ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲାରେ ଗତ ସପ୍ତାହରେ ହୋଇଥିବା ବନ୍ୟାଜିତି କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସହାୟତା ଘୋଷଣା କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ପରେ ଶ୍ରୀ ମାଝୀ ଭାଙ୍ଗି ଯାଇଥିବା କୁଡ଼ିଆ ଘର ପାଇଁ ୮ ହଜାର ଓ ଗୁହାଳ ପାଇଁ ୩ ହଜାର ଟଙ୍କା ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୬ ହଜାର ୫୦୦ ଟଙ୍କା। କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର ଟଙ୍କା।

Advertisment

bls

ସେହିପରି ସେ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ମିଳିବ। ସେହିପରି ଚାଷୀ ପରିବାର ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ପାଇବେ। 

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ୧୮ ତାରିଖ ଦିନ ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାଲିଆପାଳ, ଜଳେଶ୍ଵର ଓ ବସ୍ତା ବ୍ଲକର ବନ୍ୟା ସ୍ଥିତି ଆକାଶ ମାର୍ଗରୁ ନିରୀକ୍ଷଣ କରିଥିଲେ। ପରେ ବାଲେଶ୍ଵର ପାଛୋଡ଼ିଆସ୍ଥିତ ପଦ୍ମାବତୀ ପାର୍କ ପରିସରରେ ବାଲେଶ୍ଵର ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ। 

ବନ୍ୟା ନେଇ ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର କହିଥିଲେ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ପ୍ରଭାବରେ ୩୫ ପଞ୍ଚାୟତ କ୍ଷତିଗ୍ରସ୍ତ ହେବା ସହ ୧୫ ପଞ୍ଚାୟତରୁ ୨ ହଜାର ଲୋକଙ୍କୁ ଅସ୍ଥାୟୀ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ଜଳ ଘେରରେ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୮ଫାୟାର ଟିମ, ୩ ଓଡ୍ରାଫ ସାଙ୍ଗକୁ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି ବୋଲି କହିଥିଲେ।