ନବରଙ୍ଗପୁର: ଭାରତରେ ଜନସଂଖ୍ୟା ସହ କଂକ୍ରିଟର ଘର ବି ବଢ଼ୁଛି। ଓଜେନସ୍ତରରେ କଣା। ପରିବେଶ ପ୍ରଦୁଷିତ। ସୁସ୍ଥ ଜୀବନ ପାଇଁ ପରିବେଶର ସୁରକ୍ଷା ଆବଶ୍ୟକ। କେବଳ ସରକାର , ପ୍ରଶାସନ ଓ ଜଙ୍ଗଲ ବିଭାଗହିଁ ପୁନଃରୁଦ୍ଦାର କରିବେ ଭାବିବା ଭୂଲ। ବୃକ୍ଷ ଠାରୁ ଆମେ ଅମ୍ଲଜାନ ପାଉଛେ। ବୃକ୍ଷ ଯଦି ରହିବ ନି ତେବେ ଆମେ ସୁସ୍ଥ ହୋଇ ରହି ପାରିବା ନାହିଁ ଏବଂ ଅଳ୍ପ ଦିନରେ ମରିଯିବା। ଏଥି ପାଇଁ ଆମେ ଯେତେ ପାରିବା ବ୍ୟାପକ ଭାବେ ଗଛ ଲଗାଇ ଓକ୍ସିଜେନ୍ ଯୋଗାଇବା। ଡାବୁଗାଁ ଭୈରବ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ।
ପୂର୍ବରୁ ଜିଲ୍ଲାର ଜଙ୍ଗଳରେ ମହାବଳ ବାଘ, ଭାଲୁ, ହାତୀପଲ ସହ ବିଭିନ୍ନ ବନ୍ୟଜନ୍ତୁ ଆରାମରେ ବିଚରଣ କରୁଥିଲେ। ଆଜି ସେହି ଦିନ ନାହିଁ। ଆଜି ବ୍ୟାପକ ଭାବେ ଜଙ୍ଗଲ ନଷ୍ଟ ହୋଇଛି। ବନବାସୀମାନେ ଗଛକୁ, ଜଙ୍ଗଲକୁ ପୂଜା କରୁଥିଲେ। ଦେବୀ ଭାବେ ବୃକ୍ଷମାତାକୁ ପୂଜା କରି ଆସୁଥିଲେ। ଆଜି କିନ୍ତୁ ଦିନ ପରିବର୍ତ୍ତନ ହୋଇଛି। ଘର ସଂଖ୍ୟା ବଢ଼ିବା ସହ ବ୍ୟାପକ ଭାବେ ଜଙ୍ଗଲ କ୍ଷୟ ହୋଇଛି।
କେତେବେଳେ ଘର ପାଇଁ ତ କେତେ ବେଳେ ନୂଆ ରାସ୍ତା ତିଆରି ପାଇଁ ଏହି ନିର୍ବାଚନମଣ୍ଡଳୀର ଗଛ ସବୁ କଟାଯାଇଛି। ଓଜେନସ୍ତର ବଢ଼ିବାରେ ଲାଗିଛି। ବାୟୁମଣ୍ଡଳରେ କଣା ହୋଇଯାଇଛି। ନୂଆ ଯୁବ ପିଢ଼ି ଏହାକୁ ସୁରକ୍ଷା ଦେବାକୁ ପଡ଼ିବ। ସୁରକ୍ଷାର ଦାୟିତ୍ବ କେବଳ ବନବିଭାଗର କିମ୍ବା ପ୍ରଶାସନର ନୁହେଁ। ଆମ ସମସ୍ତଙ୍କର ଏହାର ସୁରକ୍ଷା ଦାୟିତ୍ବ ନୂଆ ପିଢ଼ି ନେବାକୁ ପଡ଼ିବ ବୋଲି ବିଧାୟକ କହିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀ ୫ଟି ଲେଖାଏଁ ଗଛ ଲଗାଇବାକୁ ଶପଥ କରାଇଥିଲେ।
ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା ଯୋଗ ଦେଇ ପରିବେଶକୁ ବଂଚାଇବା ଦିଗରେ ଛାତ୍ରଛାତ୍ରୀମାନେ ନିଜକୁ ସାମିଲ କରିବା ସୁସ୍ଥ ବାୟୁମଣ୍ଡଳ ଥିବା ଦୁନିଆର ଭାଗିଦାରୀ ହେବାକୁ ଆହ୍ବାନ ଦେଇଥିଲେ। କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସୁରେନ୍ଦ୍ର ମିଶ୍ର, ଏମ୍ ବୁଲୁ ରାଓ, ବନପାଳ ରମାକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସନ୍ତୁଳନ ବିଗଡ଼ିଥିବା ପରିବେଶର ସୁରକ୍ଷା ପାଇଁ ନିଜେ ସଚେତନ ହୋଇ ବ୍ୟାପକ ଭାବେ ବୃକ୍ଷରୋପଣ କରିବା ବୋଲି ଆହ୍ବାନ ଦେଇଥିଲେ।
ସମ୍ବାଦର ସମ୍ପାଦିକା ତନୟା ପଟ୍ଟନାୟକ, ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଗତ ଦୁଇ ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ କରି ବିଶ୍ବକୁ ନୂଆ ଦିଗଦର୍ଶନ ଦେଉଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦର ନବରଙ୍ଗପୁର ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ, ଡାବୁଗାଁ ପ୍ରତିନିଧି ସଂଜୟ କୁମାର ପାଢ଼ୀ, କନକଟିଭି ପ୍ରତିନିଧି ଅମ୍ବିକା ଦାସ ପରିଚାଳନା କରିଥିଲେ। ଅଧ୍ୟାପିକା ପ୍ରତିକ୍ଷା ପ୍ରିୟଦର୍ଶନୀ ସ୍ବାଇଁ, ରିତୁ ମଣ୍ଡଳ, ଅସ୍ମିତା ସ୍ବାଇଁ, ଶିବ ପ୍ରସାଦ ସାହୁ, ସନ୍ତୋଷ କୁମାର ସିଂଲାଲ ସହଯୋଗ କରିଥିଲେ।