ଖୋର୍ଦ୍ଧା/ଭୁବନେଶ୍ବର: ଜନସାଧାରଣଙ୍କ ସୁବିଧାରେ ଯାତାୟାତ ପାଇଁ ରାଜ୍ୟ ସରକାର ‘ଆମ ବସ୍’ ସେବା ଜାରି ରଖିଛନ୍ତି। ଏହି ସେବା ଲୋକଙ୍କ ପାଇଁ ଯେତିକି ସୁବିଧା କରୁଛି, ତାଠାରୁ ଅଧିକ ଅସୁବିଧା ମଧ୍ୟ ସୃଷ୍ଟି କରୁଛି। ଅନେକ ଯାତ୍ରୀ ‘ଆମ ବସ୍’ରେ ଯାତ୍ରାକୁ ସୁରକ୍ଷିତ ମନେ କରୁନଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଏଥି ପ୍ରତି ସତର୍କ ରହିବାକୁ ପଡୁଛି। ଆମ ବସ୍ କେତେବେଳେ ପଛଆଡୁ ଆସି ଚାପି ଦେବ, ତାହା କହିହେବ ନାହିଁ। କାରଣ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଏଭଳି ୨ଟି ଅଘଟଣ ଘଟିଛି। ଗତକାଲି ବାଲିଅନ୍ତା ଅଞ୍ଚଳରେ ଆମ ବସ୍ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଟାଉନ ଥାନା ଅଞ୍ଚଳରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ଶିଶୁର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ସରକାରୀ ପରିବହନ ବ୍ୟବସ୍ଥା ‘ଆମ ବସ୍’ ଆଜି ଖୋର୍ଦ୍ଧା ସହରରେ ଦୁର୍ଘଟଣା ଘଟାଇଛି। ଖୋର୍ଦ୍ଧା ଟାଉନ ଥାନା ବରସାହି ଦେଇ ଯାଉଥିବା ତିନି ଜଣ ବାଇକ୍ ଆରୋହୀଙ୍କ ଉପରେ ଆମ ବସ୍ ଚଢ଼ି ଯାଇଛି। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ଶିଶୁ ଜଣକ ନିଜ ବାପା-ମା’ଙ୍କ ସହିତ ବାଇକ୍ରେ ଯାଉଥିଲା। ଆମ ବସ୍ଟି ପଛପଟରୁ ଆସି ଧକ୍କା ମାରିଥିଲା।
ଅଘଟଣ ପରେ ସ୍ଥାନୀୟ ଲୋକେ ବସ୍କୁ ଅଟକାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଶିଶୁର ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ମୃତଦେହ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ନୀଳକଣ୍ଠେଶ୍ଵରନଗର ସଲିଆସାହି ମୈତ୍ରୀ ବିହାରର ଅଶୋକ ବଳ ଓ କଟକ ଜିଲ୍ଲା ଗୋବିନ୍ଦପୁର ପୁରୁଣାବସ୍ତା ନରେଶ ସ୍ୱାଇଁ ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ଗୋବିନ୍ଦପୁର ଯାଉଥିବା ବେଳେ ଆମ ବସ୍ ସେମାନଙ୍କୁ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ପଞ୍ଚାୟତ ଜିତିକାର ସୁଆଁଲୋ ପଣ୍ଡାସାହି ନିକଟରେ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ଫଳରେ ଗାଡିର ପଛରେ ବସିଥିବା ନରେଶ ଛିଟିକି ପଡ଼ିଥିଲେ ଓ ଅଶୋକ ବସ୍ରେ ଖୁବ୍ ଜୋରରେ ମାଡ଼ ହୋଇ ତଳେ ପଡିଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ନରେଶଙ୍କୁ ପ୍ରଥମେ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ରାଜଧାନୀ ଚିକିତ୍ସାଳୟକୁ ପଠାଇଥିଲାl ଅନ୍ୟପଟରେ ଅଶୋକଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସ୍ଥାନୀୟ ଲୋକମାନେ ବସ୍ ଚାଳକଙ୍କୁ ଘେରିଯିବା ସହ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲା। ରାସ୍ତା ଚଳାଚଳ ସ୍ବାଭାବିକ କରିଥିଲା। ଆମ ବସ୍ର ଚାଳକଙ୍କ ବେପରୁଆ ଭାବରେ ଗାଡି ଚଳାଚଳ କରୁଥିବାରୁ ଏବେ ରାସ୍ତାରେ ଗାଡି ଚଳାଚଳ କରିବାକୁ ସ୍ଥାନୀୟ ଲୋକେ। ବସ ଚାଳକଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ କଟକଣା ଲଗାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ama bus