ରାଇରଙ୍ଗପୁର/ଝରାଡ଼ିହି: ରାସ୍ତାତଳ ଖାଲକୁ ଯାତ୍ରୀବାହୀ ବସ୍‌ ଓଲଟିବାରୁ ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅସନା ପଞ୍ଚାୟତ ଚାଞ୍ଚଳା ପୋଲ ନିକଟରେ ଆଜି ଏହି ଅଘଟଣ ଘଟିଛି। ବସ୍‌ର ଚାଳକ ରାତିସାରା ଅନିଦ୍ରା ରହି ଗାଡ଼ି ଚଳାଇ ଦିନରେ ଭାରସାମ୍ୟ ହରାଇଥିବାରୁ ବସ୍‌ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣା ସଂପର୍କରେ ସ୍ଥାନୀୟ ସାଂସଦ ଅବଗତ ଥିବା ବେଳେ ବସ୍‌ର ମାଲିକ ଗୁରୁତରମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ‌ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

Advertisment

ବାରିପଦାସ୍ଥିତ ମେଡିକାଲ କଲେଜରେ ଚିକିତ୍ସାଧୀନ ଗୁରୁତରମାନଙ୍କୁ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ଭେଟିଛନ୍ତି। ଚିକିତ୍ସାଧୀନ ଲୋକଙ୍କୁ ଭେଟିଲା ପରେ ଶ୍ରୀ ମାଝୀ କହିଛନ୍ତି ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଏହି ଡ୍ରାଇଭର ଏବଂ ଗାଡ଼ି ମାଲିକଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ। ବସ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। 

 

ସୂଚନା ଅନୁଯାୟୀ ଯାତ୍ରୀବାହୀ ବସ୍‌ଟି ଜାରିଟାଣ୍ଡିରୁ କରଞ୍ଜିଆକୁ ଯାଉଥିଲା। ଏହି ବସ ପୂର୍ବରୁ ମଧ୍ୟ ବହୁ ଥର ଦୁର୍ଘଟଣା ଘଟାଇଥିବା ବେଳେ ସମାନ ଡ୍ରାଇଭର ହିଁ ଆଜି ମଧ୍ୟ ଗାଡ଼ି ଚଳାଉ ଥିଲେ। ପରିଣାମ ସ୍ୱରୂପ ଆଜି ମଧ୍ୟ ବେପରୁଆ ଗାଡ଼ି ଚାଳନାର ଚିତ୍ର ସାମ୍ନାକୁ ଆସିଥିଲା। ବସ୍‌ଟି ପଞ୍ଚାୟତ ଚାଞ୍ଚଳା ପୋଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ୬ ଜଣ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ  ସ୍ଥାନାନ୍ତରିତ କରାଯାଇଛି।

ସୂଚନା ପାଇ ଘଟଣାସ୍ଥଳରୁ ଆହତମାନଙ୍କୁ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଗୁରୁତରମାନଙ୍କୁ ବାରିପଦା ସ୍ଥାନାନ୍ତରିତ କରାଯାଇଥିଲା। ରାଇରଙ୍ଗପୁର ଡାକ୍ତରଖାନାକୁ ସାଂସଦ ନବଚରଣ ମାଝୀ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ବସ୍ ମାଲିକ ଘଟଣାସ୍ଥଳକୁ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଆହତଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ପ୍ରତିଶ୍ରୁତି ଦେବା ପରେ ଶାନ୍ତ ହୋଇଥିଲେ।

ତେବେ ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭର କହ୍ନେଇ ମହାକୁଡ଼ଙ୍କୁ ସ୍ଥାନୀୟ ଲୋକେ ଉତ୍ତମ ମାଧ୍ୟମ ମାଡ଼ି ମାରି ତାଙ୍କୁ ମଧ୍ୟ ଆହତ କରିଥିବା ସୂଚନା ମିଳିଛି। ରାଇରଙ୍ଗପୁର ଏସଡିପିଓ, ଟାଉନ୍ ଥାନା ପୁଲିସ, ବହଳଦା ପୁଲିସ ପ୍ରମୁଖ ଘଟଣାସ୍ଥଳ ଓ ଡାକ୍ତରଖାନା ପହଞ୍ଚି ତଦନ୍ତ କରିଛନ୍ତି। 

 Accident | Mayurbhanj