କୋରାପୁଟ: କୋରାପୁଟ ଜିଲ୍ଲାରେ ରାଜ୍ୟ କାଜୁ ଉନ୍ନୟନ ନିଗମ ଜୟପୁର ଡିଭିଜନ୍ ଆରମ୍ଭ ହୋଇଥିଲା। ୧୮ବର୍ଷ ତଳେ ରାଜ୍ୟ ସରକାରଙ୍କ ଲାଭକାରୀ ସଂସ୍ଥା ମଧ୍ୟ‌ରେ ଏହି ନିଗମର ପ୍ରମୁଖ ଭୂମିକା ରହିଥିଲା। କାଜୁବାଡ ଗୁଡିକୁ ନିଗମ ନିଲାମ କରି ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ପାଉଥିଲା। ୨୦୦୭ ମସିହାରେ ଦଫାୟତି ଜମି ପଟ୍ଟା ସରକାର ବିତରଣ କରିବା ପରେ ବିଭିନ୍ନ ଗାଁର ଗ୍ରାମବାସୀ ଏବଂ ପୁର୍ବରୁ କାଜୁବାଡର ଦେଖାରଖା କରୁଥିବା ଲୋକେ ଡିଭିଜନର ଶତ ପ୍ରତିଶତ ବାଡ଼କୁ ନିଜ ଅକ୍ତିଆରରେ ରଖି ରାଜସ୍ବ ବି ଦାଖଲ କରୁନାହାନ୍ତି। ଫଳରେ ଡିଭିଜନ କ୍ଷତିରେ ଚାଳିଛି। ଏବେ ଡିଭିଜନକୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ଜୟନ୍ତଗିରୀ, କୋରାପୁଟ ସହ ନବରଙ୍ଗପୁର ଜିଲ୍ଲାର ଅଗ୍ନିପୁରରେ ୩ଟି ନର୍ସରୀ ହିଁ ବଂଚାଇ ରଖିଥିବା ସୂଚନା ମିଳିଛି। 

Advertisment

ପ୍ରକାଶଯୋଗ୍ୟ, ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କାଜୁ ବଗିଚା ସୃଷ୍ଟି କରାଯାଇ ରାଜ୍ୟ କାଜୁ ଉନ୍ନୟନ ନିଗମକୁ କେବଳ କାଗଜପତ୍ରରେ ହସ୍ତାନ୍ତର କରାଯାଇଥିଲା। ଆରଓଆର(ଜମି ପଟ୍ଟା(ରେକର୍ଡ ଅଫ୍ ରାଇଟସ୍ ) କିଛି ଡିଭିଜନକୁ ମିଳିନଥିଲା। ଜିଲ୍ଲାର ନନ୍ଦପୁର, ପାଡୁଆ ଅଂଚଳରେ ୪୪ଟି ବାଡ଼ରେ ୮ହଜାର ହେକ୍ଟର, ଲମତାପୁଟ, ମାଛକୁଣ୍ଡ ଓ ଅନକାଡିଲ୍ଲୀ ଅଂଚଳରେ ୬୭ଟି ବାଡ଼ ୧୧ହଜାର ହେକ୍ଟର, ସେମିଳିଗୁଡା, ପୋଡାଗଡ, ଟାମିଲି, ନିଗମାନିଗୁଡା, ଜୟପୁର ଓ ବୋରିଗୁମ୍ମା ତହସିଲର ବିଭିନ୍ନ ଅଂଚଳରେ ହଜାରେ ହେକ୍ଟର ଏଭଳି ୨୦ହଜାର ହେକ୍ଟର କାଜୁ ବାଡ ରହିଥିଲା। 

