ବାରିପଦା: ‘ସୁଭଦ୍ରା’ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ ରାଜ୍ୟର ୪୦ଲକ୍ଷ ରୁ ଅଧିକ ମହିଳାଙ୍କୁ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ବଟନ୍ ଟିପି ଏହି ଟଙ୍କା ପଠାଇଛନ୍ତି। ଏବେ ସୁଭଦ୍ରା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବାବଦରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ୫ ହଜାର ଟଙ୍କା। 
ବାରିପଦାର ଛଉ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ‘ସୁଭଦ୍ରା’ ଟଙ୍କା ପଠାଇଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,  ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। 
ଶ୍ରୀ ମାଝୀ ବାରିପଦାର ଆରପିଜିରେ ରହିଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକାପ୍ଟର ଯୋଗେ ପହଞ୍ଚିଥିଲେ। ସେଠାରୁ ବାରିପଦା ପୌରାପରିଷଦକୁ ଯାଇ ସେଠାରେ ବରପୁତ୍ର ଗୋପବନ୍ଧୁ ଦାସଙ୍କ ସହ ଅନ୍ୟ ବରପୁତ୍ରଙ୍କ ପ୍ରତିମୂତ୍ତିଙ୍କୁ ସମ୍ମାନ ଜଣାଇବା ପରେ ଛଉ ପଡ଼ିଆକୁ ଯାଇଥିଲେ।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,   ସୁଭଦ୍ରା ଏକ ଯୁଗାନ୍ତକାରୀ ଯୋଜନା।  ଏହା ଓଡ଼ିଶାର ସବୁଠାରୁ ବଡ଼ ଯୋଜନା।