ଭୁବନେଶ୍ବର(ମହେନ୍ଦ୍ର ସାହୁ): ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରସ୍ତୁତି ଜାରି ରହିଛି। ଦେବୀ ମନ୍ଦିରଗୁଡ଼ିକ ସଜାଯାଉଛି। ପୂଜା ମଣ୍ଡପରେ ଡେକୋରେସନ କାମ ତୀବ୍ର କରିଦିଆଯାଇଛି। ଯେଉଁଠାରେ ନବରାତ୍ରୀର ଆୟୋଜନ କରାଯାଉଛି, ସମୟ ପାଖେଇ ଆସିଥିବାରୁ ଯୁଦ୍ଧକାଳୀନ ସ୍ତରରେ ପୂଜା କମିଟିର ସଦସ୍ୟମାନେ ଲାଗିପଡ଼ିଛନ୍ତି। ଉଭୟ ଦେବୀ ମନ୍ଦିର ଓ ମଣ୍ଡପରେ ଦୁର୍ଗାପୂଜା କମିଟିଗୁଡ଼ିକ ପକ୍ଷରୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ କାମ ଚାଲିଛି। ଦଶହରା ପାଇଁ କଟକ, ଭୁବନେଶ୍ବର, ରାଉରକେଲା ଭଳି ବରଗଡ଼ ଜିଲ୍ଲା ସୋହେଲାରେ ମଧ୍ୟ ଉତ୍ସାହ ଦେଖାଯାଇଛି।
ସୋହେଲାରେ ଦୁର୍ଗାପୂଜାର ଆୟୋଜନ ପାଇଁ ଇଂରେଜ କର୍ମଚାରୀଙ୍କ ବଡ଼ ଅବଦାନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ତତ୍କାଳୀନ ପୁଲିସ ଇନ୍ସପେକ୍ଟର ହଗ୍ ପାୱେଲ୍ଙ୍କ ନେତୃତ୍ବରେ ସୋହେଲା ଥାନା ପରିସରରେ ସର୍ବପ୍ରଥମେ ମା’ ଦୁର୍ଗାଙ୍କର ଏହି ଭବ୍ୟ ପୂଜାର ଆୟୋଜନ କରାଯାଇଥିଲା। ଏଥି ପାଇଁ ତାଙ୍କୁ ସ୍ଥାନୀୟ ଲୋକେ ବିପୁଳ ସମର୍ଥନ କରିଥିଲେ। କାଳକ୍ରମେ ମା’ଙ୍କର ଅପାର କରୁଣାରୁ ଏଠାକାର ପୂଜାର ବିକାଶ ଆଡ଼କୁ ଗତି କରିଛି। ଏଠାକାର ଦୁର୍ଗାପୂଜା ଆକର୍ଷଣୀୟ ହୋଇପାରିଛି। ସୋହେଲା ଦୁର୍ଗାପୂଜା ନେଇ ପୂରା ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ ଚର୍ଚ୍ଚା ହୋଇଥାଏ।
ସଂକ୍ଷେପରେ ସୋହେଲା ଦୁର୍ଗାପୂଜା
ବରଗଡ଼ ଜିଲ୍ଲାର ସେହେଲା ହେଉଛି ଏକ ବ୍ଲକ। ଏଠାରେ ୧୯୩୮ ମସିହାଠାରୁ ଦୁର୍ଗାପୂଜାର ଆୟୋଜନ ହୋଇଆସୁଛି। ସେହି ସମୟରେ ସୋହେଲାର ଜନସଂଖ୍ୟା ପ୍ରାୟ ୧୫୦୦ ଥିଲା। ଏବେ ଏହା ୧୦,୦୦୦ରେ ପହଞ୍ଚିଛି। ଓଡ଼ିଶା ସୀମା ନିକଟରେ ରହୁଥିବା ସୋହେଲା ଏବେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ମାନ୍ୟତା ଦାବି କରୁଛି। ମାତ୍ର ୭ ଜଣିଆ ସଦସ୍ୟଙ୍କୁ ନେଇ ଏଠାରେ ପୂଜା ଆରମ୍ଭ ହୋଇଥିବା ପୂଜା ଏବେ ଭବ୍ୟ ଏବଂ ଦିବ୍ୟ ପାଲଟିଛି। ଏଥର ମା’ଙ୍କ ପୂଜାକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଉଛି। ସୋହେଲା ଦେଇ ପଶ୍ଚିମବଙ୍ଗର ହାଓଡ଼ାରୁ ମହାରାଷ୍ଟ୍ରର ନାଗପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଓ ନୂଆପଡ଼ାକୁ ସଂଯୋଗ କରୁଛି। ସୀମାନ୍ତ ଅଞ୍ଚଳରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଥିବାରୁ ଏଠାକାର ଦୁର୍ଗାପୂଜାରେ ଲୋକଙ୍କର ଭିଡ଼ ହେବା ଅନ୍ୟ ଏକ କାରଣ ବୋଲି ଆୟୋଜକ କମିଟିର ସଦସ୍ୟମାନେ କୁହନ୍ତି।
