ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଦିନକୁ ୩୦ୟୁନିଟ ରକ୍ତର ଆବଶ୍ୟକତା ରହିଥିବା ବେଳେ ରକ୍ତଭଣ୍ଡାରରେ ମାତ୍ର ୨ୟୁନିଟ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜିଲ୍ଲାପ୍ରଶାସନ ଓ ସରକାର ରକ୍ତଦାନ ସମ୍ପର୍କରେ ପ୍ରଚାର ଓପ୍ରସାର କରି ଅଧିକ ଶିବିର ଆୟୋଜନ କରି ଯେଭଳି ରକ୍ତ ଅଭାବରୁ କେହି ମରିବେ ନାହିଁ ବିଶ୍ବ ରକ୍ତଦାତା ଦିବସରେ ସେ ଦୃଷ୍ଟି ଦେବା କଥା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ନବରଙ୍ଗପୁର ରକ୍ତଭଣ୍ଡାରରେ ଅଦଳବଦଳ ନ କଲେ ରକ୍ତ ମିଳୁ ନାହିଁ। ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବର୍ଷକୁ ୮ହଜାର ୟୁନିଟ ରକ୍ତ ସଂଗ୍ରହର ଆବଶ୍ୟକତା ରହିଥିବା ବେଳେ ମାତ୍ର ୨ହଜାର ୫୦୦ ୟୁନିଟ୍ ସଂଗ୍ରହ ହେଉଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ଯଦିଓ ରକ୍ତଦାନ ଶିବିର ଆୟୋଜନ ହେଉଥିଲେ ହେଁ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇ ପାରୁନି। ଗତ ବର୍ଷ ୪୦ଟି ଶିବିର ଆୟୋଜନ କରାଯାଇ ମାତ୍ର ସାଢ଼େ ଦୁଇ ହଜାର ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବଳକା ୫ହଜାର ୫୦୦ ୟୁନିଟ୍ ରୋଗୀଙ୍କ ସଂପର୍କୀରୟ ମାନେ ଅଦଳବଦଳ କରିଥିଲେ। ଜରୁରୀ ସମୟରେ ବହୁ ବଦାନ୍ୟ ବ୍ୟକ୍ତି ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି କିଛିକାଂଶରେ ଅଭାବ ପୂରଣ କରୁଛନ୍ତି।
ବର୍ଷକୁ ତିନି ହଜାରରୁ ଉର୍ଦ୍ଧ୍ବ ରକ୍ତହୀନତାରେ ଥିବା ଗର୍ଭବତୀ ଓ ପ୍ରସୁତିଙ୍କୁ ରକ୍ତ ଦିଆଯାଉଛି। ଗତ ଏପ୍ରିଲ ମାସରେ ୩୦୦ ଜଣଙ୍କୁ ଏବଂ ମେ ମାସରେ ଏବେ ପର୍ଯ୍ୟନ୍ତ ୨୦୦ଜଣ ଗର୍ଭବତୀ ଓ ପ୍ରସୁତିଙ୍କୁ ରକ୍ତ ଦିଆଯାଇଥିବା ରକ୍ତଭଣ୍ଡାରରୁ ସୂଚନା ମିଳିଛି। ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ଆଦି ବ୍ଲକରେ ହେଉଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗୁଡିକରେ ୫୦ୟୁନିଟରୁ ଅଧିକା ରକ୍ତସଂଗ୍ରହ ହେବା ସହ ନବରଙ୍ଗପୁର ରକ୍ତଭଣ୍ଡାରର ଅଭାବ ପୁରଣ ଦିଗରେ ୪ବ୍ଲକର ଭୂମିକା ଅଧିକା ରହୁଥିଲା। ଏବେ ଉମରକୋଟରେ ନୂଆ ରକ୍ତଭଣ୍ଡାର ଖୋଲିବା ପରେ ଏହି ୪ବ୍ଲକରୁ ରକ୍ତଦାନ ଶିବିରରୁ ସଂଗ୍ରହ ରକ୍ତ ଉମରକୋଟ ରକ୍ତଭଣ୍ଡାରରେ ଜମା ରହୁଚି। ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରକ୍ତଭଣ୍ଡାର ଉପରେ ପଡୁଛି। ଏହାର ସଦ୍ୟ ଚିତ୍ର ଆଜି ମାତ୍ର ଓଭି ପଜିଟିଭ୍ ଓ ଏବି ପଜିଟିଭ୍ ଗୋଟିଏ ଲେଖାଏଁ ୟୁନିଟ୍ ଏଭଳି ୨ୟୁନିଟ୍ ହିଁ ରହିଛି।
ଜିଲ୍ଲାରେ ୨୦୨୪-୨୫ରେ ୧ ଲକ୍ଷ ୮୧ ହଜାର ୪୬୯ ଜଣଙ୍କ ରକ୍ତନମୁନା ପରୀକ୍ଷାରୁ ୧୭୧୪ଜଣ ରକ୍ତ ଶିକୁଳିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ତାହା ବାଦେ ଥାଲେସେମିଆରେ ୧୦ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି।
ଜିଲ୍ଲାରେ କେତେ ସଂଖ୍ୟକ ଗର୍ଭବତୀ, ପ୍ରସୁତି ରକ୍ତହୀନତାରେ ଶୀକାର, ସିକଲସେଲ୍, ଦୁର୍ଘଟଣାରେ ଶୀକାର ଗୁରୁତରଙ୍କ ପାଇଁ ପାଇଁ କେତେ ୟୁନିଟ୍ ରକ୍ତର ଆବଶ୍ୟକତା ରହିଛି ତାହାର ସମୀକ୍ଷା କରିବା ସହ କିଭଳି ବିନା ଅଦଳବଦଳରେ ରକ୍ତ ଦିଆଯିବ ସେ ପ୍ରୟାସ ହେବା ଆବଶ୍ୟକ। ରକ୍ତଦାନ ସଂପର୍କରେ ସଚେତନତା ଓ ଆବଶ୍ୟକ ସଂଖ୍ୟକ ରକ୍ତଦାନ ଶିବିର ଆୟୋଜନ ହୋଇ ପାରୁନଥିବାରୁ ରକ୍ତର ଅଭାବ ଦୁର ହୋଇପାରୁନି ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।
blood-group | Blood donation