ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ ବ୍ରାଉନସୁଗାର ବେପାର ଲୁଚାଛପାରେ ଚାଲିଥିବା ବେଳେ ପୁଲିସ ଚଢଉ କରି ୩୧ ଗ୍ରାମ୍ ୪୦୦ ମିଲିଗ୍ରାମ ଓଜନର ବ୍ରାଉନ୍ସୁଗାର୍ ଜବତ କରିଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।
ବେଆଇନ୍ କାରବାରରେ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଇଲାକାର ରାକେଶ କୁମାର ବେହେରା, ଭଞ୍ଜନଗର ଥାନା ଅଞ୍ଚଳର ଅମୀୟ ରଂଜନ ମହାନ୍ତି ଓ ବାଉଁଶଲୁଣ୍ଡିର ଅମିତ୍ କୁମାର ବେହେରା ବୋଲି ଜଣାପଡିଛି। ଏହା ସହ ସେମାନଙ୍କ ନିକଟରୁ ନଗଦ ୨,୧୦୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ଅତିରିକ୍ତ ଏସପି ଶ୍ରୀ ଦେ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନ ରେ ସୁଚନା ଦେଇଛନ୍ତି।
ଭଞ୍ଜନଗର ସହରକୁ ଜିଲ୍ଲା ଓ ରାଜ୍ୟ ବାହାରରୁ ବ୍ରାଉନସୁଗର ଆସୁଥିବା ଅଭିଯୋଗ ହେଉଥିଲା। ଅନେକ ସ୍ଥାନରେ ଏହାର କବଳରେ ପଡ଼ି ଯୁବବର୍ଗ ସର୍ବସ୍ୱାନ୍ତ ହେବା ସହ ଶିକ୍ଷାକ୍ଷେତ୍ର ଛାଡ଼ି ଜୀବନକୁ ବରବାଦ କରୁଥିବା ମଧ୍ୟ ଅନେକ ନଜିର ରହିଛି। ଏନେଇ ବ୍ରାଉନସୁଗାର କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଦେଇଥିଲେ।
ଗତକାଲି ସହର ଉପକଣ୍ଠ ଜାମପଲ୍ଲୀ ଛକରେ ଏହି କାରବାର ଚାଲୁଥିବା ସମୟରେ ଖବର ପାଇ ଉପଖଣ୍ଡ ଆରକ୍ଷୀ ଅଧିକାରି ଡ.ଦୀପକ କୁମାର ମିଶ୍ରଙ୍କ ତତ୍ବାବଧାନରେ ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନେତୃତ୍ବରେ ପୁଲିସ ଟିମ୍ ସେଠାରେ ଚଢାଉ କରିଥିଲା। ଚଢଉ ସମୟରେ ପୁଲିସ ୩୧ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନସୁଗର ଜବତ କରିଥିଲା। ମାଜିଷ୍ଟ୍ରେଟ ତଥା ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଜବତ ବ୍ରାଉନସୁଗରର ଓଜନ କରାଯାଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏହି କାରବାରରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଶ୍ରୀ ଦେ ପ୍ରକାଶ କରିଛନ୍ତି।
ganjam