ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳର ଛାତ୍ରୀ ମୃତ୍ୟୁ ମାମଲା ନେଇ ରାଜ୍ୟବ୍ୟାପି ଉତ୍ତେଜନାର ବାତାବରଣ ଦେଖାଯାଇଛି। ଏହି ଘଟଣାକୁ ପ୍ରସଙ୍ଗ କରି କଂଗ୍ରେସ ସଂସଦରେ ସ୍ବର ଉଠାଇବ। ଏଥି ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବାଲେଶ୍ବର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଜୁଲାଇ ୧୭ରେ ଓଡ଼ିଶା ବନ୍ଦ କରୁଥିବାବେଳେ ଆଗାମୀ ଦିନରେ ସଂସଦ ଘେରାଉ କରିବ। ଏହି ଘୋଷଣା ସହ ଅଳକା ଲାମ୍ବା ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Advertisment

ଅଳକା ଲାମ୍ବା କହିଛନ୍ତି ଯେ ଓଡ଼ିଶାରେ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଓଡ଼ିଶାରେ ନାରୀ ନିରାପତ୍ତା ଓ ନ୍ୟାୟ ପାଇଁ କୌଣସି କଡ଼ା ପଦକ୍ଷେପ ନିଆଯାଇ ନାହିଁ। ବାଲେଶ୍ବରରେ ଜଣେ ଛାତ୍ରୀଙ୍କୁ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଯୌନ ନିର୍ଯାତନାର ଚାପ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ କଂଗ୍ରେସ ଗୁରୁତ୍ବର ସହିତ ନେଉଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗକୁ ପ୍ରମୁଖତା ଦେବ। ଆଗାମୀ ୨୧ ତାରିଖରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ କଂଗ୍ରେସ ଦଳ ସଂସଦ ଘେରାଉ କରି ବାଲେଶ୍ବର ଘଟଣାରେ ନ୍ୟାୟ ଦାବି କରିବ। ଓଡ଼ିଶା ପ୍ରସଙ୍ଗକୁ ଆମେ ପ୍ରାଥମିକତା ଦେବୁ।

ଅଳକା ଲାମ୍ବା ଓଡ଼ିଶା ଗସ୍ତ କରି ବାଲେଶ୍ବର ପୀଡ଼ିତାଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନିପତିଙ୍କ ନେତୃତ୍ୱରେ ବାଲେଶ୍ବରରେ ଏକ ବିଶାଳ କର୍ମୀ ସମାବେଶ ଆୟୋଜନ କରାଯାଇଛି। ଏହି ସମାବେଶରେ ଅଳକା ଲାମ୍ବା ମଧ୍ୟ ଯୋଗ ଦେବେ।

ଅଳକା ଲାମ୍ବା ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସୋଫିଆ କହିଥିଲେ, ଏହି ଘଟଣା ରାଜ୍ୟରେ ମହିଳା ନିରାପତ୍ତାର ଦୁର୍ବଳ ଚିତ୍ରକୁ ପ୍ରକାଶ କରୁଛି। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଉ ନାହାନ୍ତି। ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।  

ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍‌ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।

Balasore