ଜହ୍ନlପଙ୍କ(ସୁଧାଂଶୁ ଶେଖର ମିଶ୍ର): ଆଜି ଶ୍ରାବଣର ଦ୍ବିତୀୟ ସୋମବାର। ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। କାଉଡ଼ିଆଙ୍କ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନରେ ଶିବାଳୟଗୁଡ଼ିକରେ ଶିବମନ୍ତ୍ର, ବୋଲ୍‌ମବ୍‌ ଡାକରେ ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରାଚୀନ କଳାକୃତିପୂର୍ଣ ମନ୍ଦିର ମଧ୍ୟରୁ ଅନ୍ୟତମ ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ଗନ୍ଧରାଡ଼ିସ୍ଥିତ ଶିବ ମନ୍ଦିରରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ମହାଦେବଙ୍କୁ ଶ୍ରଦ୍ଧାର ଜଳ ଅଭିଷେକ କରିଛନ୍ତି।

Advertisment

ବୌଦ୍ଧର ପ୍ରାଚୀନ ଇତିହାସ ଗୌରବମୟ ଥିବାବେଳେ ଏଠାରେ ଥିବା ପ୍ରାଚୀନ ବୌଦ୍ଧ ପୀଠ, ଶୈବ ପୀଠ, ଦେବୀ ପୀଠ ଯୋଗୁଁ ବୌଦ୍ଧ ଜିଲ୍ଲା ଆଜି ଗର୍ବିତ। ଚାରିଶମ୍ଭୁର ବିଷେଶ୍ବତ ହେଲା ଗୋଟିଏ ମଣ୍ଡପ ଉପରେ ହର(ସିଦ୍ଧେଶ୍ୱର) ଓ ହରି(ନୀଳମାଧବ) ମନ୍ଦିର ଅବସ୍ଥିତ। ହର ମନ୍ଦିର ଚୂଡ଼ାରେ ଶିବ ଲିଙ୍ଗ ଥିବା ବେଳେ ମନ୍ଦିର ମଧ୍ୟରେ ଶିବ ଲିଙ୍ଗ ଅବସ୍ଥିତ। ସେହିପରି ହରି ମନ୍ଦିର ଚୂଡ଼ାରେ ଚକ୍ର ସ୍ଥାପିତ ହୋଇ ଥିବା ବେଳେ ମନ୍ଦିର ମଧ୍ୟରେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ବିଷ୍ଣୁ ବିରାଜମାନ କରିଛନ୍ତି, ଯାହାକି ପୃଥିବୀର ବିରଳ ବୋଲି ଐତିହାସିକମାନେ ମତପ୍ରକାଶ କରନ୍ତି।

charisambhu

ଏହି ବିଶ୍ଵ ପ୍ରସିଦ୍ଧ ମନ୍ଦିର ଦ୍ବୟ ନିର୍ମାଣ ଅଷ୍ଟମ ଶତାବ୍ଦୀରେ ତତ୍କାଳୀନ ଭଞ୍ଜ ବଂଶୀୟ ତଥା ଭୌମକର ଶାସକଙ୍କ ଦରଦ ରାଜ୍ୟ ରୂପେ ଶାସନ କରୁଥିବା ରାଜା ଶତ୍ରୁଭଞ୍ଜ ପ୍ରଥମଙ୍କ ସମୟରେ ନିର୍ମାଣ କରାଯାଇଥିବା ଐତିହାସିକ ମାନେ ମତ ଦିଅନ୍ତି। ମନ୍ଦିର ଦ୍ୱୟର ନିର୍ମାଣ ଶୈଳୀ ସମାନ ଓ ଏହାର ଉଚ୍ଚତା ୪୦ ଫୁଟ। ଏଠାରେ ଥିବା ପ୍ରାଚୀନ କୀର୍ତ୍ତୀରାଜରୁ ଅନୁମାନ କରାଯାଏ। ପୂର୍ବରୁ ଏହି ମନ୍ଦିର ଦ୍ବୟ ନିକଟରେ ଅନ୍ୟ ଦୁଇଟି ପ୍ରାଚୀନ ଶୈବ ମନ୍ଦିର ଯଥା-ଯୋଗେଶ୍ୱର ଓ କପିଳେଶ୍ୱର ଥିବା ବେଳେ ଉକ୍ତ ଦୁଇ ଗୋଟି ମନ୍ଦିର କାଳର କରାଳ ଗତିରେ ଧ୍ବଂସ ହୋଇ ଯାଇଛି। ଏହାର ଅନତି ଦୂରରେ ପଶ୍ଚିମ ସୋମନାଥ ମନ୍ଦିର ଦେଖିବାକୁ ମିଳେ।

