ଭୁବନେଶ୍ୱର: ଆମ ସରକାର ଯାହା କଥା ଦିଅନ୍ତି, ତାହା କରିକି ଦେଖାନ୍ତି। ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ। ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ କ୍ୟାବିନେଟ ନିଷ୍ପତ୍ତି ନେଇ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ। ଚାଷୀମାନଙ୍କୁ ଅସମୟରେ ସାହାଯ୍ୟ କରିବା ପାଇଁ ଅଦିନିଆ ବର୍ଷା କ୍ଷୟ କ୍ଷତିକୁ ଇତିହାସ ସୃଷ୍ଟି କରି ରିଲିଫ୍‍ କୋଡରେ ଅନ୍ତର୍ଭୁକ୍ତ କରିଛୁ। ଆଜି ବିକାଶ ପଥରେ ଓଡ଼ିଶା ଅଗ୍ରସର ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏହା କହିଛନ୍ତି। 
Advertisment
ସୋନପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁରବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ଅଞ୍ଚଳ ପୁରାତନ କାଳରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି  ଏହି ଜିଲ୍ଲା ହେଉଛି ପ୍ରାଚୀନ ଐତିହ୍ୟ, ଧାର୍ମିକ ଭାବନା, ଆଧ୍ୟାତ୍ମିକ ଚିନ୍ତାଧାରା ଓ ଲୋକସଂସ୍କୃତିର ଗୌରବମୟ ପ୍ରତୀକ। ସନ୍ଥକବି ଭୀମଭୋଇଙ୍କର ଶିକ୍ଷା, ଦୀକ୍ଷା ତଥା ସାଧନାର କ୍ଷେତ୍ର। ସାହିତ୍ୟ, ଇତିହାସ ଓ କଳା କ୍ଷେତ୍ରରେ ରାଜ୍ୟରେ ଏ ମାଟିର ପ୍ରସିଦ୍ଧି ରହିଛି। ଜିଲ୍ଲାର ଆକର୍ଷଣୀୟ ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ଓଡ଼ିଶାକୁ ଗୌରବାନ୍ୱିତ କରିଛି। 
ସେ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାକୁ ସୁନାରେ ପରିଣତ କରାଯିବ। ଆପଣମାନେ ପ୍ରସ୍ତାବ ଦିଅନ୍ତୁ ମୁଁ ସମସ୍ତ ସହଯୋଗ ଦେବି। ଜିଲ୍ଲାର ବିକାଶ ପାଇଁ କୌଣସି ପ୍ରତିବନ୍ଧକ ରହିବନାହିଁ। ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକୁ ଆପଣମାନଙ୍କ କାମରେ ଲଗାଯିବ। ସୁବର୍ଣ୍ଣପୁରକୁ ଓଡ଼ିଶାର ଏକ ନମ୍ୱର ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ବଣ୍ଟନ କରିଥିଲେ।   
publive-image

ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଉପରେ ଗୋଧନେଶ୍ୱର ଓ ଖଇରମାଳ (ବୀରମହାରାଜପୁର ବ୍ଲକ) ସହିତ ଉଲୁଣ୍ଡାର ହରିହର ଜୋର ଏବଂ ବୀରମହାରାଜପୁରର ସୁରୁବାଲି ଠାରେ ୪ଟି ନଦୀଗର୍ଭ ଜଳାଶୟ ନିର୍ମାଣ କରାଯିବ। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍‍ଘାଟିତ ହୋଇଛି ଏବଂ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହିସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଡ଼କ ନିର୍ମାଣ, ଜଳସେଚନ, ସେତୁନିର୍ମାଣ, ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ, ମେଗା ଲିଫ୍‍ଟ ପ୍ରୋଜେକ୍ଟ ଏବଂ ହଷ୍ଟେଲ ଇତ୍ୟାଦି ରହିଛି। 
CM Mohan Charan Majhi