ସମ୍ବଲପୁର: ଚାଉଁରପୁରରୁ ସମ୍ବଲପୁରକୁ ଦୂରତା ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ମହାନଦୀ ଉପରେ ପ୍ରଶସ୍ତ ପୋଲ ନିର୍ମାଣ କରିଛନ୍ତି। ଗମନାଗମନ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବା ପାଇଁ ଏହି ପୋଲ ନିର୍ମାଣ କରାଯାଇଛି। ଏହି ପୋଲ ନିର୍ମାଣ ହେବା ଦ୍ବାରା ଚାଉଁରପୁରରୁ ସମ୍ବଲପୁରକୁ ଯାତାୟତ କରିବା ଅଧିକ ସହଜ ହୋଇଛି। ଲୋକଙ୍କର ଗନ୍ତବ୍ୟସ୍ଥଳର ଦୂରତା ହ୍ରାସ ପାଇଥିବା ବେଳେ ଯାନବାହନ ଚଳାଚଳ ଚାଳକଙ୍କର ଖର୍ଚ୍ଚ କମିଯାଇଛି। ଚାଉଁରପୁର ସହିତ ସମ୍ବଲପୁରର ସଂପର୍କ ଅତି ନିବିଡ଼ କରିପାରିଥିବା ଏହି ପୋଲ ବିଗତ ୭ ବର୍ଷ ମଧ୍ୟରେ ଅନେକ ଲୋକଙ୍କର ମୃତ୍ୟୁର ମୁକସାକ୍ଷୀ ପାଲଟିଛି। ଏଠାରୁ ମହାନଦୀକୁ ଡେଇଁ ଜୀବନ ହାରି ଥିବା ଆହୁରି ଅନେକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବାସ୍ତବରେ ଏହି ପୋଲ ଜୀବନ ହାରିବା ପାଇଁ ନିର୍ମାଣ ହୋଇନାହିଁ, ବରଂ ଜୀବନର ଚଲାପଥକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି।
ସମ୍ବଲପୁର ସହର ସହିତ ଚାଉଁରପୁରକୁ ସଂଯୋଗ କରୁଥିବା ମହାନଦୀ ସେତୁ ଏକ ପ୍ରକାର ଆତ୍ମହତ୍ୟା ଜୋନ୍ରେ ପରିଣତ ହୋଇଯାଇଛି। ବିଭିନ୍ନ କାରଣରୁ ହତାଶ ଥିବା ଲୋକେ ଏହି ସେତୁ ଉପରୁ ମହାନଦୀ ଗର୍ଭକୁ ଡେଇଁ ପଡ଼ୁଛନ୍ତି। ମହାନଦୀକୁ ଡେଉଁଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକଙ୍କୁ ପୁଣି ଅଗ୍ନିଶମ ବାହିନୀ ଉଦ୍ଧାର କରିବାରେ ସଫଳ ହୋଇଛି।
ଏହି ପୋଲ ଉପରୁ ଆଜି ସକାଳୁ ଜଣେ ସ୍କୁଲ ଛାତ୍ରୀ ମହାନଦୀକୁ ଡେଇଁ ପଡ଼ିଥିଲେ। କିନ୍ତୁ ନାବାଳିକାର ଭାଗ୍ୟ ବହୁତ ଭଲ ଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ନିଖୋଜ ଛାତ୍ରୀଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୁବ୍ କମ ସମୟ ମଧ୍ୟରେ ଉଦ୍ଧାର କରିପାରିଥିଲେ। ବୁଢାରଜା ବାଳିକା ହାଇସ୍କୁଲରେ ଛାତ୍ରୀ ସମ୍ବଲପୁର ଗୋପାଲମାଳ ଅଞ୍ଚଳରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ। କୌଣସି କାରଣକୁ ନେଇ ସେ ହଠାତ ମହାନଦୀକୁ ଡେଇଁ ପଡ଼ିଥିଲେ। ପୋଲ ଉପରୁ ଛାତ୍ରୀଙ୍କ ଏକ ମୋବାଇଲ ଫୋନ୍, ବ୍ୟାଗ୍, ସାଇକେଲ ସହ ଏକ ଫିନାଇଲ ବୋତଲ ପୁଲିସ ଜବତ କରିଥିଲା।
ବିଗତ ୭ ବର୍ଷ ମଧ୍ୟରେ ଏହି ପୋଲ ଉପରେ ଅନେକଗୁଡ଼ିଏ ଅଘଟଣ ଘଟିସାରିଛି। ଗତ ୩ ତାରିଖ ଦିନ ସୁବର୍ଣ୍ଣପୁରଜିଲ୍ଲା ହିକୁଡି ଫାଣ୍ଡି ଅନ୍ତର୍ଗତ ବଢ଼ଲା ଗାଁ ନିକଟ ମହାନଦୀରୁ ସମ୍ବଲପୁର ପଟ୍ଟନାୟକପଡ଼ାର ଦୁର୍ଗାଶଙ୍କର ପ୍ରଧାନଙ୍କ ଶବ ଉଦ୍ଧାର କରାଯାଇଥିଲା। ସେ ଗତମାସ ୨୯ ତାରିଖ ଦିନ ସେ ଚାଉଁରପୁର ସେତୁରୁ ଡେଇଁପଡ଼ିଥିଲେ। ଗତ ୧୦ ମାର୍ଚ୍ଚ ପୂର୍ବାହ୍ନ ୧୧ଟାରେ ମଂଜୁଷା ମେହେର ନାମ୍ନୀ ଜଣେ ୪୦ ବର୍ଷୀୟା ମହିଳା ସେତୁ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହା ପୂର୍ବରୁ ଗତବର୍ଷ ଅଗଷ୍ଟ ୨୪ ସକାଳ ସାଢ଼େ ୬ଟାରେ ସହରର ଜଣେ ସ୍କୁଲ ଛାତ୍ରୀ କାଜଲ ସାହାଣୀ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ମହାନଦୀକୁ ଡେଇଁବାର କିଛିଦିନ ପରେ ତାଙ୍କ ଶବ କଟକ ଜିଲ୍ଲା ସୀମାରେ ମହାନଦୀରୁ ଉଦ୍ଧାର କରାଯାଇଥିଲା।
ସେହିପରି ୨୦୨୪ ଅଗଷ୍ଟ ୨ ତାରିଖ ରାତି ୧୦ଟାରେ ଚାଉଁରପୁର ମହାନଦୀ ସେତୁ ଉପରୁ ଡେଇଁଥିବା ସମ୍ବଲପୁର ସୁନାପାଲିର ମନ୍ତୋଷ ତାଣ୍ଡି(୩୫) ରାତି ସାଢ଼େ ୧୨ଟାରେ ନିଜେ ପହଁରି ପହଁରି ଆସି ଗୋବିନ୍ଦତୋଳା ଫାଶକୁଦାଠାରେ କୂଳ ପାଖରେ ଲାଗିଥିଲେ। ମହାନଦୀରୁ ବାହାରିବା ପରେ ସେ ନିଶା ନିବାରଣର ବାର୍ତ୍ତା ଦେଇଥିଲେ। ଏହାର କିଛି ମାସ ପୂର୍ବରୁ ଅର୍ଥାତ ଫେବ୍ରୁଆରି ୧୦ରେ ଚନ୍ଦନ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ।
