ଭୁବନେଶ୍ୱର: ଆମ ସରକାର ଆସିବା ଦିନଠାରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଉଛି। ପାଞ୍ଚବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବି ପୂରଣ କରିବା ଆମର ଲକ୍ଷ୍ୟ ରହିଛି। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବି ପୂରଣ ହେବ। ଏହି କ୍ରମରେ ଏପର୍ଯ୍ୟନ୍ତ ୨୭,୪୨୮ଟି ସରକାରୀ ପଦବି ପୂରଣ କରାଯାଇଛି। ନିବନିଯୁକ୍ତ ଯୁବପିଢ଼ିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏହା କହିଛନ୍ତି। ଭୁବନେଶ୍ୱର ରେଳ ଅଡିଟୋରିୟମ ଠାରେ ଆୟୋଜିତ ନିଯୁକ୍ତି ମେଳା ଅବସରରେ ଶ୍ରୀ ମାଝୀ କହିଛନ୍ତି, ଏହି ସବୁ ପଦକ୍ଷେପରେ ଆମ ସରକାରଙ୍କ ବିଚାରଧାରା ପ୍ରତିଫଳିତ ହେଉଛି। ଆଗାମୀ ଦିନରେ ଆହୁରି ନିଯୁକ୍ତି ଆସିବ ସେଥିପାଇଁ ଆମର ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ବିଧାନସଭାରେ ବିଲ୍‌ ପାରିତ କରି ଆମେ ଆକ୍ଟ ପ୍ରଣୟନ କରିଛୁ। ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ଚାକିରି ବୟସ ସୀମାକୁ ମଧ୍ୟ ଆମେ ୪୨ ବର୍ଷକୁ ବୃଦ୍ଧି କରାଯାଇଛି।
Advertisment
ବିଭିନ୍ନ ବିଭାଗର ନବନିଯୁକ୍ତ ୧,୨୯୪ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଦୁଇଟି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାପା-ମା’ଙ୍କ ଆଶୀର୍ବାଦରେ ଆପଣମାନେ ଏହି ଚାକିରି ପାଇଛନ୍ତି। ତାଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ। ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି। ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ।

ସୂଚନାଯୋଗ୍ୟ ରାଜ୍ୟ ସରକାର ଆଜି ୭ଟି ବିଭାଗରେ ୧୨୯୪ଟି ପଦବି ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରିଥିଲେ। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮୨୬ଟି ସ୍ନାତକତ୍ତୋର ଶିକ୍ଷକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ପ୍ରାଧ୍ୟାପକ, କ୍ଲିନିକାଲ ମନୋବିଜ୍ଞାନୀ, ମନସ୍ତତ୍ୱ ସାମାଜିକ କର୍ମୀ, ନର୍ସିଂ ଅଫିସର ଏବଂ ଡ୍ରଗ ଇନସପେକ୍ଟର ପଦବିକୁ ମିଶାଇ ସମୁଦାୟ ୨୨୪ଟି ପଦବି, ବାଣିଜ୍ୟ ଓ ପରିବହନ ବିଭାଗରେ ମୋଟର ଯାନ କନିଷ୍ଠ ନୀରିକ୍ଷକ ଓ ଟ୍ରାଫିକ କନେଷ୍ଟବଳଙ୍କୁ ମିଶାଇ ସମୁଦାୟ  ୬୩ଟି ପଦବି, ଦକ୍ଷତା ବିକାଶ ବିଭାଗର ୮୧ଟି ଅଧ୍ୟାପକ ପଦବି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୪୯ଟି ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବି, ଅବକାରୀ ବିଭାଗର ୩୨ଟି ଅବକାରୀ ଉପନିରୀକ୍ଷକ ପଦବି, ଶ୍ରମ ବିଭାଗର ୧୯ଟି ବିଭିନ୍ନ ପଦବିରେ ନିଯୁକ୍ତି ଦିଆଯାଇଛି।   

publive-image
ସେ ପୁଣି କହିଥିଲେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆମେ କ୍ରମାଗତ ନିଯୁକ୍ତି ମେଳା ଆୟୋଜନ କରୁଛୁ। ଦାୟିତ୍ୱ ନେବା ପରଠାରୁ ଯୁବଶକ୍ତିକୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅଭିଯାନ ଜାରି ରହିଛି। ଆମ ରାଜ୍ୟରେ ଯେତେସବୁ ନିଯୁକ୍ତି ଅଛି, ସେଥିରୁ ମାତ୍ର ୨ ପ୍ରତିଶତ ସରକାରୀ ସ୍ତରରେ ହୋଇଥାଏ, ବାକି ସବୁ ବେସରକାରୀ ଓ ଶିଳ୍ପକ୍ଷେତ୍ରରେ ସୃଷ୍ଟି ହୋଇଥାଏ। ଆଗାମୀ ଦିନରେ ଆମ ରାଜ୍ୟରେ ଅତି କମରେ ୧୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି କେବଳ ଶିଳ୍ପ କ୍ଷେତ୍ରରେ। ଏଥିପାଇଁ ଆମ ଯୁବପିଢିଙ୍କୁ ଇଣ୍ଡଷ୍ଟ୍ରି ରେଡି ହେବାପାଇଁ ପଡ଼ିବ। ଉତ୍କର୍ଷ ଓଡିଶା ଆୟୋଜନର ମାତ୍ର ୪ ମାସ ମଧ୍ୟରେ ଏବେ ଶିଳ୍ପକ୍ଷେତ୍ରରେ ୯୦ ହଜାର ନିଯୁକ୍ତି ପାଇଁ ବାଟ ଖୋଲିଛି। 
ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିଠାରୁ ଆପଣମାନେ ସରକାରଙ୍କ ଅଙ୍ଗଭାବେ ଓଡ଼ିଶାର ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇବେ। ଆପଣମାନେ ଉତ୍ସର୍ଗୀକୃତ ଓ ସମର୍ପଣ ଭାବ ସହିତ ଲୋକଙ୍କ ସୁବିଧା, ଅସୁବିଧାକୁ ହୃଦୟଙ୍ଗମ କରି ସେବା ଯୋଗାଇଦେବେ ବୋଲି ମୋର ବିଶ୍ୱାସ। ଦୁର୍ନୀତି ବିରୋଧରେ  ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଦୁର୍ନୀତି ଠାରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ। ସବୁ ନବନିଯୁକ୍ତଙ୍କୁ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ନିଜ ମାଆଙ୍କ ନାମରେ ଏକ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ। 
CM Mohan Charan Majhi | Education