ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଦକ୍ଷିଣ ଓଡ଼ିଶା ପ୍ରସିଦ୍ଧ ଦେବୀ ‘ମା ତାରାତାରିଣୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ସମୃଦ୍ଧ ଓଡ଼ିଶା ଗଠନ ଓ ଓଡ଼ିଶାର ବିକାଶ ପାଇଁ ମା’ ତାରାତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ତାରାତାରିଣୀ ପୀଠର ବିକାଶ ଦିଗରେ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯିବ। ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ଙ୍କୁ ଦର୍ଶନ କରିବା ପରମ ସୌଭାଗ୍ୟ ହେଲା। ବିକଶିତ, ସମୃଦ୍ଧ ଓଡ଼ିଶା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଛି। ରାଜ୍ୟର ଲୋକଙ୍କ ବିକାଶ ହେଉ।
ମା’ଙ୍କ ପୀଠର ଉନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ମନ୍ଦିର କମିଟି, ସାଧାରଣରେ ଏହାର ବିକାଶ ନେଇ ଅନୁରୋଧ କରିଛନ୍ତି। ନିଶ୍ଚିତ ଭାବେ ଆନୁସାଙ୍ଗିକ ବ୍ୟବସ୍ଥା ପୂରଣ ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ।
-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ମା’ ତାରାତାରିଣୀ ପୀଠର ପୂଜକ କହିଛନ୍ତି, ମା’ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦ ମିନିଟ୍ ଯାଏଁ ପୂଜାର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗାଙ୍ଗଦହଣୀର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭବିଷ୍ୟତ ଗଠନ ବିଷୟରେ ପ୍ରଶ୍ନ କରିଥିଲେ। ବିଦ୍ୟାଳୟ ବୁଲି ଦେଖିଥିଲେ।
Taratarini | CM Mohan Charan Majhi