ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ। ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି।
ଆହୁରି ପଢ଼ନ୍ତୁ: ଅଗ୍ନିକାଣ୍ଡରେ ଜଳିଗଲା କପଡ଼ା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରାଉଚରା
ଏଣେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରାଉଚରା କରିଛି। ଗତକାଲି ଏକ ଆର୍ଥିକ ଦେଣନେଣ ପ୍ରସଙ୍ଗରେ ପଚରାଉଚରା କରିବା ପାଇଁ ପୁଲିସ ତାଙ୍କୁ ଡାକିଥିଲା। ସବିଶେଷ ସୂଚନା ଅନୁଯାୟୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରିଛି। ହତ୍ୟା ମାମଲାରେ ପୂର୍ବରୁ ଜଣେ କର୍ପୋରେଟର୍, ବରିଷ୍ଠ ନେତାଙ୍କ ସହ ୧୨ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଥିଲେ ସୁଦ୍ଧା ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ରହସ୍ୟ ଏ ଯାଏଁ ଭେଦି ପାରିନାହିଁ। ଏହାରି ଭିତରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ପୁଲିସର ପଚରାଉଚୁରା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନିତିଶେଖର ଏହି ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଥିଲେ।
ଆହୁରି ପଢ଼ନ୍ତୁ:ଗାଁ ଦାଣ୍ଡରେ ଉଲଗ୍ନ କରି ମହିଳାଙ୍କୁ ବର୍ବର ଆକ୍ରମଣ
ଅନ୍ୟପକ୍ଷରେ ହତ୍ୟାକାଣ୍ଡ ପରଠାରୁ ଫେରାର ଥିବା ଜଣେ ଯୁବକକୁ ଗତକାଲି ବ୍ରହ୍ମପୁର ପୁଲିସ ପୁରୀରୁ ଧରିଛି। ହତ୍ୟାକାଣ୍ଡରେ ତାର ସମ୍ପୃକ୍ତି ନେଇ ପୁଲିସକୁ ସୁରାକ ମିଳିଛି। ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗତକାଲିଠାରୁ ତାକୁ ଧରିବାକୁ ପୁରୀରେ ଡେରା ପକାଇଥିଲେ। ଆଜି ସନ୍ଧ୍ୟାରେ ଲୋକେସନ୍ ଟ୍ରାକ୍ କରି ସମୁଦ୍ରକୂଳ ଅଞ୍ଚଳରୁ ପୁଲିସ ଟିମ୍ ତାକୁ ଧରିବା ସହ ସମୁଦ୍ର ବାଲିରେ ସେ ଲୁଚାଇଥିବା ବନ୍ଧୁକକୁ ଜବତ କରିଛି। ତେବେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ଯାହା ଜଣାପଡ଼ିଛି ପୀତବାସ ହତ୍ୟା ମାମଲାର ରହସ୍ୟ ଖୁବ୍ଶୀଘ୍ର ଉନ୍ମୋଚନ ହେବ। ଦିନେ ଦୁଇଦିନ ପରେ ପୁଲିସ ପ୍ରେସ୍ ମିଟ୍ କରିପାରେ। ଗଣମାଧ୍ୟମକୁ ଦକ୍ଷିଣାଞ୍ଚଳ ପୁଲିସ ଆଇଜିଙ୍କ ପ୍ରତିକ୍ରିୟା ପରେ ଏଭଳି ଆଶା ଉଦ୍ରେକ ହୋଇଛି। ବାଲିଘାଟ, ଜମି ଓ ସୁଧ କାରବାରଠାରୁ ନେଇ ପୀତବାସଙ୍କ ବୃତ୍ତିଗତ ଓ ରାଜନୈତିକ ଶତ୍ରୁତା ଦିଗରେ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରିଛି। ୧୫ ଦିନରେ ୮୦ରୁ ଅଧିକ ଲୋକଙ୍କୁ ଜେରା କରିବା ସହ ୫୦୦ରୁ ଅଧିକ ସିସିଟିଭି ଫୁଟେଜ୍, ମୃତକଙ୍କ ସିଡିଆର୍ ତନଖି କରିବା ପରେ ପୁଲିସ କିଛି ସୁରାକ ପାଇଥିଲା। ଗତ ସପ୍ତାହେ ଧରି ପୁଲିସ ହତ୍ୟାକାରୀଙ୍କୁ ଚିହ୍ନଟ କରିବା ସହ ବିଭିନ୍ନ ରାଜ୍ୟରୁ କେତେକଙ୍କୁ ଉଠାଇ ଆଣି ଜେରା କରିଛି। ସେମାନଙ୍କ ମଧ୍ୟରେ ସହରର ଜଣେ ଚର୍ଚ୍ଚିତ ନେତା, ଜଣେ କର୍ପୋରେଟର ଓ ଜଣେ ଛାତ୍ରନେତା ବି ରହିଛନ୍ତି। ଯାହା ରାଜନୈତିକ ଦିଗକୁ ଇଙ୍ଗିତ କରୁଛି। ତେବେ ପୁଲିସ ଏ ନେଇ କିଛି ସ୍ପଷ୍ଟ କରୁନଥିବାରୁ ସେମାନଙ୍କୁ କେବଳ ଜେରା କରାଯାଉଛି ନା ଗିରଫ ଦର୍ଶାଯିବ, ତାହା ଏବେ ବି ରହସ୍ୟାବୃତ ହୋଇ ରହିଛି। ଆଜି ସହିଦ ଦିବସ ପାଳନ ଅବସରରେ ଆଇଜି ନିତିଶେଖରଙ୍କୁ ଗଣମାଧ୍ୟମ ପ୍ରତିନିଧି ପୀତବାସ ହତ୍ୟାକାଣ୍ଡ ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ପୁଲିସର ତଦନ୍ତ କେତେବାଟ ଗଲା? କେତେ ଜଣ ପୁଲିସ କବଜାରେ ଅଛନ୍ତି? ମାଷ୍ଟରମାଇଣ୍ଡ ପାଖରେ ପୁଲିସ ପହଞ୍ଚିଲାଣି ନା ନାହିଁ? ଏପରି ଅନେକ ପ୍ରଶ୍ନରେ ଆଇଜି କହିଛନ୍ତି, ପୁଲିସ ସମସ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି। ବର୍ତ୍ତମାନ ତଦନ୍ତ ଶେଷ ପର୍ଯ୍ୟାୟରେ ରହିଛି। କିଛି ନୂଆ ଲିଙ୍କ୍ ମିଳୁଥିବାରୁ ସେ ନେଇ ତଦନ୍ତ ଚାଲିଛି। ଦିନେ ଦୁଇଦିନ ଭିତରେ ପୁଲିସ ଏ ସଂକ୍ରାନ୍ତରେ ସମସ୍ତ ସୂଚନା ଦେବ।
ଆହୁରି ପଢ଼ନ୍ତୁ:ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା: ଯାଜ୍ଞସେନୀ ନିବାସ ବେଶ୍ୟାଳୟ ଘୋଷିତ
ଉଲ୍ଲେଖଥାଉକି, ଗତ କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସଙ୍କୁ ତାଙ୍କ ଘର ପାଖ ରାସ୍ତା ଉପରେ ଗୁଳି କରି ହତ୍ୟା କରାଯାଇଥିଲା।
Crime