ନବରଙ୍ଗଗପୁର: ବାଲେଶ୍ଵର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣା ନେଇ ପ୍ରଦେଶ କଂଗ୍ରେସ କମିଟି ମହିଳା କଂଗ୍ରେସର ଡାକରାରେ ଓଡ଼ିଶା ବନ୍ଦକୁ ସମର୍ଥନ କରି ଗୁରୁବାର ନବରଙ୍ଗପୁରଜିଲ୍ଲା କଂଗ୍ରେସ ପକ୍ଷରୁ ବି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା। ତେବେ ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଆଜି ଗୁରୁବାର ସାପ୍ତାହିକ ହାଟ ଥିବାରୁ ହାଟ ଓ ସହରର ଦୋକାନ ବଜାର ଖୋଲା ରହିଥିଲା। କଂଗ୍ରେସ କର୍ମୀ ମାନେ ସରକାରୀ କାର୍ଯ୍ୟାଳୟ ଓ କଲେଜ ଆଦି ପିକେଟିଂ କରି ବନ୍ଦ କରିଥିଲେ। ଜିଲ୍ଲାର ସମସ୍ତ ୯ଟି ଯାକ ବ୍ଲକରେ ବନ୍ଦ ପାଳନ କରାଯାଇଥିଲା।
ସେହିପରି ନବରଙ୍ଗପୁର ସହରର ସମସ୍ତ ସରକାରୀ , ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିକୁ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ କରାଇଥିଲେ। ଯଦିଓ କୋର୍ଟ ଖୋଲାଥିଲେ ହେଁ ବସଚଳାଚଳ ବନ୍ଦ ଥିବାରୁ ମହକିଲ, ସାକ୍ଷ୍ୟ ଆଦି ଆସି ନଥିବାରୁ ସେତେଟା ଗହଳଚହଳ ଦେଖିବାକୁ ମିଳିନଥିଲା। ସମ୍ପୂର୍ଣ୍ଣ ସହର ଖାଁ ଖାଁ ଦେଖିବାକୁ ମିଳିଥିଲା। ସେପରି ସହରରେ ଥିବା ୫ଟି ଯାକ ପେଟ୍ରୋଲ ପମ୍ପ ବି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ବନ୍ଦ ଫଳରେ ଦିନମଜୁରିଆ, ଛାତ୍ରଛାତ୍ରୀ, କର୍ମଚାରୀ , ଉଠାଦୋକାନୀ ଆଦିଙ୍କ ଉପରେ ପଡିଥିଲା। କିଛି ଗଳିର ଜଳଖିଆ ଦୋକାନ ଖୋଲା ରହିଥିବା ସୂଚନା ପାଇ କଂଗ୍ରେସ କର୍ମୀ ମାନେ ବନ୍ଦ କରାଇଥିଲେ। ବିଭିନ୍ନ ଦ୍ରୁତଗାମୀ ବସରେ ଆସିଥିବା ଯାତ୍ରୀ ମାନେ ବସ ଗୁଡିକ ଗନ୍ତବ୍ୟସ୍ଥଳକୁ ନ ଯିବାରୁ ହଇରାଣହରକତ ହୋଇଥିଲେ।
କଂଗ୍ରେସର ଏହି ବନ୍ଦକୁ ଜିଲ୍ଲାରେ ୮ଟି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସମର୍ଥନ କରି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ମାଝିଗୁଡା ଛକ, ଚାଉଁରିଆଗୁଡା , ସହର ମଧ୍ୟ କଂଗ୍ରେସ ଭବନ ନିକଟରେ ଦଳୀୟ ନେତା ମାନେ ଜମା ହୋଇ ରାସ୍ତାକୁ ଅବରୋଧ କରି ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ି ସବୁ ବନ୍ଦ କରାଇଥିଲେ। ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ସହ ଘଟଣାର ନ୍ୟାୟିକ ଯାଞ୍ଚ କରି ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ସଂଧ୍ୟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ।
ଜିଲ୍ଲା କଂଗ୍ରେସ ପକ୍ଷରୁ ଆବାହକ ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ମୁନା ତ୍ରିପାଠୀ, ବୃନ୍ଦା ତ୍ରିପାଠୀ, ପ୍ରଦୀପ ସାହୁ, ଅଖିଳ ଭତରା, ଦିଲ୍ଲୀପ ବେହେରା, ପି.ନାଗରତ୍ନମା, ବଳରାମ ବେହେରା, ତୋଫାନ ଷଡଙ୍ଗୀ, ପବିତ୍ର ଗରଡ଼ା, କାଳୀ ପ୍ରସାଦ ପାତ୍ର, ସହ ବହୁ କଂଗ୍ରେସ ନେତା ଓ କର୍ମୀ ଭାଗ ନେଇଥିଲେ। ସେହିପରି ବାମଦଳର ରାଜେଶ ଜାନୀ, ଫରୱାର୍ଡ ବ୍ଲକର ସୁଶାନ୍ତ କୁମାର ସୁନାଙ୍କ ସହ ଅନ୍ୟ ମାନେ ସାମିଲ ହୋଇଥିଲେ। ତହସିଲଦାର କୌଳାସ ଚନ୍ଦ୍ର ତ୍ରିପାଠୀ ମାଜିଷ୍ଟ୍ରେଟ ଦାୟିତ୍ବ ତୁଲାଇଥିଲେ। ସହରର ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଥିଲା। ଏସଡିପିଓ କୃଷ୍ଣ ଚନ୍ଦ୍ର ଭତରା, ଥାନା ଅଧିକାରୀ ସମ୍ବିତ କୁମାର ବେହେରା ସଦଳ ବଳ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
Nabarangpur