ଭୁବନେଶ୍ବର: ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୋପ୍ ଫ୍ରାନ୍ସିସ୍ଙ୍କ ଦେହାନ୍ତରେ ମୁଁ ଗଭୀର ମର୍ମାହତ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି। ସେ କହିଛନ୍ତି, ପୋପ୍ ଦୟା ଏବଂ ନମ୍ରତା ଭାବ ପାଇଁ ସର୍ବଦା ମନେ ରହିବେ। ସେ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପାଦ୍ରୀ ଭାବରେ ଜଣାଶୁଣା। ବିଶ୍ୱର ଲକ୍ଷଲକ୍ଷ ଲୋକଙ୍କୁ ଏକତା ଏବଂ ପ୍ରେମର ବାର୍ତ୍ତା ଦେଇଥିଲେ। ବିଶ୍ୱ କ୍ୟାଥୋଲିକ୍ ସମ୍ପ୍ରଦାୟ ପ୍ରତି ମୋର ଆନ୍ତରିକ ସମବେଦନା ଜଣାଉଛି।
ସେହିପରି ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲେଖିଛନ୍ତି, ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକ ଖବର ଶୁଣି ଗଭୀର ଦୁଃଖ ଓ ଶୋକ ପ୍ରକାଶ କରୁଛି। ତାଙ୍କର ଦୟା, ନମ୍ରତା ଏବଂ ସର୍ବଧର୍ମ ଆଲୋଚନାର ପ୍ରୋତ୍ସାହନ ମନୋଭାବ ସମଗ୍ର ବିଶ୍ବ ପାଇଁ ଉଦାହରଣ ପାଲଟିଥିଲା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ମୋର ଭାବନା ଏବଂ ପ୍ରାର୍ଥନା ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ଏବଂ ଅନୁଗାମୀଙ୍କ ସହିତ ଅଛି।
୨୦୨୨ ଜୁନ୍ ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପ୍ ଫ୍ରାନ୍ସିସଙ୍କୁ ଭେଟି ଏକ ପଟ୍ଟଚିତ୍ର ଉପହାର ଦେଇଥିଲେ। ଓଡ଼ିଶା ତରଫରୁ ଦିଆଯାଇଥିବା ଉପହାର ‘ଟ୍ରି ଅଫ୍ ଲାଇଫ୍’ରେ ଆମେ ଏକା ନୁହେଁ, ଆମେ ଏକାଠି ବାର୍ତ୍ତା ଥିଲା। ପବିତ୍ର ବୃକ୍ଷ ସହ ଜୀବନ ବୃକ୍ଷର ସାମଞ୍ଜସ୍ୟ ଏହାକୁ ଦର୍ଶାଉଥିଲା। ନବୀନ ପଟ୍ଟନାୟକ ପୋପ୍ ଫ୍ରାନ୍ସିସଙ୍କ ସୁସ୍ଥ ଦୀର୍ଘ ଜୀବନ କାମନା କରିଥିଲେ। ଏହି ଅବସରରେ ତତ୍କାଳୀନ ୫ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଖ୍ରୀଷ୍ଟିଧର୍ମାବଳମ୍ବୀଙ୍କ ସର୍ବୋଚ୍ଚ ଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ଆଜି ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। କୁହାଯାଉଛି ଯେ,ତାଙ୍କର ଉଭୟ ଫୁସଫୁସରେ ନିମୋନିଆ ହୋଇଥିଲା, ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଏଥି ସହିତ ସେ ବହୁତ ଦିନ ଧରି ଡାକ୍ତରଖାନାରେ ଥିଲେ। ୩୮ଦିନ ଧରି ହସ୍ପିଟାଲରେ ରହିବା ପରେ କିଛି ଦିନ ତଳେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହେଲେ ସୋମବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ସହ ନିଜ ବାସଭବନ କାସା ସାଣ୍ଟା ମାର୍ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ଉଲ୍ଲେଖଯୋଗ୍ୟ, ପୋପ୍ ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ନାମ ଥିଲା ଜର୍ଜ ମାରିଓ ବେର୍ଗୋଲିଓ। ସେ ୨୦୧୩ ମସିହାରୁ ଏହି ପଦବି ସମ୍ଭାଳି ଆସୁଥିଲେ। ପୋପ୍ ଷୋଡ଼ଶ ବେନେଡିକ୍ଟଙ୍କ ଇସ୍ତଫା ପରେ ସେ ଏହି ପଦବି ଗ୍ରହଣ କରିଥିଲେ। କାର୍ଡିନାଲ ତାଙ୍କୁ ୨୬୬ତମ ପୋପ୍ ଭାବରେ ନିର୍ବାଚିତ କରିଥିଲେ। ଏହା ପ୍ରଥମ ଥର ଥିଲା ଯେତେବେଳେ ଜଣେ ଅଣ-ୟୁରୋପୀୟଙ୍କୁ ପୋପ୍ କରାଯାଇଥିଲା।
CM Mohan Charan Majhi | Naveen Pattnaik