/filters:format(webp)/sambad/media/media_files/2025/09/11/sohela-2025-09-11-18-01-55.jpg)
ସୋହେଲାର ଭାଇଚାର ଭିନ୍ନ। ଏହି ସହରରେ ବସବାସ କରୁଥିବା ଲୋକଙ୍କ ଉଦ୍ୟମରେ ମା’ଙ୍କ ପୂଜାର୍ଚ୍ଚନା ପ୍ରତିବର୍ଷ ଉତ୍ସାହର ସହିତ ହେଉଛି। ବର୍ଷରେ ଗୋଟିଏ ପୂଜା ହେଉଥିବାରୁ ସ୍ଥାନୀୟ ଲୋକ ଏହାକୁ ବିପୁଳ ସମର୍ଥନ ଜଣାଇଥାନ୍ତି। ମାଙ୍କ ପାଇଁ ୧୯୯୦ ମସିହାରେ ଦୁର୍ଗା ମନ୍ଦିର ନିର୍ମାଣ କରାଯାଇଛି। ଏକ ଟ୍ରଷ୍ଟ ଗଠନ କରାଯାଇଛି। ଏହାରି ମାଧ୍ୟମରେ କିଛି ପରିମାଣରେ ଆର୍ଥିକ ସହାୟତା ମିଳିଥାଏ। ସବୁ ସଂପ୍ରଦାୟର ଲୋକ, ରାଜନେତା, ଦାଦା ମା’ଙ୍କ ପୂଜା ପାଇଁ ଆର୍ଥିକ ସହାୟତା ଦେଇଥାନ୍ତି। ଚାନ୍ଦା ସଂଗ୍ରହ କରାଯାଏ ନାହିଁ। ଏଥର ମା’ଙ୍କ ପୂଜା ମଣ୍ଡପ କୋଲକାତାର ମାୟାପୁରସ୍ଥିତ ଇସ୍କନ ମନ୍ଦିର ଥିମ୍ରେ ନିର୍ମାଣ ଜାରି ରହିଛି।
-ପ୍ରମୋଦ ଦେବତା, ସଂପାଦକ, ଦୁର୍ଗାପୂଜା କମିଟି, ସୋହେଲା
ଦୁର୍ଗା ମୂର୍ତ୍ତି ଓ ରାବଣ କୁଶପୁତ୍ତଳିକା
ଚଳିତ ବର୍ଷ କଟକ ଜିଲ୍ଲା ସାଲେପୁର ନିବାସୀ ଶ୍ରୀଧର ରଣା ମା’ ଦୁର୍ଗାଙ୍କ ୧୫ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ କରୁଛନ୍ତି। ମଣ୍ଡପରେ ବିଭିନ୍ନ ପାର୍ଶ୍ବଦେବାଦେବୀ ସମେତ ମୋଟ ୯ଟି ମୂର୍ତ୍ତି ପୂଜା ହେବ। ବଂଶାନୁକ୍ରମେ ରଣା ପରିବାର ଏହି ମୂର୍ତ୍ତି ନିର୍ମାଣ କରିଆସୁଛନ୍ତି। ଭସାଣି ଉତ୍ସବରେ ଭବ୍ୟ ଶୋଭାଯାତ୍ରାର ଆୟୋଜନ ହେବ। ସ୍ଥାନୀୟ ପୂର୍ଣ୍ଣି ପୋଖରୀରେ ମା’ଙ୍କ ବିସର୍ଜନ ହେବ। ଚଳିତ ବର୍ଷ ୫୦ଫୁଟ ଉଚ୍ଚର ରାବଣ କୁଶପୁତ୍ତଳିକା ନିର୍ମାଣ ହେଉଛି। ଦଶମୀ ତିଥିରେ ଏହାକୁ ଦହନ କରାଯିବ।
ଓଡ଼ିଶା ଗେଜେଟ୍ ରିପୋର୍ଟ ଅନୁସାରେ ସୋହେଲା ଦୁର୍ଗାପୂଜା ଏପର୍ଯ୍ୟନ୍ତ ୪ଟି ସ୍ଥାନରେ ଆୟୋଜନ ହୋଇସାରିଛି। ୧୯୯୦ ମସିହାରେ ସୋହେଲାରେ ଦୁର୍ଗା ମନ୍ଦିର ନିର୍ମାଣ ହୋଇଛି। ଏଠାରେ ସ୍ଥାୟୀ ଦୁର୍ଗା ମଣ୍ଡପ ନିର୍ମାଣ ହୋଇଛି।
-ପ୍ରଥମ ସ୍ଥାନ: ଥାନା ପରିସର
