ନୂଆପଡ଼ା: ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆପଡ଼ାରେ ପୁଣି ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପ୍ରଖ୍ୟାତ ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ ମଧ୍ୟ ଆସିଛନ୍ତି। ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ମାଓପ୍ରବଣ ତଥା ଉପାନ୍ତ ଅବହେଳିତ ଅଞ୍ଚଳ ଭାବେ ପରିଚିତ ସୁନାବେଡ଼ାରେ ପାଦ ଦେଇଛନ୍ତି। ଏଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମା ସୁନାଦେଈଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମା’ଙ୍କର ଆଶୀର୍ବାଦ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମର୍ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଅଛନ୍ତି।
ନୂଆପଡ଼ାରୁ ଖରିଆର ରୋଡ୍ ଯାଏ ୧୦ କିମି ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ
ହେଲିକପ୍ଟର ଯୋଗେ ଶନିବାର ଦିନ ୨ଟାରେ ସର୍କିଟ୍ ହାଉସ୍ ପାଖରେ ଥିବା ପଡ଼ିଆରେ ପହଞ୍ଚି ଶ୍ରୀ ମାଝୀ ନୂଆପଡ଼ା ସହରରେ ରୋଡ୍ ସୋ’ କରିବେ। ଉକ୍ତ ରୋଡ୍ ସୋ’ ୧୦ କିମି ଅତିକ୍ରମ କରି ଖରିଆର ରୋଡ୍ ସହରରେ ପହଞ୍ଚିବ। ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ରୋଡ୍ ସୋ’ କରିବା ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାରେ ରାତ୍ରିଯାପନ କରି ପ୍ରଚାରର ମଙ୍ଗ ଧରିବେ।
ଆହୁରି ପଢ଼ନ୍ତୁ: Pitabas Panda Wife: ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି: ପୀତବାସ ପଣ୍ଡାଙ୍କ ପତ୍ନୀ
ସୂଚନାଯୋଗ୍ୟ, କୋମନା ବ୍ଲକ୍ରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ସୋ’ କରିବା ସହ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରତିଆକ୍ରମଣ କରିଥିଲେ। କୋମନା ବ୍ଲକ୍ରେ ରୋଡ୍ ସୋ’ କରିବା ପରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କିଏ ବେଇମାନ ବୋଲି କହି ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଜୟ ଢୋଲକିଆଙ୍କୁ ବେଇମାନ କହି ସମ୍ବୋଧନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା। ଏ ବେଇମାନର ସଂଜ୍ଞା କ’ଣ? ବେଇମାନ କାହାକୁ କୁହାଯାଏ? ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା କୁଆଡ଼େ ବହୁତ ଶାଳୀନତା ରକ୍ଷା କରନ୍ତି। କେବେ ହେଲେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରେ ନାହିଁ। ତା’ ହେଲେ କୋମନାରେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରିଲା କିପରି? ମୋତେ ଲାଗୁଛି, ବୋଧହୁଏ ତାଙ୍କ ସ୍କ୍ରିପ୍ଟ ରାଇଟର୍ (ଭାଷଣ ଲେଖକ) ବେଇମାନର ସଂଜ୍ଞା କ’ଣ, ତାହା ବୁଝାଇ ନାହାନ୍ତି। ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା।
ଆହୁରି ପଢ଼ନ୍ତୁ: OSRTC bus-truck accident: ବସ୍ ଓ ଟ୍ରକ୍ ମୁହାଁମୁହିଁ: ତିନିବସ ଯାତ୍ରୀ ଓ ଟ୍ରକ ଡ୍ରାଇଭର ଗୁରୁତର
ସେତେବେଳେ ବିଜେଡି ବେଇମାନି କରିଥିଲା କି ନାହିଁ? କାକଟପୁରରେ ଯେତେବେଳେ ଆମେ ଜଣଙ୍କୁ ପ୍ରାର୍ଥୀ କରି ସାରିଥିଲୁ ସେତେବେଳେ ତାଙ୍କୁ ମନ୍ତ୍ରୀପଦର ଲୋଭ ଦେଖାଇ ଚୋରି କରିଥିଲା କିଏ? ବିଜେଡି ଏହାର ଜବାବ ଦେଉ। ସେହିପରି କଂଗ୍ରେସର ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେତେବେଳେ ବିଜେଡି ନେଇଯାଇଥିଲା, ସେତେବେଳେ ବେଇମାନି କରିଥିଲା କିଏ? ଜୟ ଢୋଲକିଆଙ୍କୁ ବିଜେଡି ସଭାପତି କହିବେ ବେଇମାନ? ଏହା କ’ଣ ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଏ? ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ କାହାକୁ ସେ ଛାଡ଼ି ନାହାନ୍ତି। ଜଣେ ପରେ ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ। ତା’ ହେଲେ କିଏ ବେଇମାନ? ତା’ର ଜବାବ ତାଙ୍କୁ ଦେବାକୁ ପଡ଼ିବ। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ନେଇ ମଧ୍ୟ ନବୀନ ଓ ବିଜେଡି ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ଜିଲ୍ଲା ଭିତରେ କ’ଣ ବିଜେଡିକୁ ନେତା ମିଳିଲେନି। ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କଲେ। ନୂଆପଡ଼ାକୁ ପ୍ରତିନିଧିତ୍ୱ କରିବା ପାଇଁ ଜୟ ଢୋଲକିଆ ହିଁ ଯୋଗ୍ୟ ପ୍ରାର୍ଥୀ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କୁ ବହୁମତରେ ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/untitled-9-2025-11-08-12-54-12.jpg)