ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଗୁହାଳ ପୋଡ଼ିରେ ଗୋଟିଏ ଗର୍ଭବତୀ ଗାଈ ଓ ଗୋଟିଏ ବାଛୁରୀ ପୋଡ଼ିଯାଇ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଟି ଗାଇ ଅଧାପୋଡା ଅବସ୍ଥାରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ଏଭଳି ଦୁଃଖଦ ଘଟିଛି ଗରଦପୁର ବ୍ଲକ୍ ତଳକୁସୁମା ପଞ୍ଚାୟତ ବଙ୍ଗାରୀ ଗ୍ରାମରେ।
ବଙ୍ଗାରୀ ଗ୍ରାମର ରୁଷ ସ୍ଵାଇଁ ନାମକ ଜନୈକ ବ୍ୟକ୍ତି ଗୁହାଳ ଘରେ ନିଜର ଗାଈମାନଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଗୁହାଳ ଘରେ ଧୂଆଁ ଦେଇ ନିଜ ଘରେ ଶୋଇ ପଡିଥିବା ଅବସ୍ଥାରେ ନିଆଁ କୁହୁଳୀ ସମଗ୍ର ଗୁହାଳ ଘରକୁ ବ୍ୟାପିଯାଇଥିଲା। ଗୋରୁମାନଙ୍କ ଚିତ୍କାର ଶୁଣି ଘର ଲୋକ ଓ ପଡ଼ୋଶୀମାନେ ନିଆଁ ଲିଭାଇବାକୁ ପ୍ରୟାସ କରିବା ସହିତ ଗୋରୁମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ଦୁଃଖର ବିଷୟ ଦୁଇଟି ଗାଈଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଗୋଟିଏ ଗର୍ଭବତୀ ଗାଈ ଓ ଗୋଟିଏ ବାଛୁରୀକୁ ବଞ୍ଚାଇ ପାରିନଥିଲେ।
ଖବର ପାଇଁ କୋରୁଆ ଅଗ୍ନିଶମ ବାହିନୀର ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କଲା ବେଳକୁ ସବୁ କିଛି ଶେଷ ହୋଇଯାଇଥିବା ବେଳେ ଗରଦପୁର ଭି ଏସ୍ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଗୋରୁମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏପରି ଦୁଃଖଦ ଖବର ପାଇ ତଳକୁସୁମା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଅଶୋକ କୁମାର ଜେନା ରୁଷ ସ୍ଵାଇଁଙ୍କ ଘରେ ପହଞ୍ଚି ଏକ ଜରୀ ପାଲ ପ୍ରଦାନ କରିବା ସହିତ ଏ ସମ୍ପର୍କରେ ଗରଦପୁର ତହସିଲଦାରଙ୍କୁ ଅବଗତ କରାଇ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିଲେ।
Kendrapara