ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ନବମ ଶେଣ୍ରୀର ଛାତ୍ରୀର ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଟୁଇଟ୍ କରି ମୋହନ ମାଝୀ କହିଛନ୍ତି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏକ ଅଭାବନୀୟ ତଥା ଦୁର୍ଭାଗ୍ୟଜନକ ଅଘଟଣ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କର ପରଲୋକ ଘଟିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଏ ଦୁଖଃଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଡାକ୍ତରୀ ଦଳ ଏବଂ ସରକାରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ଵେ ବଞ୍ଚାଇ ପାରିନଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ।
ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଦଳ ପୁରା ଉଦ୍ୟମ କରିଥିଲେ। ଏମ୍ସ ଭୁବନେଶ୍ବରରେ ଏକ ୧୪ ଜଣିଆ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଏବଂ ବିରୋଧୀ ଦଳ ଏମ୍ସ ଦିଲ୍ଲୀ ଏୟାରଲିଫ୍ଟ ଦାବି କରିଥିଲେ। ସରକାର ମଧ୍ୟ ଏହାକୁ ସମ୍ବେଦନଶୀଳ ମାମଲା ମନେ କରି ଏମ୍ସ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଥିଲା।
ବଳଙ୍ଗା ପୀଡ଼ିତାଙ୍କ ବିୟୋଗ ଖବର ପାଇ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ। ସେ ପରିବାର ଲୋକଙ୍କ ସହିତ କଥା ହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ।
CM Mohan Charan Majhi