୨୦୦୭ ମସିହା ପରେ ରାଜ୍ୟ ସରକାର ଦଫାୟତି ଜମି ପଟ୍ଟା ବିତରଣ ଆରମ୍ଭ କରିଥିଲେ। କାଜୁ ବାଡ଼କୁ ନିଲାମରେ ନେଇ ଦେଖାରଖା କରୁଥିବା ଗ୍ରାମବାସୀ ଓ ପୁରା ଗାଁର ଲୋକ ମାନେ ଏସବୁ କାଜୁ ବାଡ଼କୁ ସେ ସମୟରେ ନିଜ ଅଧିନକୁ ବଳପୂର୍ବକ ନେଇ ଯାଇଥିଲେ। ଏପରିକି ବହୁ ଗାଁରେ କାଜୁବାଡ଼କୁ ନେଇ ପ୍ରତିବର୍ଷ ବିବାଦ ହେବା ସହ  ଗଣ୍ଡଗୋଳ, ମାରପିଟ୍ ଓ ହଣାକଟା ବି ଏବେ ବି ଜାରି ରହିଛି। କାଜୁ ବାଡ଼ ଗୁଡିକର ଜମି ପଟ୍ଟା ଡିଭିଜନ ନାଁରେ ନଥିବାରୁ ଡିଭିଜନ୍ କୋର୍ଟର ଦ୍ବାରସ୍ଥ ହୋଇ ପାରିନଥିଲା। ଏନେଇ କେବଳ ଡିଭିଜନର ଅଧିକାରୀ ମାନେ ରାଜ୍ୟସ୍ତରୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ କାଗଜପତ୍ରରେ ହିଁ କେବଳ ଜଣାଉଛନ୍ତି।  

ଏହି ସ୍ଥିତିରେ ଏବେ ଡିଭିଜନ ନାଁରେ ଇଂଚେ କାଜୁ ବଗିଚାର ଆରଓଆର(ମାଲିକାନାସତ୍ତ୍ବ) ଜମି ପଟ୍ଟା ନାହିଁ। ଏହା ବାଦେ ବି କିଛି କର୍ମଚାରୀଙ୍କ ପ୍ରଚେଷ୍ଠାରେ ନନ୍ଦପୁର ବ୍ଲକର କିଛି କାଜୁ ବାଡ, ସେମିଳିଗୁଡା, ପଡାଗଡ ଅଂଚଳରୁ ବର୍ଷକୁ ୨୦ଲକ୍ଷ ମିଳୁଛି ବୋଲି ଡିଭିଜନରୁ ସୂଚନା ମିଳିଛି। ଡିଭିଜନ ଅଧିନରେ ଥିବା ଜୟନ୍ତଗିରୀ, କୋରାପୁଟ ସହ ନବରଙ୍ଗପୁର ଜିଲ୍ଲାର ଅଗ୍ନିପୁରରେ ଥିବା ନର୍ସରୀରେ କାଜୁ ଚାରା ପ୍ରସ୍ତୁତ କରି ବିଭିନ୍ନ ସରକାରୀ ବିଭାଗକୁ ବିକ୍ରି କରି ପ୍ରାୟ ୨୦ଲକ୍ଷ ଟଙ୍କା ମିଳୁଛି, ଏହା ହିଁ ଡିଭିଜନକୁ ବଂଚାଇ ରଖିଛି ବୋଲି ସୂଚନା ମିଳିଛି।

 

ଜିଲ୍ଲା ପ୍ରଶାସନ କ୍ଷୁଦ୍ରଶସ୍ୟ ତଥା ଲାଭକାରୀ ପସଲ ଚାଷକୁ ପ୍ରତ୍ସାହିତ କରି ଆସୁଥିବା ବେଳେ କାଜୁ ଲାଭକାରୀ ଚାଷ ହୋଇଥିବାରୁ ଏହାକୁ ପ୍ରତ୍ସାହିତ କରିବା କଥା। ଏପରିକି ଜିଲ୍ଲାରେ ୫୦ରୁ ଉର୍ଦ୍ଧ୍ବ କାଜୁ ପ୍ରକ୍ରିୟାକରଣ ମିଲ୍ ରହିଛି। ତେବେ ଏହି ମିଲ ଗୁଡିକୁ କଂଚାମାଲ (କାଜୁ) ମିଳୁନଥିବାରୁ ବିଦେଶରୁ କାଜୁ ଆମଦାନୀ କରି ଆଣି ମିଲ୍ ଚଳାଇଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।