ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକ ମାନବୀର ଆଶ୍ରମ ସ୍କୁଲର ଛାତ୍ରୀ ଚାନ୍ଦିନୀ ଆଲଡ଼ାଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକସ୍ଥିତ ଶିଶୁ ଭବନରେ ମୃତ୍ୟୁ ଘଟଣାକୁ ୫ ମାସରୁ ଅଧିକ ସମୟ ଅତିକ୍ରାନ୍ତ କରିଛି। ପୀଡିତାଙ୍କ ପରିବାରକୁ ଅନୁକମ୍ପାମୂଳକ ଆର୍ଥିକ ରାଶି ପାଇଁ ନିର୍ଦ୍ଦେଶ ହୋଇଛି। କିନ୍ତୁ ପୀଡିତା ପରିବାରକୁ ଏପର୍ଯ୍ୟନ୍ତ ଏହା ମିଳିପାରି ନାହିଁ। ଫଳରେ ପୀଡିତାଙ୍କ ମା ଓ ଭଉଣୀ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି।
ସୂଚନାଯୋଗ୍ୟ, ୭ମ ଶ୍ରେଣୀ ଛାତ୍ରୀ ଚାନ୍ଦିନୀର ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଭଉଣୀ ଲଷ୍ମୀ ଆଲଡ଼ା ଅଭିଯୋଗ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ବେହେରା, ମ୍ୟାଟ୍ରନ କୁଇଲୁ ଟୁଡୁ ଚାନ୍ଦିନୀଙ୍କର ମୃତ୍ୟୁ ପରେ ତାଙ୍କରି ମା' ମୁନୀ ଆଲଡ଼ା, ବଡ଼ଭଉଣୀ ଦୁଗୀ ଆଲଡ଼ା, ଭିଣୋଇ ମୁକେଶ ରୋଶନ ସୟଙ୍କ ସମେତ ୪ ଜଣଙ୍କୁ ଗୋଟିଏ କାରରେ ବସାଇ ଏହାର ପଛପଟ ଡି଼କିରେ ଚାନ୍ଦିନୀଙ୍କ ଶବକୁ ଭର୍ତ୍ତି କରାଇ ସେଠାରୁ ଚାଲି ଯାଇଥିଲେ। କାରରେ ୪ ଜଣଯାକ ଡ୍ରାଇଭରଙ୍କ ପଛ ସିଟ୍ରେ ବସିଥିଲେ।
ଏହି ଘଟଣା ପରେ ପ୍ରଧାନଶିକ୍ଷକ ଶ୍ରୀ ବେହେରାଙ୍କୁ ନିଲମ୍ବିତ କରାଯାଇଛି। ମାତ୍ର ମ୍ୟାଟ୍ରନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଚାନ୍ଦିନୀ ମୃତ୍ୟୁର ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ବାପାମାଆଙ୍କୁ ହସ୍ତାନ୍ତର କରାଗଲା ନାହିଁ । ଭଉଣୀ ଲଷ୍ମୀର ଅଭିଯୋଗ ପରେ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ସଚିବାଳୟରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ଉପଯୁକ୍ତ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଚାନ୍ଦିନୀର ଶବକୁ ଅମାନୁଷିକ ଭାବେ କାର୍ ଡି଼କିରେ ପ୍ରଧାନଶିକ୍ଷକ ଏବଂ ମ୍ୟାଟ୍ରନ ଆଣିବାକୁ ବାଧ୍ୟ କରିଥିବାରୁ ଆଦିବାସୀ ପରିବାରର ସମ୍ମାନ ହାନି ହୋଇଥିବା ମୃତା ଛାତ୍ରୀର ପରିବାର ଲୋକେ ଅଭିଯୋଗ କରିଆସିଛନ୍ତି।
ତଦନ୍ତ ଅଧିକାରୀ ରାଇରଙ୍ଗପୁର ଉପଖଣ୍ଡ ପୁଲିସ୍ ଅଧିକାରୀ ତଦନ୍ତ ରିପୋର୍ଟ ଅନୁସାରେ ତାଙ୍କରି ମୃତା ଚାନ୍ଦିନୀର ମାଆଙ୍କ ବୟାନକୁ ସମ୍ପୂର୍ଣ ଭୁଲ୍ ଦର୍ଶାଇ ଯାଇଛି। ଏଥିରେ ଡ୍ରାଇଭରଙ୍କ କହିବାନୁସାରେ ଚାନ୍ଦିନୀର ଶବକୁ ଡି଼କିରେ ଭର୍ତ୍ତି କରାଯାଇଥିଲା ବୋଲି ମାଆ ମୁନୀ ଆଲଡ଼ା ବୟାନ ଦେଇଥିବା ଉଲ୍ଲେଖ ଅଛି, ଯେଉଁଥିରେ ପୁଲିସ୍ ପ୍ରଶାସନ ତରଫରୁ ପୀଡ଼ିତା ପରିବାରକୁ ଉପହାସ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ବାସ୍ତବରେ ପ୍ରଧାନଶିକ୍ଷକ ଓ ମ୍ୟାଟ୍ରନ କହିବା ଅନୁସାରେ ଚାନ୍ଦିନୀଙ୍କ ଶବକୁ ଡ଼ିକିରେ ଆଣିବାକୁ ପରିବାର ଲୋକେ ବାଧ୍ୟ ହୋଇଥିଲେ।
ପ୍ରଶାସନିକ ଅଧୂକାରୀମାନେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ଏବଂ ମ୍ୟାଟ୍ରନ୍ ସୁଶ୍ରୀ ଟୁଡ଼ୁଙ୍କୁ ଚାକିରିରେ ଯେପରି ଆଞ୍ଚ ନଆସେ ସେଥିପାଇଁ ଚେଷ୍ଟିତ। ଚିକିତ୍ସାରେ ଅବହେଳା ଯୋଗୁଁ ଚାନ୍ଦିନୀର ମୃତ୍ୟୁ ପରେ ପ୍ରଧାନଶିକ୍ଷକ ପରାମର୍ଶରେ ଶବକୁ ଡ଼ିକିରେ ଅଣା ଯାଇଥିବାରୁ ଏହାର ନ୍ୟାୟ ବିଚାର କରି ତୁରନ୍ତ ସରକାରୀ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଲଷ୍ମୀ ତାଙ୍କରି ମାଆ ମୁନୀ ଆଲଡ଼ାଙ୍କ ସହିତ ଭୁବନେଶ୍ୱରସ୍ଥିତ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ କାର୍ଯ୍ୟାଳୟରେ ଲିଖିତ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/8FWVVw92S6jiYqXoemVe.jpeg)