ଭୁବନେଶ୍ୱର: ଆମ ସରକାର ଓଡ଼ିଶାର ପ୍ରତି ମହିଳାଙ୍କ ବିକାଶ ପାଇଁ ସଠିକ ପରିବେଶ, ସମର୍ଥନ ଓ ସାଧନ ଯୋଗାଇଦେବା ପାଇଁ ପ୍ରତିବଦ୍ଧ ଅଛନ୍ତି। ମହିଳାମାନଙ୍କୁ ଉଦ୍ୟୋଗୀ ଓ ନେତୃତ୍ୱ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଆମେ ସମସ୍ତ ଉଦ୍ୟମ ଜାରି ରଖିଛୁ। ଆମର ଲକ୍ଷ୍ୟ ହେଉଛି ଲକ୍ଷପତି ଦିଦି କେବଳ ମହିଳାମାନଙ୍କ ଜୀବିକା ନୁହେଁ, ଏହାକୁ ମହିଳାମାନଙ୍କ ଗରିମା ବୃଦ୍ଧି, ସ୍ୱାବଲମ୍ବନଶୀଳତା ଓ ନେତୃତ୍ୱର ଆନ୍ଦୋଳନ ରୂପେ ପରିଣତ କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏହା କହିଛନ୍ତି। ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ମିସନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି, ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ନୟାଗଡ଼ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। 
Advertisment
ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ। ପରନ୍ତୁ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ ଅବସରରେ କହିଛନ୍ତି। 
ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଏହି ସମ୍ମିଳନୀ କେବଳ ଆମ ପାଇଁ ଉପଲବ୍ଧିର ଉତ୍ସବ ନୁହେଁ ବରଂ ଏହା ହେଉଛି ଆମର ମହିଳା ନେତୃତ୍ୱ ପ୍ରତି ସଂକଳ୍ପ। ମହିଳାମାନଙ୍କ ଶକ୍ତି ଓ ଉଦ୍ୟମ ପରିବାର ଓ ଦେଶର ଭବିଷ୍ୟତକୁ ସୁଦୃଢ଼ କରିଥାଏ। ଲକ୍ଷପତି ଦିଦି ଯୋଜନା କେବଳ ଏକ କଲ୍ୟାଣକାରୀ ଯୋଜନା ନୁହେଁ, ଏହା ହେଉଛି ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ମହିଳାଙ୍କର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ୱତନ୍ତ୍ରତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜନୀତିକ କ୍ଷେତ୍ରରେ ମହିଳାମାନଙ୍କ ପ୍ରତିନିଧିତ୍ୱ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇଛି। ଏହା ମାଧ୍ୟମରେ ଆଗାମୀ ନିର୍ବାଚନରେ ଅତି କମରେ ୩୩ ପ୍ରତିଶତ ମହିଳା ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସିବେ ବୋଲି ସେ କହିଥିଲେ। 
publive-image
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଓଡ଼ିଶା ଲକ୍ଷପତି ଦିଦି ମିସନକୁ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରିଛି। ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ଆଜି ଓଡ଼ିଶା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସଫଳତା ଆମ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ନିଷ୍ଠା, ମିସନ ଶକ୍ତି ଏବଂ ଓଡିଶା ଜୀବିକା ମିସନର ଆନ୍ତରିକତା ଓ ତୃଣମୂଳସ୍ତରରେ ଦକ୍ଷତାପୂର୍ଣ୍ଣ କାର୍ଯ୍ୟର ଫଳସ୍ୱରୂପ ଆମକୁ ମିଳିଛି। 
ସେ ଆହୁରି କହିଥିଲେ, ଓଡ଼ିଶାର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ୠଣ ଉପଲବ୍ଧ କରାଯାଉଛି। ରିଭଲଭିଂ ଫଣ୍ଡ ସହାୟତାକୁ ୧୫ ହଜାର ଟଙ୍କାରୁ ବଢ଼ାଇ ୩୦ ହଜାର ଟଙ୍କାକୁ କରାଯାଇଛି। କମୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡକୁ ବଢାଇ ୩୫ ଲକ୍ଷ ଟଙ୍କାରୁ ୬୦ ଲକ୍ଷ ଟଙ୍କାକୁ କରାଯାଇଛି। ଏହା ଦ୍ୱାରା ଏସଏଚ୍‌ଜି ସଦସ୍ୟାମାନେ ନିଜ ବ୍ୟବସାୟ ଓ ଜୀବିକାକୁ ଆତ୍ମ ବିଶ୍ୱାସର ସହ ଆଗକୁ ନେଇ ପାରୁଛନ୍ତି। ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ଏସ୍‌ଏଚ୍‌ଜିମହିଳାମାନେ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରି ନିଜର ପରିଚୟ ସୃଷ୍ଟି କରିବା ସହିତ ଆତ୍ମବିଶ୍ୱାସ ବଢ଼ାଇ ପାରୁଛନ୍ତି। ଆମର ସୁଭଦ୍ରା ଶକ୍ତି କାଫେ ଏକ ନୂଆ ଜୀବିକା ମଡେଲ୍ ଭାବେ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଏସ୍‌ଏଚ୍‌ଜିମହିଳାମାନେ ବଡ ବଡ କାଫେ ଚଳାଉଛନ୍ତି। ଆମ ମହିଳା ମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମ ବର୍ତ୍ତମାନ ବ୍ୟବସାୟ ଜରିଆରେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରୁଛି। 
publive-image

