ଝରିଗାଁ: ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଥିବା ବେଳେ ଜଣେ କର୍କଟ ରୋଗୀ ସ୍ୱାସ୍ଥ୍ୟ ବୀମା କାର୍ଡ ଟଙ୍କାରେ ଚିକିତ୍ସା ହୋଇଥିଲେ। ସରକାର ବଦଳିବା ପରେ ସ୍ୱାସ୍ଥ୍ୟ ବୀମା କାର୍ଡ ମଧ୍ୟ ବଦଳିଗଲା। ଲୋକଙ୍କୁ ଆୟୁଷ୍ମାନ୍ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଗଲା। ତେବେ ଆୟୁଷ୍ମାନ୍ ସ୍ୱାସ୍ଥ୍ୟ ବୀମା କାର୍ଡ କୌଣସି କାରଣରୁ ପ୍ରଦାନ କରାଯାଇ ନଥିବା ଯୋଗୁଁ ପ୍ରାୟ ସାତ ମାସ ହେବ କର୍କଟ ରୋଗୀ ଚିକିତ୍ସା ହୋଇ ନପାରି ଚିନ୍ତାରେ ପଡ଼ିଛନ୍ତି ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିଆମ୍ବା ଗ୍ରାମର ଦିଲୀପ ପଟ୍ଟନାୟକ। 

Advertisment

ବାଞ୍ଜିଆମ୍ବା ଗ୍ରାମର କାଳୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ପୁଅ ଦିଲୀପ ପଟ୍ଟନାୟକ(୩୭)ଙ୍କ ଗତବର୍ଷ ନଭେମ୍ବର ମାସରେ ପାଟିରେ ଘା ହୋଇଥିଲା। ଚିକିତ୍ସା ପରେ ଘା ନଶୁଖିବା ଯୋଗୁଁ ବିଶାଖାପାଟଣା ଏକ ଘରେଇ ଡାକ୍ଟରଖାନାରେ ଚିକିତ୍ସା ହେବା ପାଇଁ ଯାଇଥିଲେ। ସେଠାରେ ପରୀକ୍ଷା କରିବା ପରେ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ଦିଲୀପ ପଟ୍ଟନାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟ ବୀମା କାର୍ଡ ଟଙ୍କାରେ ଦିଲୀପ ଚଳିତ ବର୍ଷ ଫେବ୍ରୁଆରି ୨୫ ତାରିଖ ଦିନ କର୍କଟ ରୋଗର ଚିକିତ୍ସା କରାଇଥିଲେ।ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ବନ୍ଦ ହୋଇ ଆୟୁଷ୍ମାନ୍ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିଲା।

New Project (15)

ନୂତନ ଭାବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୀଲିପଙ୍କୁ ଆୟୁଷ୍ମାନ୍ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରା ଯାଇନଥିବ ଅଭିଯୋଗ ହୋଇଛି। ତେଣୁ ଆୟୁଷ୍ମାନ୍ ସ୍ୱାସ୍ଥ୍ୟବୀମା କାର୍ଡରେ ଦିଲୀପଙ୍କ ଫଟୋ ଆସୁନଥିବା ଯୋଗୁଁ ବିଶାଖାପାଟଣା ଘରେଇ ଡାକ୍ତରଖାନାରେ ଆୟୁଷ୍ମାନ୍ ସ୍ୱାସ୍ଥ୍ୟବୀମା କାର୍ଡରେ ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହୁଥିବା ଦିଲୀପ ଅଭିଯୋଗ କରିଛନ୍ତି। ଘରର ଆର୍ଥିକ ସ୍ଥିତି ଠିକ ନଥିବା ବେଳେ ଚିକିତ୍ସା ପାଇଁ ଅର୍ଥି ଯୋଗାଡ଼ ସମ୍ଭବ ହେଉନାହିଁ। ବର୍ତ୍ତମାନ ସାତ ମାସ ହେବ ଦିଲୀପ ଚିକିତ୍ସାରୁ ବଞ୍ଚିତ ହୋଇ ଘରେ ଅଛନ୍ତି। ସେହିପରି ଦିଲୀପଙ୍କ ଚିକିତ୍ସା ପାଇଁ ପରିବାର ଚିନ୍ତାରେ ପଡିଛନ୍ତି।

ଆୟୁଷ୍ମାନ୍ ସ୍ୱାସ୍ଥ୍ୟବୀମା କାର୍ଡର ତ୍ରୁଟି ସୁଧାରିବା ପାଇଁ ବହୁବାର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଦିଲୀପ ଅଭଯୋଗ କରିଛନ୍ତି। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଆୟୁଷ୍ମାନ୍ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ ପାଇଁ ପରିବାର ଲୋକ ଗୁହାରି କରିଛନ୍ତି।

Nabarangpur | Health

ରିପୋର୍ଟ: ରମେଶ ପଟ୍ଟନାୟକ