉଛି। ତେବେ ସେହିମାତ୍ରାରେ ବଡ କ୍ୟାମ୍ପ ଆଦୈ ହେଉନି। କ୍ୟାମ୍ପ ସଂଖ୍ୟା କମିବା ଏବଂ ଶିବିରରେ କମ୍ ୟୁନିଟ୍ ରକ୍ତ ସଂଗ୍ରହ ଆଗାମୀ ଦିନ ପାଇଁ ପରିଚାଳନା ସମିତି ବୈଠକ ନ ବସିବା ଏବଂ ଅଧିକା କ୍ୟାମ୍ପ ଆୟୋଜନ କରୁଥିବା ଅନୁଷ୍ଠାନ ଗୁଡ଼ିକୁ ପରିଚାଳନା ସମିତିରେ ସଦସ୍ୟ ଭାବେ ନ ରଖିବା ଫଳରେ ରକ୍ତଦାନ ଶିବିର ବାର୍ଷିକ କ୍ୟାଲେଣ୍ଡର ହୋଇପାରୁନି।
ଅନୁଷ୍ଠାନ ଗୁଡ଼ିକ କାହିଁକି ପୂର୍ବ ପରି କ୍ୟାମ୍ପ ଆୟୋଜନ କରୁନାହାନ୍ତି, କେତେ ପରିମାଣର ରକ୍ତ ସଂଗ୍ରହ ହେଉଛି ଏବଂ କେତେ ଅଦଳବଦଳ ହେଉଛି, କେତେ ଜରୁରୀ ରୋଗୀଙ୍କୁ ଦିଆଯାଉଛି ଆଦିର ସମୀକ୍ଷା କରିବାର ଆବଶ୍ୟକତା ରହିଛି। ପୂର୍ବରୁ ନିୟମିତ ପ୍ରତ୍ୟେକ ମାସରେ ବହୁ ସଂଖ୍ୟକ ଶିବିର ଆୟୋଜନ କରାଯାଉଥିବା ବେଳେ ଏବେ କମିବାରେ ଲାଗିଛି। ରକ୍ତଦାତାଙ୍କ ସହ କ୍ୟାମ୍ପ ଆୟୋଜନକାରୀଙ୍କୁ ରକ୍ତଭଣ୍ଡାର କିମ୍ବା ଜିଲ୍ଳା ରେଡକ୍ରସ ପକ୍ଷରୁ ବି ସମ୍ବର୍ଦ୍ଧିତ କରିବା ସହ ପ୍ରତ୍ସାହିତ ବି କରାଯାଉନି। ଏସବୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପରିଚାଳନା କମିଟି ବୈଠକ ଆୟୋଜନ କରାଯିବାର ନିହାତି ଆବଶ୍ୟକତା ରହିଛି ବୋଲି ବହୁ କ୍ୟାମ୍ପ ଆୟୋଜକ ମାନେ ମତ ଦେଇଛନ୍ତି।
Blood donation
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/05/ngp-blood-bank-2025-09-05-15-43-27.jpg)