ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ଆୟୋଜିତ ପ୍ରସିଦ୍ଧ 'ଶୀତଳଷଷ୍ଠୀ ଯାତ୍ରା' ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବାର୍ତ୍ତାବହ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଐତିହ୍ୟ ସମ୍ପନ୍ନ 'ଶୀତଳ ଷଷ୍ଠୀ' ଯାତ୍ରାକୁ ଆହୁରି ଭବ୍ୟ କରିବା ସହ ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରୁଛି। ଲୋକଙ୍କ ସରକାରରେ ମହନୀୟ ହେବ ଲୋକ ପରମ୍ପରା, ଗରିମାମୟ ହେବ ଓଡ଼ିଆ ଅସ୍ମିତା। 

Advertisment

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି। ସର୍ବପୁରାତନ ନନ୍ଦପଡ଼ା ଯାତ୍ରା କମିଟି ତରଫରୁ ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଛି। ମଙ୍ଗଳବାର ରାତି ୮ଟାରେ ମନ୍ଦିରରେ ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପୂଜାର୍ଚ୍ଚନା ପରେ ବରପିତା ରାମଚରଣ ମିଶ୍ର, ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, ବିବାହ ପୁରୋହିତ ଶଶାଙ୍କ ମିଶ୍ର ଓ ସପ୍ତଋଷି ସୁସଜ୍ଜିତ ରଥରେ ସବାର ହୋଇ ଏକ ଭବ୍ୟ ଶୋଭାଯାତ୍ରାରେ ଦେବଦେବ ମହାଦେବଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରିଥିଲେ। ଶଙ୍ଖ, ଘଣ୍ଟ, ଦୁଲ୍‌ଦୁଲି, ଧମାଲ ବାଦ୍ୟ, ମୟୂର ଝାର ନୃତ୍ୟ, ଯୋଡ଼ି ଶଙ୍ଖ ଆଦିରେ ରାସ୍ତା କମ୍ପିଥିଲା। ଶୋଭାଯାତ୍ରା ହାଟପଡ଼ା, ନନ୍ଦପଡ଼ା, ମହାନ୍ତିପଡ଼ା, କଂସାରିପଡ଼‌ା, ବୈଦ୍ୟନାଥ ଛକ, ଶକ୍ତି ସଂଘ ଛକ ଦେଇ ମ୍ୟୁନିସିପାଲିଟି ଛକସ୍ଥିତ କନ୍ୟା ପିତାମାତା ପ୍ରତାପ ନନ୍ଦ ଓ ଲିପିକା ନନ୍ଦଙ୍କ ଅସ୍ଥାୟୀ ବାସଭବନ ନାରୀ ସେବା ସଦନରେ ପହଞ୍ଚିଥିଲା।

ବିଜୟ ମିଶ୍ର, କାମପାଳ ହୋତା, ଗୋଲକ ବିହାରୀ ମିଶ୍ର, ଅଶୋକ କୁମାର ମିଶ୍ର, ଚକ୍ରଧର ମିଶ୍ର, ପୂର୍ଣ୍ଣାନନ୍ଦ ମିଶ୍ର, ଅମରେନ୍ଦ୍ର ପୂଜାରୀ ସପ୍ତର୍ଷି ଭୂମିକା ନିର୍ବାହ କରିଥିଲେ। ପାରମ୍ପରିକ ରୀତିରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ କଥୋପକଥନ ପରେ ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ସ୍ଥିର ହୋଇଥିଲା।

 

ବୁଧବାର ନୃସିଂହ ନିଉତା ଅନୁଷ୍ଠିତ ହୋଇଥିଲା। ବାଲୁଙ୍କେଶ୍ବର ବାବା ଓ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହ ନିମନ୍ତେ ପ୍ରଭୁ ନୃସିଂହ ଶୋଭାଯାତ୍ରାରେ ବିଭିନ୍ନ ଦେବାଳୟକୁ ଯାଇ ଦେବାଦେବୀଙ୍କୁ ଗୁଆନିଉତା ଦେଇ ନିମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି। ୩୦ ତାରିଖ ଦିନ ବାଲୁଙ୍କେଶ୍ବର ବାବାଙ୍କ ବିବାହରେ ସାକ୍ଷୀ ରହିବା ନିମନ୍ତେ ପ୍ରଭୁ ସାକ୍ଷୀ ଗୋପୀନାଥଙ୍କୁ ସାକ୍ଷୀପଡ଼ାରୁ ନନ୍ଦପଡ଼ାକୁ ଏକ ଶୋଭାଯାତ୍ରାରେ ନିଆଯିବ। ଆସନ୍ତା ୩୧ ତାରିଖ ମଧ୍ୟରାତ୍ରରେ ଶିବ-ପାର୍ବତୀଙ୍କ  ବିବାହ, ଜୁନ୍ ୧ ତାରିଖ ଦିନ ଦେବଦମ୍ପତିଙ୍କ ନଗର ପରିକ୍ରମା ଆରମ୍ଭ ପରେ ୨ ତାରିଖ ଅପରାହ୍‌ଣରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

 Sambalpur