ରାଉରକେଲା: ସୌମ୍ୟାଶ୍ରୀ ମୃତ୍ୟୁର ଅସନ୍ତୋଷ ରାଉରକେଲାରେ ଦେଖିବାକୁ ମିଳିଛି। ଆଜି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହାସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ବର ସାଂସଦ ଓ ବିଧାୟକଙ୍କ ଇସ୍ତଫା ସହ ଓଡ଼ିଶା ଉଚ୍ଚନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ତତ୍ବାବଧାନରେ ମାମଲାର ତଦନ୍ତ ପାଇଁ ଦାବି କରିଛନ୍ତି। ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ରାଉରକେଲା ବନ୍ଦ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment

କଂଗ୍ରେସ ଏବଂ ବାମପନ୍ଥୀ ଦଳର ସାମ୍ବାଦିକ ସମ୍ମିଳନୀ
ଆସନ୍ତାକାଲିର ୧୨ ଘଣ୍ଟିଆ ଆନ୍ଦୋଳନକୁ ନେଇ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜକ ଜ୍ଞାନେନ୍ଦ୍ର ଦାସଙ୍କ ନେତୃତ୍ୱରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ସିପିଏମ୍‌ ପ୍ରମୋଦ ସାମଲ, ସିପିଆଇ ଜୋନାଲ ସମ୍ପାଦକ ସଦାନନ୍ଦ ସାହୁ, ସିପିଏମ୍‌ର ରାଜକିଶୋର ପ୍ରଧାନ, ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ବରିଷ୍ଠନେତା ଗଣେଶ ପ୍ରଧାନ ପ୍ରମୁଖ କହିଲେ, ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଆତ୍ମହତ୍ୟା କରିବା ପାଇଁ ଯେଭଳି ବାଧ୍ୟ କରାଗଲା, ତାହା ହେଉଛି ମାନବିକତାର ହତ୍ୟା। ଏଥିରେ ସଂପୃକ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଆସନ୍ତାକାଲିର ବନ୍ଦ ସମୟରେ ଅତ୍ୟାବଶ୍ୟକୀୟ ଜରୁରିକାଳୀନ ସେବାକୁ ବାଦ୍‌ ଦିଆଯିବ। ଅହିଂସାତ୍ମକ ଭାବେ ବନ୍ଦ ପାଳନ ହେବ। ଏଥିରେ ଜନସାଧାରଣ ସାମିଲ ହେବାକୁ ଆହ୍ବାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ସନ୍ତୋଷ ବିଶ୍ୱାଳ, ଇସ୍ତେହାର ମହମ୍ମଦ, ବିନୋଦ ରାଉତ, ହରପ୍ରସାଦ ସାମଲ, ରଘୁନାଥ ଦାସ, ନଚିକେତା ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ।

ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀଙ୍କ ପୁତ୍ତଳିକା ପୋଡ଼ିଲା ଯୁବ ଓ ଛାତ୍ର କଂଗ୍ରେସ
ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋତିଲାଲ ଦୀପ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକ ଓ ଯୁବ ନେତା ଶିବୁ ଦୀପଙ୍କ ନେତୃତ୍ୱରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା। କର୍ମକର୍ତ୍ତା ଏହା ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପୁତ୍ତଳିକା ଦାହ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଆସନ୍ତାକାଲି ଓଡ଼ିଶା ବନ୍ଦ ପରେ ବି ଯଦି ସରକାରଙ୍କ ଚେତା ନ ପଶିଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବବୋଲି ଚେତାବନୀ ଦେଇଥିଲେ। ଘେରଉ ସମୟରେ ପୂର୍ବତନ ଜିଲ୍ଲା ସଭାପତି ରବି ରାୟ, ପ୍ରବୋଧ ଦାସ, ସବୀର ହୁସେନ, ଗାନ୍ଧୀ ଦାସ, ବାସୁଦେବ ବାନାର୍ଜୀ, ଇଜାଜ ଅଖତର, ଦିବାକର ଦୀପ, ସନ୍ଦୀପନ ମହାପାତ୍ର, ପ୍ରସନ୍ନ କୁମାର ବଳିୟାରସିଂହ, ବାବୁଲି ଢୋଲିଆ, ଅନୁରାଗ ବିଶ୍ୱାଳ, ଆଶିଷ ମହାନ୍ତି, ପ୍ରଫୁଲ ପ୍ରଧାନ, ଦୁଃଶା ନାୟକ, ରମେଶ ଗୁପ୍ତା, ଭୀମ ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ।

ସିପିଆଇଏମ୍‌ର ବିକ୍ଷୋଭ


ସିପିଆଇଏମ୍‌ର ରାଉରକେଲା ଓ ରଘୁନାଥପାଲି ଆଞ୍ଚଳିକ କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାକରପତ୍ର ପ୍ରଦାନ କରାଯାଇଥିଲା। ସମ୍ପାଦକ ରାଜକିଶୋର ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ବିକ୍ଷୋଭରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ବି.ପି. ମହାପାତ୍ର, ବସନ୍ତ ନାୟକ, ରଘୁନାଥପାଲି ଆଞ୍ଚଳିକ କମିଟି ଆବାହକ ହୃଦୟାନନ୍ଦ ଯାଦବ, ବିନୟ ବେହୁରିଆ ପ୍ରମୁଖ ରାଜ୍ୟ ସରକାର ଅବହେଳାକୁ ଦାୟୀ କରିଥିଲେ। କେବଳ ସରକାରଙ୍କ ଦାୟିତ୍ବହୀନତା ପାଇଁ ପୀଡ଼ିତାଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ବିକ୍ଷୋଭରେ ରାଉରକେଲା ଆଞ୍ଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଯଯାତିକେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ଚନ୍ଦ୍ରଭାନୁ ଦାସ, ସୁରେନ୍ଦ୍ର ମହାନ୍ତି, ଏନ୍‌.ଏନ୍‌. ପାଣିଗ୍ରାହୀ, ଦିବାକର ମହାରଣା, ଅରୁଣ ମହାରଣା, ଅଜିତ ଏକ୍କା, ଅନାଦି ସାହୁ ପ୍ରମୁଖ ଉପସ୍ଥିତଥିଲେ।