ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲା ନକ୍ସଲଙ୍କ କବଜାରେ ରହିଥିଲା। ଦିନ ଦ୍ବିପହରେ ଅପହରଣ, ଲୁଟପାଟ, ହତ୍ୟା ଭଳି ଘଟଣା ଘଟାଉଥିଲେ ନକ୍ସଲ। ଲୋକେ ତ୍ରାହୀ ତ୍ରାହୀ ଡାକ ଛାଡୁଥିଲେ। ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସକୁ ନକ୍ସଲ ଲୋକଙ୍କୁ କଳାଦିବସ ରୂପେ ପାଳନ କରିବାକୁ ବାଧ୍ୟ କରୁଥିଲେ। ତତ୍କାଳୀନ ସରକାର ଲୋକଙ୍କୁ ନକ୍ସଲ ଦାଉରୁ ରକ୍ଷା କରିବା ପାଇଁ ଗତ ୨୦୧୦ ମସିହାରେ ଜିଲ୍ଲାକୁ ବିଏସଏଫ ବାଟାଲିୟନ ପଠାଇଥିଲେ।
ପ୍ରଥମେ ବିଏସଏଫ ମାଲକାନଗିରି ସମେତ କାଲିମେଳା ଏବଂ ଚିତ୍ରକୋଣ୍ଡାରେ ଅବସ୍ଥାପିତ ଥିଲା। ପରେ ଧୀରେଧୀରେ ସମଗ୍ର ଜିଲ୍ଲାକୁ ବିଏସଏଫ ଘେରି ରହିଲା। ବର୍ତ୍ତମାନ ଜିଲ୍ଲାରେ ତିନୋଟି ବାଟାଲିୟନର ୨୧ଟି କ୍ୟାମ୍ପ ରହିଛି। ବାଲିମେଳାର ଗୋଟିଏ ବାଟାଲିୟନ ଚାଲିଯାଇଛି। ସମସ୍ତ ନକ୍ସଲ ଗଡରେ ବିଏସଏଫ ଯବାନ ପସିଲେ, ଯାହାଫଳରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ନକ୍ସଲ ସମସ୍ତ ଯୋଜନାକୁ ପଣ୍ଡ କରିବାରେ ବିଏସଏଫ ସଫଳତା ହାସଲ କରିଛି। ବିଶେଷକରି ନକ୍ସଲଙ୍କର ରାଜଧାନୀ ଭାବେ ପରିଚିତ ସ୍ବାଭିମାନ ଅଂଚଳ ଦୀର୍ଘ ବର୍ଷ ଧରି ନକ୍ସଲଙ୍କ କବଜାରେ ରହିଥିଲା।
ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ କରି ଏହି ସ୍ବାଭିମାନ ଅଂଚଳରେ ହିଁ ରଖାଯାଇଥିଲା। ପୁଣି ଗୁରୁପ୍ରିୟା ସେତୁ ନିର୍ମାଣରେ ନକ୍ସଲ ବାଟ ଅଗାଳୁଥିଲେ। ବିଏସଏଫ ପହଞ୍ଚିବା ପରେ ଗୁରୁପ୍ରିୟା ସେତୁ ନିର୍ମାଣ ହୋଇପାରିଥିଲା। କେବଳ ସେତିକି ନୁହେଁ ଏବେ ମଧ୍ୟ ଦିନରାତି ଏକ କରି ଯବାନ ଗୁରୁପ୍ରିୟା ସେତୁକୁ ଜଗି ରହିଛନ୍ତି। ଯାହାଫଳରେ ସ୍ବାଭିମାନ ଅଂଚଳ ଆଜି ବିକାଶ ଧାରାରେ ଯୋଡି ହୋଇଛି।
ସ୍ବାଧୀନତା ଦିବସକୁ ନକ୍ସଲ ଯେପରି କଳା ଦିବସ ରୂପେ ପାଳନ ନକରନ୍ତି ସେଥିପାଇଁ ବର୍ଷା ସତ୍ବେ ଜଂଗଲରେ ବିଏସଏଫ ଯବାନ କୁମ୍ବିଂକୁ ଜୋରଦାର କରୁଛନ୍ତି। ଯବାନ ଆଜି ଜିଲ୍ଲାର ସୀମାନ୍ତରେ ପଇଁତରା ମାରୁଥିବାରୁ ଆଜି ଜିଲ୍ଲାର ଲୋକେ ରାତିରେ ଶାନ୍ତିରେ ଶୋଇପାରୁଛନ୍ତି। କେବଳ ନକ୍ସଲଙ୍କୁ ଦମନ କରିବାରେ ଯବାନ କାମ କରୁନାହାନ୍ତି, ବରଂ ଦୁର୍ଗମ ଅଂଚଳରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ମଧ୍ୟ ଲାଗିପଡ଼ିଛନ୍ତି। ଜନସଂପର୍କ ଶିବିର ଅନୁଷ୍ଠିତ କରି ଲୋକଙ୍କୁ ନକ୍ସଲଙ୍କ ହିଂସା ଏବଂ ବିକାଶରେ କିପରି ବାଧକ ସାଜୁଛନ୍ତି ସେନେଇ ବୁଝାଉଛନ୍ତି। ଯଦ୍ବାରା ଲୋକେ ନକ୍ସଲଙ୍କର ଉଦେଶ୍ୟ ଜାଣିପାରି ନକ୍ସଲଙ୍କୁ ସମର୍ଥନ କରିବା ବନ୍ଦ କରିଥିଲେ।
ବିଏସଏଫ ସୀମାକୁ ସିଲ କରିଦେଇଥିବା ବେଳେ ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼ର ସୀମାରେ କୁମ୍ବିଂକୁ ଜୋରଦାର କରୁଛନ୍ତି। ନକ୍ସଲଙ୍କର କୌଣସି ଚାଲ ଯେପରି ସଫଳ ନହେବ ସେଥିପାଇଁ ବିଏସଏଫ ଗୁଇନ୍ଦା ମଧ୍ୟ ନଜର ରଖିଛନ୍ତି। ଜିଲ୍ଲାର ଦୁର୍ଗମ ଗାଁକୁ ପକ୍କା ରାସ୍ତା ହେବା ସହ ଲୋକଙ୍କ ମୌଳିକ ସୁବିଧା ପହଞ୍ଚୁଛି। ଜିଲ୍ଲାରେ ବିଏସଏଫ ଆସିନଥିଲେ ଜିଲ୍ଲାର ସ୍ଥିତି ଅଲଗା ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକେ କହନ୍ତି। ଆଜି ସବୁ ସରକାରୀ ଅଧିକାରୀ ସମେତ ନେତା,ମନ୍ତ୍ରୀ ଜିଲ୍ଲାର ସମସ୍ତ ଅଂଚଳରେ ସ୍ବଚ୍ଛନ୍ଦରେ ବୁଲିପାରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଜିଲ୍ଲାରେ ନିର୍ବାଚନ ହୋଇପାରୁନଥିଲା। ଯବାନଙ୍କ କଡା ସୁରକ୍ଷା ଯୋଗୁ ଜିଲ୍ଲାରେ ପଞ୍ଚାୟତ ଓ ବିଧାନସଭା ନିର୍ବାଚନ ହୋଇପାରିଲା। ଯବାନଙ୍କ ବଳିଦାନ ଯୋଗୁଁ ଆଜି ଜିଲ୍ଲାବାସୀ ସୁରକ୍ଷିତ ରହିଛନ୍ତି। ତେଣୁ ଯବାନଙ୍କୁ ସଲାମ।
Malkangiri