ଭୁବନେଶ୍ୱର: ଯେତେବେଳେ ବି ଅଟଳ ବିହାରୀ ବାଜପେୟୀଙ୍କ କଥା ଆଲୋଚନା ହେବ, ‘ପୋଖରାନ ପରମାଣୁ ପରୀକ୍ଷଣ’ ଏବଂ ‘କାର୍ଗିଲ ବିଜୟ’ କଥା ସର୍ବାଗ୍ରେ ଆସିବ। ଅଟଳଜୀ କେବଳ ଏକ ରାଜନେତା ନୁହଁ, ସେ ଜନମାନସର ହୃଦୟରେ ଥିବା ଏକ ଅଭିନ୍ନ ଅନୁଭୂତି। ଅଟଳ ପ୍ରତିଭା ସମ୍ମାନ-୨୦୨୫ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ସନ୍ଧ୍ୟାରେ ଏହା କହିଛନ୍ତି। 

ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳ ଯୁବଶକ୍ତି, ଓଡ଼ିଶା ପକ୍ଷରୁ ଆୟୋଜିତ ଅଟଳ ପ୍ରତିଭା ସମ୍ମାନ-୨୦୨୫ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଟଳ ଯୁବଶକ୍ତି ଅନୁଷ୍ଠାନ, ଯୁଗ ପୁରୁଷ ପୂଜ୍ୟ ବାଜପେୟୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ  ଏକ ସ୍ଵତନ୍ତ୍ର ସମାରୋହ ତଥା ଓଡିଶାର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ଏକ ଅନନ୍ୟ ବିଷୟ। 

Advertisment

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଟଳଜୀଙ୍କ ଓଡ଼ିଶାପ୍ରତି ପ୍ରଗାଢ ଭଲପାଇବା ଥିଲା। ସେ ଅନେକ ସମୟରେ ଓଡ଼ିଶା ପାଇଁ ରାସ୍ତା, ରେଳପଥ, ଶିକ୍ଷା, ଔଦ୍ୟୋଗିକ ରୂପାନ୍ତରଣ ଆଦି ରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ। ତାଙ୍କ ଯୁଗ ହେଉଛି ସୁଜଳାମ୍ ସୁଫଳାମ୍ ଭାରତର ପ୍ରତୀକ। ସେହି ଯୁଗପୁରୁଷଙ୍କ ସ୍ମରଣରେ ଏହି ସ୍ମରଣିକା ‘ଯୁଗଜନ୍ମା ଅଟଳ’ ଦ୍ୱାରା ଅଟଳଜୀଙ୍କ ଜୀବନ, ଚିନ୍ତାଧାରା, ସଂସ୍କୃତି, ଦୃଷ୍ଟିକୋଣ, ତାଙ୍କ ଦୃଢ଼ ପଦକ୍ଷେପ ଓ ଦେଶପ୍ରେମ ଉପରେ ଆଧାରିତ ଗୁରୁତ୍ୱପୂର୍ଣ୍ଣ ଲେଖାମାନେ ସଂପ୍ରେକ୍ଷଣ କରିବାକୁ ଚେଷ୍ଟା କରାଯାଇଛି। ଏହା କେବଳ ସ୍ମୃତି ନୁହଁ, ଏହା ଏକ ଦିଗଦର୍ଶନ – ଏକ ଅଟଳ ମାର୍ଗ ଯାହା ଆସନ୍ତା ପିଢିଙ୍କୁ ଅନୁପ୍ରେରଣା ଦେବ।

ଅଟଳଜୀଙ୍କ ଜୀବନର ଗାଥା ଭାରତ ରାଜନୈତିକ ଇତିହାସରେ ଅଦ୍ୱିତୀୟ। ସେ ଏକ ଦଳର ପ୍ରତିନିଧି ଥିଲେ। କିନ୍ତୁ ଜନତାଙ୍କ ମନର ନେତା ଥିଲେ। ତାଙ୍କର ଶାସନକାଳ ହେଉ ବା ବିପକ୍ଷ ଜୀବନ- ସେ ସଦା ସତ୍ୟ, ନ୍ୟାୟ ଓ ରାଷ୍ଟ୍ରପ୍ରେମର ମୂର୍ତ୍ତିମାନ ଉଦାହରଣ ଥିଲେ। ସେ ଥିଲେ ଅଜାତଶତ୍ରୁ। ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ। ଏମିତିକି ତାଙ୍କର ଘୋର ବିରୋଧୀ ବି କହୁଥିଲେ, ‘He is the right man in the wrong party’।

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ସେ ପୁଣି କହିଥିଲେ ଅଟଳଜୀଙ୍କ ସଦା ସର୍ବଦା ଯୁବ ଶକ୍ତି ଉପରେ ଅଗାଧ ଆଶା ଓ ବିଶ୍ବାସ ଥିଲା। ଅଟଳଜୀ ମାନୁଥିଲେ – ଯୁବ ପିଢି କେବଳ ଆଗାମୀ ନୁହେଁ, ବରଂ ବର୍ତ୍ତମାନର ନୈତିକ ଶକ୍ତି ଓ ପରିବର୍ତ୍ତନର ନାୟକ। ଆମେ ଯଦି ଅଟଳଜୀଙ୍କ ପଥ ଅନୁସରଣ କରିବାକୁ ଚାହୁଁଛୁ, ତେବେ ଆମେ ଯୁବପିଢି ଭାବେ ନିଜ ଜୀବନକୁ ନୀତି, ସଂଗଠନ, ଶିକ୍ଷା ଓ ଦେଶପ୍ରେମରେ ଗଠିତ କରିବାକୁ ପଡିବ। ଆଜିର ଓଡ଼ିଶା ଓ ଭାରତ ତାଙ୍କ ପଦଚିହ୍ନକୁ ଅନୁସରଣ କରି ଅଟଳ ଭାବନା ଓ ଅଟଳ ନିଷ୍ଠାରେ ଏକ ନୂଆ ଯୁଗ ଗଢ଼ିପାରିବ। ଆମର ସୌଭାଗ୍ୟ ଯେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ବି ଦେଶର ସୁରକ୍ଷା ସହିତ ଦେଶର ବିକାଶକୁ ଗୁରୁତ୍ଵ ଦେଇ ଭାରତକୁ ଏକ ‘ନୂଆ ଭାରତ’ର ସଜ୍ଞା ଦେଇଛନ୍ତି। ‘ଅପରେସନ ସିନ୍ଦୂର’ ଏହାର ଜୀବନ୍ତ ଉଦାହରଣ।  

CM Mohan Charan Majhi