କୋରାପୁଟ: ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ‘ଶୋଭା’ ଅନୁଷ୍ଠାନ ଦ୍ୱାରା ପରିଚାଳିତ କମ୍ୟୁନିଟି ରେଡିଓ ଷ୍ଟେସନ୍ ରେଡିଓ ଢେମସାକୁ ପରିଦର୍ଶନ କରିଥିଲେ। ଜିଲ୍ଲାର ଏକମାତ୍ର କମ୍ୟୁନିଟି ରେଡିଓ ଷ୍ଟେସନ୍ ଏହି ଅଞ୍ଚଳର ବିଭିନ୍ନ ସମ୍ପ୍ରଦାୟର ବିକାଶର ଆବଶ୍ୟକତାକୁ ପୂରଣ କରିବା ସହ ସେମାନଙ୍କର ସୂଚନା ଏବଂ ମତାମତକୁ ପ୍ରଶାସନକୁ ଅବଗତ କରାଇଥାଏ।
ସାମ୍ବାଦିକତା ଏବଂ ଗଣଯୋଗାଯୋଗର ଅଧ୍ୟାପକଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ଓ ଗବେଷକ ମାନେ ରେଡିଓ ଷ୍ଟେସନ ପରିଦର୍ଶନ କରିଥିଲେ ଏବଂ ସମାଜ ପାଇଁ ଏହା ଏନଜିଓ ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ସେମାନେ ସଂସ୍ଥା ଦ୍ୱାରା ପ୍ରସାରିତ ରେକର୍ଡ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକର ଅନୁଧ୍ୟାନ କରିବା ସହ ରେଡିଓ ଷ୍ଟେସନର କାର୍ଯ୍ୟକ୍ରମର ବିଭିନ୍ନ ଦିଗ ବିଷୟରେ ଅଭିଜ୍ଞତା ହାସଲ କରିଥିଲେ।
ପ୍ରାରମ୍ଭରେ ବିଭାଗର ମୁଖ୍ୟ ଡକ୍ଟର ନିଖିଲ କୁମାର ଗୌଡ଼ଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅନୁଷ୍ଠାନର ଜାନିଗୁଡା କାର୍ଯ୍ୟାଳୟ ପରିଦର୍ଶନ କରି ଅଧିକାରୀଙ୍କ ସହ ଅଲୋଚନା କରିଥିଲେ। କାର୍ଯ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଶୋଭା ସଂଗଠନର କାର୍ଯ୍ୟଧାରା ଏବଂ ରେଡିଓ ଢେମସାର କାର୍ଯ୍ୟକଳାପ ବିଷୟରେ ଅବଗତ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ସଞ୍ଜିତ କୁମାର ପଟ୍ଟନାୟକ।
କମ୍ୟୁନିଟି ରେଡିଓର ଉଦ୍ଦେଶ୍ୟ ଏବଂ ସାମାଜିକ ଉନ୍ନତି ପାଇଁ କୋରାପୁଟ ଏବଂ ଏହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ରେଡିଓ ଢେମସାର କାର୍ଯ୍ୟକଳାପ ବିଷୟରେ ସେ ସୂଚନା ଦେଇଥିଲେ। ସାମ୍ବାଦିକତା ଓ ଗଣଯୋଗଯୋଗର ସହ ପ୍ରାଧ୍ୟାପକ ଡକ୍ଟର ପ୍ରଦୋଷ କୁମାର ରଥ, ଡକ୍ଟର ଗୌରଭ ରଂଜନ, ଡକ୍ଟର ସୋନି ପାଢ଼ୀ ଏବଂ ଡକ୍ଟର ତଲତ ଜାହାନ ବେଗମ ପ୍ରମୁଖ ଯୋଗ ଦେଇଥିଲେ।ପ୍ରାରମ୍ଭିକ ଅଧିବେଶନ ପରେ, ଛପର ଗ୍ରାମରେ ରେଡିଓ ଢେମସାକୁ ପରିଦର୍ଶନ କରିଥିଲେ ଏବଂ ଉପସ୍ଥାପନ, ଧ୍ୱନି ମିଶ୍ରଣ, ଏବଂ ଅନ୍ୟାନ୍ୟ ଦିଗ ସହିତ ରେଡିଓ କାର୍ଯ୍ୟକ୍ରମର ପରିବେଶନର ବିଭିନ୍ନ କୌଶଳ ଉପରେ ଶିକ୍ଷା ଲାଭ କରିଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି। ଶୋଭା ଅନୁଷ୍ଠାନର ରାମ ପ୍ରସାଦ ପଟ୍ଟନାୟକ, ନିବେଦିତା ପଣ୍ଡା ଏବଂ ଅର୍ପିତା ତ୍ରିପାଠୀ ପ୍ରମୁଖ ଭାଗ ନେଇ ରେଡିଓ ଡେମସାର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ।
Koraput