ଭୁବନେଶ୍ୱର: ସମାଜର ଶେଷଧାଡ଼ିରେ ଥିବା ଲୋକମାନେ ଯେପରି ନିଜକୁ କେବେ ଅସହାୟ ନଭାବନ୍ତି ଏବଂ ସାଧାରଣ ଲୋକଟିଏ ଯେପରି ଅନୁଭବ କରିବ ଯେ ସରକାର ସୁଖଦୁଃଖରେ ତା ସହିତ ସବୁବେଳେ ଅଛନ୍ତି। ଏହି ମହତ ଉଦ୍ଦେଶ୍ୟ ରଖି ଲୋକଙ୍କ ସରକାର କ୍ରମାଗତ ଭାବେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସେ କହିଛନ୍ତି, ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱାଦଶ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି।
ଆଜି ପଞ୍ଜିକୃତ କରିଥିବା ୧ ହଜାର ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୭ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।
ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପ୍ରଥମେ ଅଭିଯୋଗ ପ୍ରକୋଷ୍ଠରେ ପହଁଚି ଭିନ୍ନକ୍ଷମ ଲୋକମାନଙ୍କ ପାଖକୁ ଯାଇଥିଲେ ଏବଂ ସେଠାରେ ଜଣ ଜଣ କରି ସମସ୍ତଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ପରେ ପ୍ରକୋଷ୍ଠ ଭିତରକୁ ଆସି ପଞ୍ଜିକୃତ କରିଥିବା ଅନ୍ୟ ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ସମସ୍ତ ଅଭିଯୋଗ ଗୁଡିକର ପ୍ରତିବିଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି, ଆପତ୍ତି ଅଭିଯୋଗ ଶୁଣାଇ ଆତ୍ମସନ୍ତୋଷର ସହ ଲୋକମାନେ ଫେରୁଥାନ୍ତି। ଅଭିଯୋଗ ପ୍ରକୋଷ୍ଠରୁ ଫେରୁଥିବା ପ୍ରତ୍ୟେକଙ୍କ ମୁହଁରେ ପ୍ରକାଶ ପାଉଥିଲା ଭରସା ଓ ଆତ୍ମସନ୍ତୋଷର ଚିହ୍ନ। ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ବାବଦକୁ ୧୦ ଜଣଙ୍କ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ୪୮ ଜଣଙ୍କୁ ୫୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଏକାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୮୯୪ଟି ଅଭିଯୋଗ ମଧ୍ୟରୁ ୧୦,୧୩୨ଟି ଅଭିଯୋଗର ସମାଧାନ କରାଯାଇଛି। ଯାହା ଶତକଡ଼ା ୯୩ ପ୍ରତିଶତ ଅଟେ। ବକେୟା ଅଭିଯୋଗ ଗୁଡ଼ିକ ପ୍ରୋସେସରେ ରହିଛି।
ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।