ଲକ୍ଷପତି ଦିଦି ଯୋଜନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଆନ୍ଦୋଳନ। ଏହା ମହିଳାମାନଙ୍କୁ ଘର ଚାରି କାନ୍ଥ ମଧ୍ୟରୁ ବାହାର କରି ବିକାଶ ସ୍ରୋତରେ ଯୋଡୁଛି। ଏହି ଲକ୍ଷପତି ଦିଦି ସୃଷ୍ଟି କରାଇବାରେ ଓଡିଶା ଲଗାତର ଭାବେ ଏକ ନମ୍ବର ସ୍ଥାନରେ ରହିଛି। ଏହା ଆମ ପାଇଁ ବଡ ଉପଲବ୍ଧି। କୃଷି, ପଶୁ ପାଳନ, ସିଲାଇ, କାଫେ ଇତ୍ୟାଦି ସମସ୍ତ କ୍ଷେତ୍ରରେ ଆମ ଗ୍ରାମାଞ୍ଚଳର ମହିଳାମାନେ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ବଳରେ ଆଜି ଗ୍ରାମାଞ୍ଚଳର ମହିଳାମାନେ କେବଳ ନିଜ ପାଇଁ ରୋଜଗାର କରୁନାହାନ୍ତି, ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ହୋଇ ପାରିଛନ୍ତି। ଆଗାମୀ ଦିନରେ ସଶକ୍ତ ମହିଳାମାନେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

-ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ

ଏହି ଅବସରରେ ରାୟଗଡା ଜିଲ୍ଲାର ଲକ୍ଷପତି ଦିଦି ବିନ୍ଧ୍ୟବାଶିନୀ, ମହାରାଷ୍ଟ୍ରର ଶୋଭା ଦିଗମ୍ବର କଦମ୍ ସେମାନଙ୍କର ସଫଳତାର ଅନୁଭୂତି ଓ ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଲକ୍ଷପତି ଦିଦି ଭାବରେ ଦେବଗଡ ଜିଲ୍ଲାର ଶକୁନ୍ତଳା ଧଳ, ଗଜପତି ଜିଲ୍ଲାର ସୁଲମୀ ଦଳବେହେରା ଏବଂ କେନ୍ଦ୍ରାପଡା ଜିଲ୍ଲାର ମମତା ନାଥ ଶର୍ମାଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାରେ ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ଜିଲ୍ଲା ଏବଂ ୯୭ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡା, କଟକ, ଭଦ୍ରକ, ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ରାଜ୍ୟସ୍ତରରେ ଶ୍ରେଷ୍ଠ ଅଧିକାରୀ ଭାବେ ଓଡିଶା ଜୀବିକା ମିଶନ, ଭୁବନେଶ୍ୱରର ଦେବୀ ପ୍ରସାଦ ନାୟକଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିଙ୍କ ଉପରେ ପର୍ଯ୍ୟବସିତ ଏକ ଭିଡିଓ, ଏକ କଫି ଟେବୁଲ ବୁକ୍ ଓ ବୁକଲେଟ୍ ଉନ୍ମୋଚନ କରିଥିଲେ। 
Nayagarh | CM Mohan Charan Majhi