ବୈପାରିଗୁଡ଼ା: ଅସୁରକ୍ଷିତ ଅବସ୍ଥାରେ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତର କୋଟା ଛକ ନିକଟରେ ଥିବା ବ୍ରିଟିଶ ଅମଳରେ ନିର୍ମିତ କୋଲାବ ଲୁହା ବ୍ରିଜ୍। ବ୍ରିଜର ସୁରକ୍ଷା ନିମନ୍ତେ ଗୁରୁବାର ଦିନ କୋଲାବ ବ୍ରିଜ୍ ସୁରକ୍ଷା ମଞ୍ଜ ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Advertisment

୧୯୩୧ ମସିହାରେ ନିର୍ମିତ କୋଲାବ ଲୁହା ବ୍ରିଜ୍ ଆଜି ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଭୁଶୁଡ଼ିବା ଅବସ୍ଥାକୁ ଚାଲି ଆସିଛି। ତେଣୁ ବୈପାରିଗୁଡା ଏବଂ ଲମତାପୁଟ ବ୍ଲକର ରାଜନେତା ଠାରୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ କୋଲାବ ବ୍ରିଜ୍ ସୁରକ୍ଷା ମଞ୍ଚ ଗଠନ କରି ଐତିହାସିକ ବ୍ରିଟିଶ ଅମଳର ଲୁହାରେ ନିର୍ମିତ କୋଲାବ ବ୍ରିଜ୍ ସୁରକ୍ଷା ପାଇଁ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ।

ନୂତନ ପୋଲ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା କିନ୍ତୁ ଟେଣ୍ଡର ବାତିଲ କରାଯାଇଛି। ପୁନର୍ବାର ଟେଣ୍ଡର ଡକାଯାଇ ତୁରନ୍ତ ପୋଲ ନିର୍ମାଣ କରିବା ପାଇଁ ଦାବି କରିଥିଲେ। ରାଞ୍ଚି ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମେରୁଦଣ୍ଡ ହେଉଛି କୋଲାବ ବ୍ରିଜ୍। କୋଲାବ ବ୍ରିଜ୍ ଭୁଶୁଡ଼ି ପଡ଼ିଲେ ମାଲକାନଗିରିଜିଲ୍ଲା ସମେତ ଛତିଶଗଡ଼ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିବ।

ଏହି କୋଲାବ ବ୍ରିଜ୍ ଦେଇ ପ୍ରତିଦିନ ହଜାର ହଜାର ଯାନବାହାନ ଚଳାଚଳ ହୋଇଥାଏ। କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର, ମାଛକୁଣ୍ଡ ଜଳପ୍ରପାତ ଭଳି ବହୁ ଦର୍ଶନୀୟ ସ୍ଥାନ ରହିଥିବାରୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଏପରିକି ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି। କୋଲାବ ବ୍ରିଜ୍ ଉପରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ରାସ୍ତା ନଷ୍ଟ ହେବାସହ ବହୁ ଦୁର୍ଘଟଣା ଘଟି ଚାଲିଛି। ଭାରି ଯାନ ଏହି ବ୍ରିଜ୍ ଦେଇ ଯାତାୟତ କରୁଥିବାରୁ ବ୍ରିଜ୍ ଦୁର୍ବଳ ହେବାକୁ ବସିଲାଣି। ତେଣୁ ନୂତନ ବ୍ରିଜ୍ ନିର୍ମାଣ ପାଇଁ ପୁନର୍ବାର ଟେଣ୍ଡର ଆହ୍ବାନ କରାଯାଇ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ଦାବି କରିଛନ୍ତି କୋଲାବ ବ୍ରିଜ୍ ସୁରକ୍ଷା ମଞ୍ଚ।

 Koraput

ରିପୋର୍ଟ: ଅମରେନ୍ଦ୍ର ପରିଚ୍ଛା