ରାଉରକେଲା : ଛିଡା ହୋଇଥିବା ନାଇଟକୋଚ ବସକୁ ପଛରୁ ଏକ ଟ୍ରକ (ଆଇଚର )ଧକ୍କା ଦେବାକୁ ନେଇ ଗତକାଲି ରାତି ପ୍ରାୟ ୧୧ଟାରେ ଲାଠିକଟା ସୁଇଡ଼ିହି ନିକଟ ତୁମୁଳକାଣ୍ଡ ହୋଇଥିଲା l ପ୍ରତିବାଦ କରୁଥିବା ନାଇଟକୋଚ ବସ ଡ୍ରାଇଭର ଟ୍ରକ ଚଢ଼ାଇଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା l ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଭବାନୀ କୁମାର ଡାକୁଆ (୪୭)ଙ୍କ ମୃତ୍ୟୁ ହୋଇଛି l ଲାଠିକଟା ପୁଲିସ ନାଇଟକୋଚ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି l ବସରେ ରାଉରକେଲାରୁ ପୁରୀ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି l

Advertisment

ସମସ୍ତଙ୍କୁ ଅନ୍ୟ ବସରେ ପୁରୀ ନିଆଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ମୁତାବକ ଘରୋଇ ଯାତ୍ରୀବାହୀ ବସ କାଳିଆକାହ୍ନୁ ଗତକାଲି ରାତି ସାଢେ ୯ଟାରେ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ପୁରୀ ବାହାରିଥିଲା l ରାତି ପ୍ରାୟ ୧୧ଟା ରେ ଲାଠିକଟା ସୁଇଢ଼ିହି ନିକଟରେ ଯାତ୍ରୀଙ୍କୁ ଉଠାଇବାକୁ ବସ ଅଟକିଥିଲା  ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ପଛରୁ ବସକୁ ଧକ୍କା ଦେଇଥିଲା l ବସ ଡ୍ରାଇଭର ଗାଡ଼ିରୁ ଉଲ୍ହାଇ ଟ୍ରକ ଡ୍ରାଇଭରକୁ ଗାଳିଗୁଲଜ କରିଥିଲା l ଟ୍ରକ ଡ୍ରାଇଭରକୁ ଗାଡ଼ିରୁ ତଳକୁ ଉହ୍ଲାଇବାକୁ କହିଥିଲା l ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ପାଟିଶୁଣି ବସରେ କିଛି ଯାତ୍ରୀ ଓ କର୍ମଚାରୀ ଆସିଯିବାରୁ ଟ୍ରକ ଡ୍ରାଇଭର ମାଡ ଭୟରେ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲା l ଟ୍ରକକୁ ଡିଭାଇଡର ଉପରେ ଚଢ଼ାଇ ଖସି ଯାଉଥିବା ବେଳେ ଆଗକୁ ବସ ଡ୍ରାଇଭର ଆସିଯିବାକୁ ତାଙ୍କ ଉପରେ ମାଡି ଯାଇଥିଲା l ଘଟଣାସ୍ଥଳରେ ହିଁ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିଲାl