ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶର ଗ୍ରାମୀଣ ବାସିନ୍ଦା ଏବଂ ଅଂଶୀଦାରମାନଙ୍କୁ ଏକ ନିବେଦନ ଜାରି କରି 'ସବକି ଯୋଜନା ସବକା ବିକାଶ' ଅଭିଯାନ- ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ (୨୦୨୪-୨୫)ରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଅକ୍ଟୋବର ୧, ୨୦୨୪ରେ ଏକ ଚିଠିରେ ପ୍ରଧାନମନ୍ତ୍ରୀ ୨୦୨୫-୨୬ ବର୍ଷ ପାଇଁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ପ୍ରସ୍ତୁତିରେ ଉତ୍ସାହୀ ଏବଂ ପ୍ରତିଶ୍ରୁତିବଦ୍ଧ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରାଚୀନ ବୈଦିକ ଶବ୍ଦରୁ ପ୍ରେରଣା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯେମିତି ବିଶ୍ୱ ନିଜ ଭିତରେ ସମ୍ପୂର୍ଣ୍ଣ, ଠିକ୍ ସେମିତି ଆମ ଗାଁ ଗୁଡ଼ିକ ମଧ୍ୟ ସକ୍ଷମ, ସଶକ୍ତ ଓ ସମୃଦ୍ଧ ହେବା ଉଚିତ," ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଏବଂ ସ୍ଥାୟୀ ଗ୍ରାମ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ।
ଗ୍ରାମୀଣ ଭାରତର ସାମଗ୍ରିକ ଏବଂ ନିରନ୍ତର ବିକାଶର କେନ୍ଦ୍ରବିନ୍ଦୁ ଜିପିଡିପିରେ ସେମାନଙ୍କ ଅବଦାନ ମାଧ୍ୟମରେ ପ୍ରତ୍ୟେକ ନାଗରିକ ଏବଂ ଅଂଶୀଦାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତା ମାଧ୍ୟମରେ ବ୍ୟାପକ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ସେମାନଙ୍କ ପଞ୍ଚାୟତଗୁଡ଼ିକୁ ଅଭିବୃଦ୍ଧି ଏବଂ ପ୍ରଗତିର ସମୃଦ୍ଧ କେନ୍ଦ୍ରରେ ପରିଣତ କରିବାରେ ସାହାଯ୍ୟ କରନ୍ତୁ। ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ଲକ୍ଷ୍ୟରେ ସାମୂହିକ ପ୍ରୟାସ ଉପରେ ଏହି ପଦକ୍ଷେପର ସଫଳତା ନିର୍ଭର କରେ ବୋଲି ସେ ଦୋହରାଇଥିଲେ। ଏକ ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ, ବିକଶିତ ଏବଂ ଅଧିକ ସମୃଦ୍ଧ ଭାରତ ପାଇଁ 'ସବକି ଯୋଜନା ସବକା ବିକାଶ' ଅଭିଯାନ - ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ପ୍ରେରଣା ଦେବା ସହ ଏହି ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାକୁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ/ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛି।
କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏକ ବିକଶିତ ଭାରତ ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ସହିତ ଅଭିଯାନର ସଂଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାମଗ୍ରିକ ବିକାଶ ଲକ୍ଷ୍ୟ ହାସଲରେ ଏକତା ଉପରେ ଗୁରୁତ୍ୱାରୋପ କରିବା ସହ ସରପଞ୍ଚ, ପଂଚାୟତ ସଭ୍ୟ ଓ ବାସିନ୍ଦାମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି। ବିକାଶ ପ୍ରକ୍ରିୟାରେ ପ୍ରତ୍ୟେକ ସ୍ୱର ଓ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ପିପୁଲ୍ସ ପ୍ଲାନ୍ ଅଭିଯାନକୁ ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଏକ ନିଆରା ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି।
ଗ୍ରାମର ବିକାଶ ପାଇଁ ଯୋଜନା କରିବା ନିମନ୍ତେ ନାଗରିକମାନଙ୍କ ସଶକ୍ତୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରକୃତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଲାଗି ଗ୍ରାମସଭାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲେ। ରାଷ୍ଟ୍ରମନ୍ତ୍ରୀ ନିରନ୍ତର ବିକାଶ ଲକ୍ଷ୍ୟ ସହିତ ଏହି ଅଭିଯାନର ଲିଙ୍କ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ବ୍ୟାପକ ସୂଚନା ପ୍ରସାରଣ ପାଇଁ ବିଭିନ୍ନ ସଂରେଖୀୟ ବିଭାଗର ଆଗଧାଡ଼ିର କର୍ମୀମାନଙ୍କୁ ଗ୍ରାମସଭାରେ ଯୋଗ ଦେବା ପାଇଁ ଦିଆଯାଇଥିବା ନିମନ୍ତ୍ରଣ ବିଷୟରେ ଉଲ୍ଲେଖ କରିଛନ୍ତି।
୨୦୨୫-୨୬ ପାଇଁ ପଞ୍ଚାୟତ ଉନ୍ନୟନ ଯୋଜନା (ପିଡିପି) ପ୍ରସ୍ତୁତି ନିମନ୍ତେ ଜନଯୋଜନା ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ ହୋଇଛି। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦେଶର ସମସ୍ତ ପଞ୍ଚାୟତ ଏବଂ ଅଂଶୀଦାରମାନଙ୍କୁ ନିବେଦନ କରି ଏହି ଗୁରୁତ୍ୱପୂର୍ଣ୍ଣ "ପିପୁଲ୍ସ ପ୍ଲାନ କ୍ୟାମ୍ପେନ୍ " (୨୦୨୪-୨୫)ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛି। 'ସବକି ଯୋଜନା ସବକା ବିକାଶ'ର ଭାବନାକୁ ପ୍ରତିଫଳିତ କରୁଥିବା ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ (ଜନ ଯୋଜନା ଅଭିଯାନ) ହେଉଛି ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ଭାରତରେ ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଗ୍ରାମୀଣ ନାଗରିକମାନଙ୍କୁ ସ୍ଥାନୀୟ ବିକାଶ ପାଇଁ ଯୋଜନା ପ୍ରକ୍ରିୟାରେ ଅଂଶଗ୍ରହଣ କରି ସେମାନଙ୍କ ଗ୍ରାମର ଭବିଷ୍ୟତ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସଶକ୍ତ କରିଥାଏ।