ଭୁବନେଶ୍ୱର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି।  

Advertisment

ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବ୍ଲକ୍‍ ସ୍ତରରେ ବିଡିଓ’ଙ୍କର ଗୁରୁଦାୟିତ୍ୱ ରହିଛି। 

ଆପଣମାନେ କ୍ଷେତ୍ରସ୍ତରରେ ଲୋକଙ୍କ ସହିତ ସିଧାସଳଖ ମିଶନ୍ତି। ସେମାନଙ୍କର ସୁବିଧା ଅସୁବିଧା ଜାଣନ୍ତି। ତେଣୁ ମୁଖ୍ୟ କଥା ହେଉଛି, ସରକାରଙ୍କ ସବୁ ଯୋଜନାକୁ ଆପଣମାନେ ଲୋକଙ୍କ ପାଖକୁ ଠିକ୍‍ ଭାବରେ ପହଞ୍ଚାନ୍ତୁ। ସେମାନଙ୍କୁ କୌଣସି ପରିସ୍ଥିତିରେ ଦୟାର ପାତ୍ର ବୋଲି ଭାବିବେ ନାହିଁ। ଯୋଜନାଗୁଡ଼ିକ ହେଉଛି କେବଳ ଲୋକଙ୍କ ପାଇଁ। ଏହା ସେମାନଙ୍କ ଅଧିକାର। ସରକାର ଓ ଲୋକଙ୍କ ଭିତରେ ଆପଣମାନେ ହେଉଛନ୍ତି ସେତୁ। ସେତୁ ସୁଦୃଢ଼ ଓ ପ୍ରଶସ୍ତ ହେଲେ ଯୋଗାଯୋଗ ବ୍ୟବସ୍ଥା ଭଲ ହୁଏ ବୋଲି ସେ କହିଥିଲେ। 

ଆପଣମାନେ ନିଜକୁ ଜନସେବକ ଭାବି କାମ କରନ୍ତୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ସବୁବେଳେ ନିଜକୁ ପ୍ରଧାନ ସେବକ ବୋଲି କହି ଆସିଛନ୍ତି। ମୁଁ ମଧ୍ୟ ନିଜକୁ ଓଡ଼ିଶାର ମୁଖ୍ୟ ସେବକ ବୋଲି ମନେକରେ। ଆପଣ ନିଯୁକ୍ତି ପାଇଛନ୍ତି ଲୋକଙ୍କ ସେବା କରିବା ପାଇଁ। ତେଣୁ ସେବା ମନୋଭାବ ନେଇ ନିଷ୍ଠାର ସହ କାମ କରିବା ଆପଣମାନଙ୍କ ଦାୟିତ୍ୱ। ମୁଁ ଏଠାରେ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ, ଦାୟିତ୍ୱରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

 

publive-image

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ  ମୁଖ୍ୟତଃ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅନେକ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଜଳଯୋଗାଣ ଓ ପରିମଳ, ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, ସୁଭଦ୍ରା, ଭିଜନ ୨୦୩୬ ଓ ୨୦୪୭ ଭଳି ଅନେକ ଯୋଜନା ଜନହିତରେ କାର୍ଯ୍ୟ କରୁଛି ଓ କରିବାକୁ ଯାଉଛି, ଏହାର ସଫଳ ରୂପାୟନର ଗୁରୁ ଦାୟିତ୍ୱ ଆପଣଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି  ଯୋଜନାର କାର୍ଯ୍ୟକାରୀତା ଉପରେ ଆଲୋକପାତ କରି କହିଥିଲେ, ଏମ୍‌ଜିନରେଗା ଅନ୍ୟୁନ୍ୟ ପକ୍ଷେ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇଦେବା ସହ ଏହି ସବୁ କାର୍ଯ୍ୟରେ ମେସିନ୍ ବଦଳରେ ମାନବ ଶକ୍ତିର ଅଧିକ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ରୋଜଗାର ପାଇବା ସହିତ ଦାଦନ ସମସ୍ୟା ଦୂରିଭୁତ ହେବ। ସେ କହିଥିଲେ ଯେ, ପ୍ରକଳ୍ପ ଗୁଡିକ ପୂର୍ଣ୍ଣାଙ୍ଗ କରିବା ପାଇଁ ହେଲେ ବିଭିନ୍ନ ବିଭାଗ ସହିତ ସମନ୍ୱୟ  ରଖି କାମ କରନ୍ତୁ ଓ ନିୟମିତ ଭାବରେ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର କାର୍ଯ୍ୟକାରୀତା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। 

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ କହିଥିଲେ ଯେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଗାଁର ବିକାଶ ନହେଲେ ଦେଶର ବିକାଶ ହେବ ନାହିଁ। ଏହି ଦୃଷ୍ଟିକୋଣ ଆଧାରରେ ଆମେ କାମ କରୁଛୁ। ନୂଆ ସରକାରଙ୍କ ଆଭିମୁଖ୍ୟ ଓ ଦାୟିତ୍ୱବୋଧତାକୁ ଆପଣମାନେ ପ୍ରାଥମିକତା ଦେଇଛନ୍ତି । ସରକାରଙ୍କ ଯୋଜନାକୁ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇଲେ, ସରକାରଙ୍କର ସଠିକ ମୂଲ୍ୟାଙ୍କନ ହୋଇ ପାରିବ ଓ ମୁଖ୍ୟମନ୍ତ୍ରୀଙ୍କ ଉତ୍ସାହ ଆମକୁ ସଫଳ କରାଇବ। 

CM Mohan Charan Majhi