୭୨ ଗୋଟି ମନ୍ଦିର ମଧ୍ୟରେ ବର୍ଣ୍ଣିତ ୪ ଗୋଟି ଶିବ (ଶମ୍ଭୁ) ମନ୍ଦିର ଥିବାରୁ ଏହି ସ୍ଥାନର ନାମ ଚାରିଶମ୍ଭୁ ବା ଗନ୍ଧରାଡି ବୋଲି ସର୍ଵଜନାଦୃତ। ନିର୍ମିତ ମନ୍ଦିର ତତ୍କାଳୀନ ସମୟରେ ରାଜଧାନୀର ଉତ୍ତର ପଶ୍ଚିମ କୋଣରେ ମହାନଦୀ କୂଳରେ ଥିଲା। ଇତିହାସର ସମୟ ପ୍ରବାହରେ ଏହି ବିଶାଳ ଭୂଖଣ୍ଡରେ ରାଜଧାନୀର ନାମ ବିଭିନ୍ନ ପର୍ଯ୍ୟାୟରେ ଧୃତିପୁର, ଯଯାତି ନଗର (ଅଧୁନା ଜଗତି), ଗନ୍ଧବତୀ ପାଟଣା, ଗନ୍ଧିତପତି ନଗର ବୋଲି ପ୍ରାପ୍ତ ତାମ୍ର ଫଳକରୁ ସୂଚୀତ ହୋଇଥାଏ। ତତ୍କାଳୀନ ରାଜଧାନୀ ଯଯାତି ନଗର ଦୁଇ ପ।ର୍ଶ୍ଵରୁ ମହାନଦୀ ଭାଗ ହୋଇ ଏକ ଦ୍ୱୀପ ସଦୃଶ ସୃଷ୍ଟି ହୋଇ ଏହା ମଧ୍ୟରେ ରାଜଧାନୀ ଅବସ୍ଥାପିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନଦୀ ଗତିପଥ ବଦଳାଇବା ସହିତ କେବଳ ଦକ୍ଷିଣ ଦିଗରେ ଘାଇ ସୃଷ୍ଟି ହୋଇ ପ୍ରବାହିତ ହୋଇଥିଲା। ଫଳରେ ସେହି ପ୍ରାଚୀନ ନଗରୀ ତଥା ରାଜଧାନୀ ଯଯାତି ନଗର ମହାନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା। ଏହାର ପ୍ରମାଣ ଏଠାକାର ନଦୀ ଶଯ୍ୟାରୁ ପ୍ରାପ୍ତ ହୋଇ ଥିବା ବିଭିନ୍ନ ଦୀପ, ଚଉରା, ହଣ୍ଡା ପାତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରୁ ମିଳେ।

ଶୈବ ଓ ବୈଷ୍ଣବ ଧର୍ମର ମିଳନ ସ୍ଥଳୀ ଭାବରେ ପରିଚିତ ଏହି ମନ୍ଦିର ଦ୍ୱୟ ଉତ୍କୃଷ୍ଟ ଗାନ୍ଧାରକଳା ବ୍ୟତୀତ ମନ୍ଦିରର ନିର୍ମାଣ ଶୈଳୀ ଦେଖିଲେ ଯେକୌଣସି ପର୍ଯ୍ୟଟକ ବିସ୍ମିତ ହୋଇଥାଏ। ଉଭୟ ମନ୍ଦିରର ଗମ୍ଭୀରା ଘର ମଧ୍ୟରେ ଗୋଟିଏ ଲେଖାଏଁ ଗବାକ୍ଷ (ଝରକା) ଦେଖିବାକୁ ମିଳେ। ଏହା ମଧ୍ୟଦେଇ ଆଲୋକ ସମ୍ପୂର୍ଣ୍ଣ ଭାବରେ ମୁଖ୍ୟ ମନ୍ଦିରରେ ପ୍ରବେଶ କରୁଥିଲେ ମଧ୍ୟ ବର୍ଷା ପାଣି ଭିତରକୁ ପ୍ରବେଶ କରେ ନାହିଁ।ଉକ୍ତ ଦୁଇ ମନ୍ଦିରର ଜଗମୋହନରେ ଦୁଇଟି କଳା ମୁଗୁନି ପଥରରେ ନିର୍ମିତ ବିରାଟ ଝରକାମାନ ସ୍ଥାପନ କରାଯାଇଛି। ଏହାର ବିଶେଷତ୍ୱ ହେଲା ଏହି ଦୁଇ ମନ୍ଦିରର ୪ ଟି ଝରକାର ଜାଲି(ଛିଦ୍ର)ଗୁଡିକ ସମାନ୍ତରାଳ ରେଖାରେ ବସ।ଯାଇଛି।

charisambhu1

ଏହି ଦୁଇ ମନ୍ଦିରରେ ସିଦ୍ଧେଶ୍ୱର ଓ ନୀଳମାଧବଙ୍କ ବ୍ୟତୀତ ଅନ୍ୟାନ୍ୟ ପାର୍ଶ୍ଵ ଦେବତା ଭାବରେ ଗଣେଶ, ଦୁର୍ଗା, ଚାମୁଣ୍ଡା, ଭୈରବ,ଦଶାବତାର, ବୁଦ୍ଧ, ମହାଲଷ୍ମୀ ଇତ୍ୟାଦିଙ୍କ ପ୍ରତିମୂର୍ତ୍ତିଙ୍କୁ ଭକ୍ତମାନେ ବିଭିନ୍ନ ନାମରେ ସ୍ମରଣ କରି ପୂଜା କରିଥାନ୍ତି।