-ଦ୍ବିତୀୟ ସ୍ଥାନ: ପିଏମ୍ଶ୍ରୀ ହାଇସ୍କୁଲ
-ତୃତୀୟ ସ୍ଥାନ: ଦୈନିକ ବଜାର (ହଟ୍ଲି) ମଣ୍ଡପ
-ଚତୁର୍ଥ ସ୍ଥାନ: ସ୍ଥାୟୀ ଦୁର୍ଗା ମଣ୍ଡପ (ବର୍ତ୍ତମାନର ପୂଜାସ୍ଥଳ)
/filters:format(webp)/sambad/media/media_files/2025/09/11/sohela1-2025-09-11-18-02-10.jpg)
ଦଶହରାରେ ଦୀପାବଳିର ଝଲକ
ସୋହେଲାରେ ଦଶହରା ପୂଜାମଣ୍ଡପ ପାଇଁ ତୋରଣ, ସାଜସଜ୍ଜା, ଲାଇଟ୍ ଯେମିତି ଆକର୍ଷଣୀୟ, ଠିକ୍ ସେହିପରି ରାବଣପୋଡ଼ି ପାଇଁ ଏହା ଆହୁରି ଚର୍ଚ୍ଚିତ। ରାବଣପୋଡ଼ି ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଭିଡ଼ ଜମାଇଥାନ୍ତି। ମହାପ୍ରଭୁ ରାମ ଓ ଲକ୍ଷ୍ମଣଙ୍କ ଅଭିନୟରେ କଳାକାର ଦଶାନନ ରାବଣକୁ ତୀରମାରି ବଧ କରିଥାନ୍ତି। ଏହା ପରେ ବାଣ ଓ ଆତସବାଜି ମାଧ୍ୟମରେ ସୋ’ ପ୍ରଦର୍ଶନ କରାଯାଇଥାଏ। ରାବଣପୋଡ଼ି କାର୍ଯ୍ୟକ୍ରମରେ ଦୀପାବଳିର ଝଲକ ଦେଖିବାକୁ ମିଳିଥାଏ। ଦୀର୍ଘ ସମୟ ଧରି ଏଠାରେ ବାଣ ଫୁଟିଥାଏ। ଲକ୍ଷାଧିକ ଲୋକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତି। ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା ସମେତ ଅନ୍ୟ ଜିଲ୍ଲାରୁ ଲୋକେ ରାବଣପୋଡ଼ି ଦେଖିବାକୁ ଆସିଥାନ୍ତି। ସେହିପରି ପଡ଼ୋଶୀ ଛତିଶଗଡ଼ରୁ ଏଠାକୁ ବହୁ ସଂଖ୍ୟାରେ ଲୋକ ଆସିଥାନ୍ତି।
ଓଡ଼ିଶାରେ ଦଶହରା
ଓଡ଼ିଶାର ଅନ୍ୟତମ ଗଣପର୍ବ ହେଉଛି ଦଶହରା। ଏହି ପର୍ବକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦଶରା, ନବରାତ୍ରୀ ଓ ଦୁର୍ଗାପୂଜା ଭାବେ ପାଳନ କରାଯାଉଛି। ରାଜପରିବାର, ଜମିଦାର ପରିବାର ସମେତ ଅନେକ ସଂପ୍ରଦାୟ ଦଶହରାରେ ଅସ୍ତ୍ରପୂଜା କରିଥାନ୍ତି। ଏହି ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ଏହି ଦିନ ପୂଜା କରାଯାଇଥାଏ। କୁଶଳୀ କାରିଗରମାନେ ମଧ୍ୟ ଏହି ଦିନ ମା’ ଦୁର୍ଗାଙ୍କୁ ସ୍ମରଣ କରି ନିଜନିଜ ଘରେ ପୂଜାର୍ଚ୍ଚନା କରିଥାନ୍ତି। ଦଶହରା ଠାରୁ ଅନେକ ଶୁଭ କାମ ଆରମ୍ଭ କରାଯାଇଥାଏ। ଅନେକ ଲୋକ ଜୀବନର ଭୁଲକୁ ପରିତ୍ୟାଗ କରି ଭଲ ମାର୍ଗରେ ଆଗକୁ ବଢ଼ିବାକୁ ଅଭ୍ୟାସ କରିଥାନ୍ତି।
Bargarh | Durga Puja
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/11/new-project-25-2025-09-11-18-50-16.jpg)