ଭୁବନେଶ୍ବର: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ସାମଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋହନ ମାଝୀ ଲେଖିଛନ୍ତି, ଆମ ଦଳର ବରିଷ୍ଠ ନେତା ତଥା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ବାଲିଗୁଡ଼ା ବିଧାନସଭା ଆସନ ତଥା ଆମ ଦଳର ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମା ର ସଦଗତି କାମନା କରୁଛି। ଏଥି ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଅଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମ ଦଳର ବରିଷ୍ଠ ନେତା ତଥା କନ୍ଧମାଳଜିଲ୍ଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ପାଇଁ ସେ କରିଥିବା ଜନ କଲ୍ୟାଣକାରୀ କାର୍ଯ୍ୟ ତାଙ୍କୁ ଚିର ସ୍ମରଣୀୟ କରି ରଖିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ଆମ ଦଳର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ଜଣେ ସରଳ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ। ବିଶେଷ ଭାବରେ ଜନଜାତିଙ୍କ କଲ୍ୟାଣ ଓ ସେବା କରିବା ଦିଗରେ ସବୁବେଳେ ତତ୍ପର ରହୁଥିଲେ। ନିଜ ନିର୍ବାଚନମଣ୍ଡଳୀ ପାଇଁ ସେ କରିଥିବା ବିକାଶମୂଳକ କାର୍ଯ୍ୟ ଚିର ସ୍ମରଣୀୟ ହୋଇରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।
ସୂଚନାଯୋଗ୍ୟ ଅସୁସ୍ଥତା ଯୋଗୁଁ କରେନ୍ଦ୍ର ମାଝୀଙ୍କୁ ଭୁବନେଶ୍ବରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ସେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ଆସନରୁ ୨ ଥର ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
CM Mohan Charan Majhi | Dharmendra Pradhan