କେମିତି ଯିବେ: ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ର ବୌଦ୍ଧରୁ ପଶ୍ଚିମକୁ ୧୩ କିମି ଗଲା ପରେ ପଡ଼େ ଜହ୍ନାପଙ୍କ ଛକ। ଏହି ଛକ ଠାରୁ ଉତ୍ତରକୁ ୨.୫ କିମି ଗଲେ ପଡ଼େ ଏହି ଐତିହାସିକ କୀର୍ତିରାଜ ହରିହରଙ୍କ ମିଳନ ସ୍ଥଳୀ ତଥା ବିଶ୍ଵ ପ୍ରସିଦ୍ଧ ଗନ୍ଧରାଡ଼ି ବା ଚାରିଶମ୍ଭୁ ମନ୍ଦିର। ଭକ୍ତଙ୍କ ଉଦ୍ଦେଶ୍ୟରେ ଜହ୍ନାପଙ୍କ ଛକ ଠାରେ ନିର୍ମିତ ହୋଇଛି ସେହି ହରିହରଙ୍କୁ ସମର୍ପିତ ଏକ ବିରାଟ ସ୍ଥାୟୀ ତୋରଣ।

ଏଠାରେ କାର୍ତ୍ତିକ, ମାଘ, ବୈଶାଖ, ଶ୍ରାବଣ ମାସରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ବର୍ଷରେ ମହାଶିବରାତ୍ରି ଓ ମହାବିଷୁବ ସଂକ୍ରାନ୍ତିରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ଏହି ମନ୍ଦିରକୁ ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକମାନେ ଦର୍ଶନ ପାଇଁ ଆସୁଥିବା ବେଳେ ତାଙ୍କ ରହିବା ପାଇଁ କୌଣସି ସୁବିଧା ନଥିବାରୁ ଆଉ ବାହାର ପର୍ଯ୍ୟଟକ ଆସିବାକୁ ଉଚିତ ମଣୁ ନାହାଁନ୍ତି। ୧୯୫୮ ମସିହାରୁ କେନ୍ଦ୍ର ପ୍ରତ୍ନତତ୍ୱ ବିଭାଗ ଏହାକୁ ନିଜ ଅଧୀନକୁ ନେଇଥିଲେ ମଧ୍ୟ ଏହାର ସୁରକ୍ଷା କିମ୍ବା ଏହାର ଉନ୍ନତି ନିମନ୍ତେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଫଳରେ ଏଠାରେ ଥିବା କିଛି ଦୁର୍ଲ୍ଲଭ କଳାକୃତି ଧ୍ୱଂସ ପାଇବାକୁ ବସିଲାଣି।

ମନ୍ଦିର ପରିସରରେ ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ହେଲେ ଅନ୍ଧାରରେ ମନ୍ଦିର ଦ୍ବୟ ହଜିଯାଏ। ଏଠାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଯିବା ସହିତ ଚତୁରପ।ର୍ଶ୍ଵ ଆଲୋକୀକରଣ ଓ ମନ୍ଦିର ପଛ ପାର୍ଶ୍ୱରେ ଏକ ପାର୍କ ନିର୍ମାଣ କରାଯିବା ସହ ଜହ୍ନ।ପଙ୍କ ଠାରୁ ଚାରିଶମ୍ଭୁ ପର୍ଯ୍ୟନ୍ତ ଆଲୋକୀକରଣ କରାଯାଆନ୍ତା ତେବେ ଦୈନିକ ଏହି ମନ୍ଦିର ଦର୍ଶନ କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ଦେଶ ତଥା ଦେଶ ବାହାରୁ ଆସିବା ସହିତ ଏହାର ଶିରି ବଢିବା ସହିତ ସ୍ଥାନୀୟ ଲୋକଙ୍କ ବ୍ୟବସାୟୀକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ କେତେକ ବେକାର ଯୁବକ ରୋଜଗାର ର ମାଧ୍ୟମ ହୁଅନ୍ତା। ତିନି ବର୍ଷ ହେଲା ଏହି ମନ୍ଦିର ଉନ୍ନତି ପାଇଁ ଗନ୍ଧରାଡ଼ି ଲୋକକଳା ମହୋତ୍ସବ କରାଯାଉଛି। କିନ୍ତୁ ମନ୍ଦିର ଉନ୍ନତି ପାଇଁ କାହାରି ଶୁଭ ଦୃଷ୍ଟି ନାହିଁ। କେବଳ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ମନୋରଂଜନ ପାଇଁ। ଏହି ମନ୍ଦିର ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି।

Boudh