ନବରଙ୍ଗପୁର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକାରୀ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ମୂଖ୍ୟ ଶାସନ ସଚିବଙ୍କ ସହ ଜିଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଏସପି ମିହିର କୁମାର ପଣ୍ଡା ପ୍ରମୁଖ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ମୁଖ୍ୟ ଶାସନ ସଚିବ ମଙ୍ଗଳବାର ସକାଳ ୯ଟାରେ ଜିଲ୍ଲାର ଡ଼ାଇଭଟା ଠାରେ ମେଗା ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ଅନ୍ତର୍ଗତ ରବି ଋତୁରେ ମକା, ବୁଟ ଓ ସୂର୍ଯ୍ୟମୁଖୀ ଚାଷ କରିଥିବା ହିତାଧିକାରୀଙ୍କୁ ଭେଟି ଉତ୍ପାଦନ, ବଜାର ବ୍ୟବସ୍ଥା, ଗ୍ୟାରେଜ, ଟିଫିନ୍ ଷ୍ଟଲ୍, ପାୱାର ଟିଲର କରିଥିବା ଆଦିବାସୀ ମାଇକ୍ରୋ ଉଦ୍ୟୋଗୀମାନଙ୍କ ଅଭାବ ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।
ଚାଷୀମାନେ ମୁଖ୍ୟ ଶାସନ ସଚିବଙ୍କୁ ନିଜର ଉତ୍ପାଦ ବିକ୍ରୟ ପାଇଁ ଏକ ହାଟ ପିଣ୍ଡି ଆବଶ୍ୟକ ଉପରେ କହିଥିଲେ। ଏହାପରେ ତାରାଗାଁ ସ୍ଥିତ ପ୍ରାୟ ୫୦ ଲକ୍ଷ ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଥିବା ହିତାଧିକାରୀ ଇମରାନ ଖାଁ ଏବଂ ୭୫ଟି ଗାଈ ମଇଁଷି ଫାର୍ମ ସହିତ ଦିନକୁ ୬୦୦ ଲିଟର ଦୁଗ୍ଧ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର କରିଥିବା ଚାଷୀ ଇର୍ଫାନ ଖାଁଙ୍କ କେନ୍ଦ୍ର ପରିଦର୍ଶନ କରିଥିଲେ। ହିତାଧିକାରୀଙ୍କୁ ଏଭଳି ୟୁନିଟ ଅନ୍ୟମାନେ ଯେଭଳି ସ୍ଥାପନ କରିବାକୁ ଆଗ୍ରହ ଦେଖାଇବେ ଓ ପଶୁ ପାଳନ ଉପରେ ତାଲିମ ପ୍ରଶିକ୍ଷାର୍ଥିଙ୍କୁ ନିଜର କେନ୍ଦ୍ର ପରିଦର୍ଶନର ସୁଯୋଗ ଦିଅନ୍ତୁ ବୋଲି କହିଥିଲେ।
ଏହାପରେ ସେମଲାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ ସହ ମାତୃଶକ୍ତି ପ୍ରଡ୍ୟୁସର ଏଣ୍ଟରପ୍ରାଇଜେସର ମା ମାନଂକ ସହ ଖଳି ଉତ୍ପାଦନ, ବିକ୍ରୟ, ବଜାର ବ୍ୟବସ୍ଥା ଉପରେ ଏବଂ ମକାଚାଷୀମାନଙ୍କ ସହ ତାଙ୍କର ସୁବିଧା ଅସୁବିଧା ଉପରେ କଥାବାର୍ତ୍ତା କରିଥିଲେ। ବକ୍ସାଗୁଡ଼ାରେ ମନରେଗା ଯୋଜନାରେ କାଜୁଗଛ ରୋପଣ କ୍ଷେତ୍ର ପରିଦର୍ଶନ ପୂର୍ବକ ଫର୍ଷାଗୁଡ଼ା ଠାରେ ବନ ବିଭାଗ ଦ୍ଵାରା ବର୍ଣମାଳା ଉଦ୍ୟାନ, କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଉକିଆପାଲି ଜଳ ବିଶୋଧନ କେନ୍ଦ୍ର, ମିସନ ଶକ୍ତି କାଫେ ପରିଦର୍ଶନ କରିଥିଲେ। ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନ ମସିଗାଁ ଠାରେ ହସ୍ତତନ୍ତ୍ର କ୍ଲଷ୍ଟର ପରିଦର୍ଶନ ସହ ଆର୍ ଏମ ସି କ୍ୟାମ୍ପସ ପରିସରରେ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସଂପୃକ୍ତ ବିଭାଗୀୟ ଅଧିକାରୀ ପି ଏ, ଆଇ ଟି ଡି ଏ, ସି ଡି ଭି ଓ, ଡି ଡ଼ବ୍ଲୁ ଓ, ଡି ଏଫ୍ ଓ,ସହକାରୀ ସି ଇ ଓ, ଓରମାସ ,ନିର୍ବାହୀ ଯନ୍ତ୍ରୀ, ମେଗା ଲିଫ୍ଟ,ନିର୍ବାହୀ ଯନ୍ତ୍ରୀ ଆର୍ ଡବ୍ଳୁ ଏସ୍ ଏସ,ବି ଡି ଓ କୋଶାଗୁମୁଡ଼ା/ ପାପଡ଼ା ହାଣ୍ଡି,ଡି ପି ସି, ମିଶନ ଶକ୍ତି, ଡି ଡି ଟେକ୍ସଟଟାଇଲ ,ପି ଡି , ୱାଟରସେଡ୍ ପ୍ରମୁଖ ଉପସ୍ଥିତ ଥିଲେ।
Nabarangpur | Manoj Ahuja