୨୦୨୩ ମସିହାରେ ଯୁଯୁମୁରା ଅଂଚଳର ସାବତ୍ରୀ ଭୁଏ ଏଠାରେ ଆତ୍ମହତ୍ୟା କରିଥିଲେ। ସେହି ବର୍ଷ ୧୨ ସେପ୍ଟେମ୍ବରରେ ଆଉ ଏକ ଅଘଟଣ ଘଟିଥିଲା। ଏସ୍ଆର୍ଆଇଟି କଲୋନିର ସୁରେନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ସେତୁ ଉପରୁ ମହାନଦୀ ଗର୍ଭରେ ପଡ଼ିଯାଇଥିବାବେଳେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଥିଲେ। ସେହି ବର୍ଷ ୨୭ ଜୁଲାଇରେ ସମୀର ରଂଜନ ପ୍ରଧାନ ଡେଇଁପଡ଼ିବାରୁ ଜୀବନ ଯାଇଥିଲା। ୩ ମାର୍ଚ୍ଚରେ ୨ ଜଣ ଶିଶୁଙ୍କ ସମେତ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ୨୦୨୨ ଅଗଷ୍ଟ ୪ରେ ପିଡବ୍ଲୁଡି କଲୋନିରେ ରହୁଥିବା ଜଣେ ସରକାରୀ କର୍ମଚାରୀ ହରେକୃଷ୍ଣ ନାୟକ ମହାନଦୀ ଡେଇଁ ଜୀବନ ହାରିଥିଲେ।
୨୦୨୧ ମାର୍ଚ୍ଚ ୧୯ରେ ଆତ୍ମହତ୍ୟା କରିବା ପାଇଁ ଯାଇଥିବା ଦୁଇ ମହିଳାଙ୍କୁ ପୁଲିସ ଉଦ୍ଧାର କରିଥିଲା। ୨୦୨୦ ଅଗଷ୍ଟ ୧୬ରେ କୁଲୁଥକାନିର ସୌରଭ ଧର ସେତୁ ଉପରୁ ମହାନଦୀରେ ଡେଇଁ ପଡ଼ିଥିବା ବେଳେ ତାଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ୨୦୨୦ ଜୁନ୍ ୨୯ରେ ଧମା ଅଂଚଳର ପୂଜା ଅଗ୍ରୱାଲ ତାଙ୍କ ଅଢ଼େଇ ବର୍ଷର ଝିଅ ସହିତ ସେଠାରୁ ରହସ୍ୟଜନକ ଭାବେ ନିଖୋଜ ହୋଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ସନ୍ଧାନ ମିଳିନାହିଁ। ୨୦୨୦ ମାର୍ଚ୍ଚ ୧୩ରେ ସର୍ଗିପାଲିର ସରୋଜ ଭୋଇଙ୍କୁ ପୁଲିସ ସଫଳତାର ସହିତ ଉଦ୍ଧାର କରିଥିଲା। ୨୦୧୮ ନଭେମ୍ବର ୯ରେ ଗୋବିନ୍ଦତୋଳା ଅଂଚଳର ରାକ୍ଷୀ ନାୟକଙ୍କୁ ସେତୁ ଉପରୁ ଡେଇଁ ପ୍ରାଣ ହରାଇଥିଲେ। ସେହିବର୍ଷ ସେପ୍ଟେମ୍ବର ୧୪ରେ ବରଗଡ଼ର ଓକିଲ ସାଇକୃଷ୍ଣ ସେତୁ ଉପରୁ ନିଜ ଜିନିଷ ରଖି ନିଖୋଜ ହୋଇଯାଇଥିଲେ। ଏପର୍ଯ୍ୟନ୍ତ ତାଙ୍କ ସନ୍ଧାନ ମିଳିନାହିଁ। ସାଇକୃଷ୍ଣଙ୍କ ଭଳି ଅନ୍ୟ କେତେ ଜଣକ ମଧ୍ୟ ସେତୁ ଉପରୁ ସେମାନଙ୍କ ଜିନିଷିପତ୍ର ମିଳିଥିବା ସେମାନଙ୍କ ଖୋଜଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ।
Sambalpur | Mahanadi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/24/chaurpur-2025-08-24-21-19-26.jpg)