ଭୁବନେଶ୍ବର: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ-୨୦୨୫ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତମାସ ୧୩ ତାରିଖ ଠାରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିବା ଏହି ଧାର୍ମିକ ମେଳାରେ ଏଯାଏଁ ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି। ଆସନ୍ତା ୨୬ ତାରିଖ ଯାଏଁ ଜାରି ରହିବାକୁ ଥିବା ଏହି ଦିବ୍ୟ ଓ ଭବ୍ୟ ମେଳାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇସାରିଛନ୍ତି। ସେହିପରି ବିଦେଶୀ ଶ୍ରଦ୍ଧାଳୁମାନେ ମଧ୍ୟ କୁମ୍ଭମେଳାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରୁଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବୁଡ଼ ପକାଇବାକୁ ଯାଉଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଠାରୁ ୩ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ରହିବେ। ଏହି ଗସ୍ତ କାଳରେ ସେ ସଂଗମରେ ବୁଡ଼ ପକାଇବେ। ଏହା ପରେ ସେ ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିବେ।

 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣ୍ୟତୋୟା ବୈତରଣୀରେ ଗତମାସ ୧୪ ତାରିଖରେ ମକର ବୁଡ଼ ପକାଇଥିଲେ। ସେ କେନ୍ଦୁଝର ଜିଲ୍ଲା ପାଟଣାରେ ଥିବା ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ ପକାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଦୁଇଜଣ ବନ୍ଧୁ ମଧ୍ୟ ବୈତରଣୀରେ ବୁଡ଼ ପକାଇଥିଲେ। ବୁଡ଼ ପକାଇବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପରମେଶ୍ବର ମନ୍ଦିର ଓ ଆନନ୍ଦେଶ୍ବେର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ କେନ୍ଦୁଝ ଗସ୍ତ କରିଥିଲେ। 

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ୨୦୨୨ରେ ବିଧାୟକ ଥିବା ବେଳେ ପାଟଣାରେ ଥିବା ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ ପକାଇଥିଲେ।