ଭୁବନେଶ୍ବର: ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ଆଲୋଚନାରେ ଭାଗ ନେଇଥିଲେ ଭଲ ହୋଇଥାନ୍ତା। ଗୃହ ବିଭାଗ ସରକାରର ଭାବମୂର୍ତ୍ତିକୁ ଉପସ୍ଥାପନ କରେ। ଗୃହ ବିଭାଗର ଆଲୋଚନା ବେଳେ ସରକାରଙ୍କ ଭାବମୂର୍ତ୍ତି ଜଣାପଡ଼େ। ଶାସନର ବ୍ୟବସ୍ଥା ଯେତେବେଳେ ପରିବର୍ତ୍ତନ ହେଉଛି, ବିରୋଧୀଙ୍କ ପାଖରେ ଆଉ କିଛି ପ୍ରସଙ୍ଗ ନାହିଁ। ଯେଉଁମାନେ ଚିତ୍କାର କରୁଥିଲେ, ଆଙ୍ଗୁଳି ଦେଖାଉଥିଲେ ସେମାନେ ବାହାନା ଦେଖାଇ ଗୃହରେ ରହୁ ନାହାନ୍ତି।

Advertisment

ସୁରକ୍ଷା କର୍ମୀ ବାଡ଼େଇଲେ ବୋଲି କହିବା ମିଛ। ବିରୋଧୀ ଦଳ ମୁଖ୍ୟ ସଚେତକ କହୁଛନ୍ତି ହାତ ମୋଡ଼ିଦେଲେ। ସେ ମେଡିକାଲରେ ରହିବା କଥା ଏଠି କଣ କରୁଥିଲେ। କଂଗ୍ରେସ ବିଧାୟକମାନେ ବିଧାନସଭାରେ ରାତ୍ରୀ ଯାପନ ବେଳେ ଭିଡିଓ ଛାଡିଛନ୍ତି। ବୁଲୁଛନ୍ତି, ଖାଉଛନ୍ତି କିନ୍ତୁ ସେଥିରେ ସୁରକ୍ଷା କର୍ମୀ ବାଡେଇବାର ଚିତ୍ର ନାହିଁ। କେବଳ ମିଛ କଥା କହୁଛନ୍ତି ବିରୋଧୀ ସଦସ୍ୟ। ଅଗଣତାନ୍ତ୍ରିକ ଭାବେ କଳା ପୋଷାକ ପିନ୍ଧି, ଘଣ୍ଟା, ତୂରୀ, ବଂଶୀ, ହୁଇସିଲ ବଜାଇବା ଭଳି କାର୍ଯ୍ୟକ୍ରମ କଲେ। ଓଡ଼ିଶାବାସୀ କ୍ଷମା ଦେବନି ବୋଲି ଶ୍ରୀ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ହିଂସାକୁ ରାଜନୀତିର ପଶପାଲିରେ ପକାଇଛନ୍ତି। ଯେଉଁମାନେ ଘଣ୍ଟା, ତୂରୀ ବଜାଉଛନନ୍ତି ତାଙ୍କ ସମୟରେ ବିଲୁଆଖାଇ ନଦୀ ଘଟଣା, ନନ୍ଦନକାନନ ପାଖ ଲଜ୍ଜ୍ୟା ଘଟଣା କୁଆଡ଼େ ଗଲା। କଂଗ୍ରେସର ନାରୀ ସୁରକ୍ଷା ପ୍ରବଚନ ସରକାରକୁ ଦରକାର ନାହିଁ। ବିଜେଡି ଗୋଟିଏ ଆଙ୍ଗୁଳି ସରକାରକୁ ଦେଖେଇଲେ ତିନିଟି ଆଙ୍ଗୁଳି ତାଙ୍କ ଆଡ଼େ ଅଛି।

 

ସେହିପରି ନବ ଦାସ ମାମଲା କଥା ଉଠାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା। କିନ୍ତୁ ଏହାର ତଦନ୍ତ କୌଣସି ପ୍ରଫେସନାଲ ଏଜେନ୍ସି ନୁହେଁ। ବରଂ ଟ୍ରେନି ଏଜେନ୍ସି ଦ୍ଵାରା ତଦନ୍ତ ହେବା ପରି ଲାଗୁଛି। ସେମାନେ ଗୃହରେ ଥିଲେ ମୁଁ ପଚାରି ଥାଆନ୍ତି। କୌଣସି ପ୍ରସଙ୍ଗରେ ତାଙ୍କ ପାଖରେ ଉତ୍ତର ନାହିଁ। ସେଥିପାଇଁ ସେମାନେ କକ୍ଷତ୍ୟାଗ କରିଛନ୍ତି। କିଛି ନିର୍ଦ୍ଧିଷ୍ଟ କେସ ନ ଆଣି କାଦୁଅ ଫିଙ୍ଗି ଫାଇଦା ନେବାକୁ ଚାହୁଁଛନ୍ତି। ସଫଳ ହେବେନି। କଂଗ୍ରେସର ନୂଆ ସଭାପତି ଆସୁଛନ୍ତି। ତାଙ୍କର ସ୍ଥିତି ଅଛି ବୋଲି ନିଜ କ୍ୟାଡ଼ରଙ୍କୁ ଜଣାଇବାକୁ ଚାହୁଁଛନ୍ତି। ନିଜ ଦଳକୁ ପୁନରଜୀବିତ କରିବାକୁ ଚାହୁଁଛନ୍ତି। 

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି ମୋହନ ମାଝୀ କହିଛନ୍ତି, କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା ଘଟଣା, ମମିତା ମେହେର, ପରୀ, ସ୍ମିତାରାଣୀ ପରି ଏତେ ବଡ ଘଟଣାରେ ନ୍ୟାୟ ଦେଇ ପାରି ନାହାଁନ୍ତି। ସେମାନେ ଆଜି ବିଭିନ୍ନ କଥା କହୁଛନ୍ତି। କିନ୍ତୁ ସେମାନେ ଜାଣିବା ଦରକାର ତାଙ୍କ ଆଡେ ୩ଟି ଆଙ୍ଗୁଳି ଅଛି। ଆମେ ବି ବିରୋଧୀ ଦଳରେ ଥିବା ବେଳେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଥିଲୁ। ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଧାନସଭା କୁ ଆସୁନଥିଲେ, ଏବେ ବିରୋଧୀ ଦଳ ନେତା ଭାବେ ବି ଦେଖା ନାହିଁ। ବିଚିତ୍ର ବ୍ୟବସ୍ଥା।

ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଶ୍ରୀ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭା ଆସୁ ନାହାନ୍ତି। ସେ କେତେ ଦିନ କେତେ ସମୟ ଆସିଛନ୍ତି ତାର ହିସାବ ଦିଅନ୍ତୁ। ଲୋକଙ୍କ ସରକାର କହୁଛନ୍ତି। ହେଲେ ବିଧାନସଭା ଆସୁ ନାହାନ୍ତି। ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ନିଜେ ନିଜ ଛେପ ଢ଼ୋକି ସାରିଛନ୍ତି। ନବ ଦାସ ହତ୍ୟାକାଣ୍ଡରେ ବିଜେପିର ବଡ଼ ମୁଣ୍ଡ ସାମିଲ ଅଛନ୍ତି। ଫଳରେ ନବ ଦାସଙ୍କ ପରିବାର ଲିଖିତ ଦେଲା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି। ତେଣୁ ସେମାନେ ସିବିଆଇ ତଦନ୍ତ କରିବୁ କହିଥିଲେ। ହେଲେ ଏବେ କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି।।                

odisha assembly | CM Mohan Charan Majhi | Naveen Pattnaik