ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ବିସ୍ଧୋରଣ ଘଟି ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସିଏମ୍ଓ ପକ୍ଷରୁ କରାଯାଇଥିବା ଟୁଇଟ୍ରୁ ଏହା ଜଣାପଡ଼ିଛି। ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଆନ୍ଧ୍ରପ୍ରଦେଶଠାରେ ଏକ ଦୁଃଖଦ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା (ପିତା- ଅଭିମନ୍ୟୁ ବଡ଼ତ୍ୟା), ବନମାଳ ଚେହ୍ରା (ପିତା- ଭଗବାନ ଚେହ୍ରା), ଭାସ୍କର ବିଶୋଇ (ପିତା-ମାଗତା ବିଶୋଇ), ସନ୍ତୋଷ ଗୌଡ଼ (ପିତା- ପୂଜ୍ୟ ଗୌଡ଼) ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ (ପିତା- କାର୍ତ୍ତିକ ଦଳାଇ) ଓ ମୁସା ଜାନ (ପିତା- ନର୍ଷୁ ଜାନ)ଙ୍କ ପ୍ରାଣହାନୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନଙ୍କ ସମେତ ଆହୁରି ୧୦ରୁ ଊର୍ଦ୍ଧ୍ବ ଶ୍ରମିକ ଆଜି ପୂର୍ବାହ୍ଣରେ ଆନ୍ଧ୍ର ପ୍ରଦେଶର ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ କାମ କରୁଥିଲେ। କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ପଥରଖଣିରେ ଦୁର୍ଘଟଣା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣା ନେଇ ବିସ୍ତୃତ ସୂଚନା ଉପଲବ୍ଧ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଆନ୍ଧ୍ରପ୍ରଦେଶ ପୁଲିସ କହିବା ଅନୁସାରେ ବାପଟାଲା ଜିଲ୍ଲା ବାଲିକୁରୁଭା ନିକଟ ସତ୍ୟକ୍ରିଷ୍ଣା ଗ୍ରାନାଇଟ କୁଆଁରିରେ ଆଜି ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପଥରଖଣି ତଳେ ଚାପି ହୋଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ଅଧିକ ତଦନ୍ତ ପାଇଁ ବାପଟାଲା ଆରକ୍ଷୀ ଅଧୀକ୍ଷକ ତୁଷାର ଦୁଦି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସେ ଆଦେଶ ଦେଇଛନ୍ତି।
CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/03/new-project-49-2025-08-03-20-38-47.jpg)