ଭୁବନେଶ୍ବର: ତେଲେଙ୍ଗାନାର କିସାରା ଥାନା ଅନ୍ତର୍ଗତ ସିକେନ୍ଦର କମମ ଅଞ୍ଚଳରେ ରାସ୍ତାପାର୍ଶ୍ଵରେ ଗଛ ଲଗାଇବା ବେଳେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ତିନିଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଏକ ଦୁଃଖଦ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲାର ବନ୍ଧୁ ଭତ୍ରାଙ୍କ ପୁଅ ଜୟରାମ ଭତ୍ରା, ଲାଇବନ ଭତ୍ରାଙ୍କ ପୁଅ ନାରାୟଣ ଭତ୍ରା ଏବଂ ବିଶ୍ୱନାଥ ଭତ୍ରାଙ୍କ ପୁଅ ଚେତନମାନ ଭତ୍ରାଙ୍କ ପ୍ରାଣହାନୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
୧2 ଦିନ ତଳେ ଝରିଗାଁ ବ୍ଲକ ଅଧୀନ ବକଡ଼ାବେଡ଼ା ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ। ସେମାନେ କିସାରା ଥାନା ଅନ୍ତର୍ଗତ ସିକେନ୍ଦର କମମ ଅଞ୍ଚଳରେ ରାସ୍ତାପାର୍ଶ୍ଵରେ ଗଛ ଲଗାଇବା କାର୍ଯ୍ୟରେ ଏହି ୧୪ ଜଣ ଶ୍ରମିକ ନିୟୋଜିତ ଥିଲେ। ତେବେ ସୋମବାର ଦିନ ଗଛ ଲଗାଉ ଥିବା ସମୟରେ ପଛ ପଟୁ ଏକ ପିକ୍ଅପ୍ ଭ୍ୟାନ୍ (ଟିଜି ୦୮ଟି ୨୪୯୬) ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜୟରାମ ଭତ୍ରା, ନାରାୟଣ ଭତ୍ରା ଓ ଚେତମନ ଭତ୍ରାଙ୍କର ମୃତ୍ୟୁ ଘଟିଥିଲା। ସେଠାକାର ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କରୁଥିବା ଗାଡ଼ିକୁ ଜବତ କରିବା ସହ ୩ ମୃତ ଶରୀରକୁ ହସ୍ପିଟାଲ ନେଇ ଶବ ବ୍ୟବଛେଦ କରିଥିଲା।
ଏହି ଖବର ପଢ଼ନ୍ତୁ: ତେଲେଙ୍ଗାନାରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ୯ଘଣ୍ଟା ଧରି ରାଜପଥ ଅବରୋଧ
ଏହି ଘଟଣା ସଂପର୍କରେ ମଙ୍ଗଳବାର ସକାଳ ୯ଟା ସମୟରେ ପରିବାର ଲୋକେ ଖବର ପାଇଥିଲେ। ଅନ୍ୟ ୧୧ ଜଣ ଶ୍ରମିକ ଏକ ଆମ୍ବୁଲାନ୍ସ ଯୋଗେ ୩ ମୃତ ଶରୀରକୁ ଧରି ବକଡବେଡ଼ା ଗ୍ରାମକୁ ଆସିଥିଲେ। ଆଜି ପୂର୍ବାହ୍ଣରେ ମୃତଦେହ ପହଞ୍ଚି ଥିଲା।
CM Mohan Charan Majhi Nabarangpur